ପ୍ରମୂଖ ଖବର
  • ଶିମିଳିପାଳରେ ହାଡଭଙ୍ଗା ଶୀତ, ଉପର ବାର୍ହାକାମୁଡ଼ାରେ ୩ ଡିଗ୍ରୀକୁ ଖସିଲା ପାରଦ
  • ||
  • ତାମିଲନାଡୁ ଘରୋଇ ଅର୍ଥୋପେଡିକ୍‌ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ୭ ମୃତ, ୨୮ ଆହତ
  • ||
  • ଜାଡ଼ରେ ଥରିଲା ଓଡ଼ିଶା, ୩ ଡିଗ୍ରୀ ଖସିଲା ପାରଦ: ୧୬ ତାରିଖରୁ ୧୦ ଡିଗ୍ରୀ ତଳେ ଅଧିକାଂଶ ସହର
  • ||

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ, ଡ୍ୟାମ କରାଯାଉଛି ଖାଲି ! କନଷ୍ଟ୍ରକ୍ସନ ସ୍କୁଇସ ଗେଟ ସ୍ଥାନରେ ଲାଗିବ ଡିପ୍ଲିସନ ଗେଟ୍

Published By : Prameya | November 11, 2024 1:16 PM

ବଲାଙ୍ଗିର,୧୧/୧୧: ଲୋୟର ସୁକତେଲ  ଜଳସେଚନ ପ୍ରକଳ୍ପକୁ ଏବେ ଖାଲି କରାଯାଉଛି । ଗତ କିଛିଦିନ ହେଲା କ୍ରମାଗତ ଭାବରେ ଡ୍ୟାମରୁ  ପାଣି ଛଡ଼ାଯାଉଛି । ଏହା ଯେତେଶୀଘ୍ର ଖାଲି ହେବ ସେତେଭଲ । କାରଣ ଜାନୁଆରୀ ସୁଦ୍ଧା ଡ୍ୟାମରେ ଲାଗିଥିବା ଉଭୟ କନଷ୍ଟ୍ରକ୍ସନ ସ୍କୁଇସ ଗେଟକୁ ବନ୍ଦ କରିଦିଆଯିବ ଏବଂ ତା’ସ୍ଥାନରେ ଡିପ୍ଲିସନ ଗେଟ ଲାଗିବ । ଅହରହ ଡ୍ୟାମରୁ ବାହାରୁଥିବା ପାଣି ଆଉ ଆସିବନାହିଁ । ଯେତେବେଳେ ଡ୍ୟାମ କର୍ତ୍ତୃପକ୍ଷ ଚାହିଁବେ,  ସେତେବେଳେ ତଳମୁଣ୍ଡକୁ ପାଣି ଛାଡ଼ିବେ । ଯଦି ଡ୍ୟାମ  ଉପରୁ ପାଣି ଓଭରଫ୍ଲୋ ହୋଇଯିବ କିଛି କଥାନାହିଁ । 

ଯଦି ଓଭର ଫ୍ଲୋ ହେବନାହିଁ, ତାହେଲେ ପାଣି  ମହଜୁଦ ହୋଇ ରହିବ । ଆବଶ୍ୟକ ବେଳେ ଡିପ୍ଲିସନ ଗେଟଖୋଲି ପାଣି ଛଡ଼ାଯିବ ବୋଲି ଜଣାପଡିଛି । ତେବେ ଶୁଭାରମ୍ଭର ପ୍ରାୟ ଦେଢ଼ବର୍ଷ ପରେ ହଠାତ  ଡିପିଆରରେ ନଥିବା ଡିପ୍ଲିସନ ଗେଟ ଲଗାଯିବା ଏବଂ  ଏବେ ଜଳ ସୁପରିଚାଳନା ପାଇଁ ଚିନ୍ତା କରାଯିବା ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଏନେଇ ମୁଖ୍ୟ ନିର୍ମାଣ ଯନ୍ତ୍ରୀ  ସୁରେନ୍ଦ୍ର ଭୋଇଙ୍କୁ ପଚାରିବାରୁ ସେ ମଧ୍ୟ ଏହାକୁ  ସ୍ୱୀକାର କରିଥିଲେ । ତଳମୁଣ୍ଡକୁ ଆବଶ୍ୟକ ସମୟରେ  ପାଣିଦେବାକୁ ଏହି ବ୍ୟବସ୍ଥା କରାଯାଉଛି । ଅଯଥାରେ  ପାଣି ବହି ନଯାଇ ଡ୍ୟାମରେ ରହିବ, ଆବଶ୍ୟକ  ସମୟରେ ଯୋଗାଇ ଦିଆଯିବ ବୋଲି କହିଥିଲେ । 

ସୂଚନାଯୋଗ୍ୟ ଯେ, କେନ୍ଦ୍ର ଜଳସମ୍ପଦ  ଆୟୋଗରେ ଗତ ୧୯୯୪ ମସିହାରେ ପ୍ରସ୍ତାବ ପାରିତ  ହୋଇ ଜଳସମ୍ପଦ ବିଭାଗର ୬୭ତମ ପରାମର୍ଶଦାତା  କମିଟିର ବୈଠକରେ ଏହି ପ୍ରକଳ୍ପକୁ ସବୁଜ ସଙ୍କେତ  ମିଳିଥିଲା । ସେଠାରେ ଲୋୟର ସୁକତେଲ ଜଳସେଚନ  ପ୍ରକଳ୍ପ ପାଇଁ ୨୧୭.୧୩ କୋଟି ଟଙ୍କାର ଅନୁଦାନ  ମଞ୍ଜୁର ହୋଇଥିଲା । ପରେ ୨୦୦୧ମସିହା ନଭେମ୍ବର  ୨୪ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର  ଶିଳାନ୍ୟାସ କରିଥିଲେ । ତା’ପରେ ବର୍ଷବର୍ଷ ଧରି ଜମି  ଅଧିଗ୍ରହଣ, କ୍ଷତିପୂରଣ ଏବଂ ପୁନର୍ବାସ-ଥଇଥାନ  ଆଦି ପ୍ରସଙ୍ଗକୁ ନେଇ ୨୩ବର୍ଷ ପର୍ଯ୍ୟନ୍ତ ସଂଗ୍ରାମ ଜାରି  ରହିଲା । କେତେବେଳେ ଲୋକେ ଭିଟାମାଟି ଛାଡ଼ିବାକୁ  ବିରୋଧ କଲେ ତ କେବେ ବିଭିନ୍ନ ସାମାଜିକ ସଂଗଠନ  ଏହାର ନେତୃତ୍ୱ ନେଇ ଏହାକୁ କାର୍ଯ୍ୟକ୍ଷମ କରିବାକୁ  ଆନ୍ଦୋଳନ କଲେ । ଯାହାପାଇଁ ସ୍ପିଲ ୱେ ପାଇଁ କାମ ଅଟକି ରହୁଥିଲା । 

୨୦୧୩ମସିହାରେ ପୁଲିସ ଲଗାଇ  ପ୍ରକଳ୍ପ କାମଆରମ୍ଭ ହେଲା, ମାତ୍ର ତାହା ବି ବନ୍ଦ  ହୋଇଗଲା । ଅନେକଥର ତତ୍କାଳୀନ ସରକାରର  ହାଇଲେଭଲ ଟିମ, ଜଳସମ୍ପଦ ବିଭାଗ ସଚିବ ତଥା  ମୁଖ୍ୟ ଶାସନ ସଚିବ ଉକ୍ତ ପ୍ରସଙ୍ଗରେ ହସ୍ତକ୍ଷେପ  କଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିଲାନାହିଁ । ଶେଷରେ ୨୦୨୨ପରଠୁ ପ୍ରଶାସନ-ପୁଲିସର ମିଳିତ  ଉଦ୍ୟମରେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରକ୍ରିୟା  ଆରମ୍ଭକରି ଜରୁରୀକାଳୀନ ଭାବରେ ଜମି ଅଧିଗ୍ରହଣ  ଆରମ୍ଭ ହେଲା । ଦିନରାତି ଅନବରତ ଭାବରେ କାମକରି ଗତ ୨୦୨୪ ମସିହା ଜାନୁଆରୀ ୩ତାରିଖରେ ତତ୍କାଳୀନ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱାରା ଲୋକାର୍ପିତ  ହୋଇଥିଲା । ୧୧୫୫ମିଟର ଲମ୍ବ ଏବଂ ୩୦ ମିଟର  ଉଚ୍ଚ ଏହି ପ୍ରକଳ୍ପର ସର୍ବାଧିକ ଡ୍ୟାମ ଜଳସ୍ତର ୨୦୬  ମିଟର ରହିଛି । ଏଠାରୁ ଉଭୟ ବଲାଙ୍ଗିରଓ ସୋନପୁର  ଜିଲ୍ଲାର ୪୦ହଜାର ହେକ୍ଟର ବା ୧ଲକ୍ଷ ଏକର ଜମିକୁ  ପାଣି ପହଞ୍ଚାଇବା ପାଇଁ କାମ ଏବେବି ଜାରି ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.