ନୂଆଦିଲ୍ଲୀ. ୧୯।୩: ରୋଷେଇ ଗ୍ୟାସ୍ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଖବର । କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଣିକି ଆବେଦନ କରିବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ନୂଆ ପାଇପ୍ ପ୍ରାକୃତିକ ଗ୍ୟାସ୍ (PNG) କନେକ୍ସନକୁ ମଞ୍ଜୁରୀ ପ୍ରଦାନ କରାଯିବ । ଦେଶରେ ଗ୍ୟାସ୍ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଗ୍ରାହକଙ୍କୁ ତୁରନ୍ତ ସେବା ଯୋଗାଇଦେବା ଲକ୍ଷ୍ୟରେ ସରକାର ଏହି ପଦକ୍ଷେପ ନେଇଛନ୍ତି । ମନ୍ତ୍ରାଳୟର ଯୁଗ୍ମ ସଚିବ ସୁଜାତା ଶର୍ମାଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ଘରୋଇ PNG ଏବଂ CNG ଗ୍ରାହକଙ୍କୁ ୧୦୦ ପ୍ରତିଶତ ଗ୍ୟାସ୍ ଯୋଗାଣ କରାଯାଉଛି । ଏଥିସହିତ କମର୍ସିଆସ LPG ସିଲିଣ୍ଡର ଯୋଗାଣକୁ ମଧ୍ୟ ଆଂଶିକ ଭାବେ ସ୍ୱାଭାବିକ କରାଯାଇଛି । ସରକାରଙ୍କ ମୂଳ ଲକ୍ଷ୍ୟ ହେଉଛି ସିଲିଣ୍ଡର ଉପରେ ନିର୍ଭରଶୀଳତା କମାଇ PNG ବ୍ୟବହାରକୁ ପ୍ରୋତ୍ସାହିତ କରିବା, ଯାହାଫଳରେ ଭବିଷ୍ୟତରେ ସିଲିଣ୍ଡର ସଙ୍କଟ ଦେଖାଦେଲେ ମଧ୍ୟ ଲୋକଙ୍କ ରୋଷେଇ କାର୍ଯ୍ୟ ବାଧାପ୍ରାପ୍ତ ହେବନାହିଁ । କେନ୍ଦ୍ର ସରକାର ଏ ସମ୍ପର୍କରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ପତ୍ର ଲେଖିଛନ୍ତି । ପାଇପ ଲାଇନ ଗ୍ୟାସ୍ ଆବେଦନଗୁଡ଼ିକୁ ଯଥାଶୀଘ୍ର ଅର୍ଥାତ୍ ୨୪ ଘଣ୍ଟା ମଧ୍ୟରେ ଅନୁମୋଦନ କରିବାକୁ ଏହି ପତ୍ରରେ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି । ଏହାବ୍ୟତୀତ ସିଟି ଗ୍ୟାସ୍ ଡିଷ୍ଟ୍ରିବ୍ୟୁସନ (CGD) ପ୍ରକଳ୍ପଗୁଡ଼ିକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି ।

ଏହା ବି ପଢ଼ନ୍ତୁ... ଆଜି ହିନ୍ଦୁ ନବବର୍ଷ, ବିକ୍ରମ ସମ୍ୱତ୍ ୨୦୮୩ ଆରମ୍ଭ, ୫୮ ବର୍ଷ ପଛୁଆ ଇଂରାଜୀ କ୍ୟାଲେଣ୍ଡର

ଗ୍ରାହକଙ୍କୁ ମିଳିବ ରିହାତି ଓ ସୁବିଧା:

ଇନସେଣ୍ଟିଭ୍: ନୂଆ କନେକ୍ସନ ନେଲେ କମ୍ପାନୀଗୁଡ଼ିକ ଗ୍ରାହକଙ୍କୁ ବିଭିନ୍ନ ପ୍ରକାରର ପ୍ରୋତ୍ସାହନ ବା ଇନସେଣ୍ଟିଭ୍ ପ୍ରଦାନ କରୁଛନ୍ତି ।

ସହଜ ଆବେଦନ: ଗ୍ରାହକମାନେ ଇ-ମେଲ୍, କଷ୍ଟମର ପୋର୍ଟାଲ୍, ଚିଠି କିମ୍ବା କଲ୍ ସେଣ୍ଟର ମାଧ୍ୟମରେ ସହଜରେ ଆବେଦନ କରିପାରିବେ ।

ଘର ପାଖରେ ସେବା: ସରକାର କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେମାନେ ନିଜେ ସମ୍ଭାବ୍ୟ ଗ୍ରାହକଙ୍କ ନିକଟକୁ ପହଞ୍ଚି କନେକ୍ସନ ପ୍ରଦାନ କରନ୍ତୁ ।

ଦେଶରେ ଇନ୍ଧନର ଅଭାବ ନାହିଁ:

ସଚିବ ସୁଜାତା ଶର୍ମା ସ୍ପଷ୍ଟ କରିଛନ୍ତି ଯେ, ଦେଶରେ କଞ୍ଚା ତେଲର କୌଣସି ଅଭାବ ନାହିଁ । ରିଫାଇନାରୀ ଗୁଡ଼ିକ ନିଜର ପୂର୍ଣ୍ଣ କ୍ଷମତାର ସହ କାମ କରୁଛନ୍ତି । ବିହାର, ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ଗୁଜରାଟ ଏବଂ କର୍ଣ୍ଣାଟକ ସମେତ ଅନେକ ରାଜ୍ୟରେ କମର୍ସିଆଲ LPG ସିଲିଣ୍ଡର ଯୋଗାଣ ପାଇଁ ସରକାରୀ ମାର୍ଗଦର୍ଶିକା ଅନୁଯାୟୀ ନିର୍ଦ୍ଦେଶ ଜାରି କରାଯାଇଛି । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଏବେ ଗ୍ୟାସ କନେକ୍ସନ ପାଇଁ ଲୋକଙ୍କୁ ଆଉ ଦୀର୍ଘ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ ।