ନୂଆଦିଲ୍ଲୀ,୩୧/୦୮: ସେପ୍ଟେମ୍ବର ପହିଲାରୁ ବଦଳିଯିବ ଅନେକ ନିୟମ । ଯାହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଆର୍ଥିକ ଜୀବନକୁ ପ୍ରଭାବିତ କରିବ । ସେପ୍ଟେମ୍ବରରେ ଆଧାର କାର୍ଡ ଅପଡେଟ୍, ଆଇଟିଆର, ୟୁପିଏସ ଏବଂ କ୍ରେଡିଟ୍ କାର୍ଡର ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ଏହା ସହିତ ପ୍ରତି ମାସ ପରି ଏଲପିଜି ଗ୍ୟାସର ମୂଲ୍ୟ ମଧ୍ୟ ପ୍ରଭାବିତ ହୋଇପାରେ । ଜେଟ୍ ଇନ୍ଧନ ଏବଂ ସିଏନଜି-ପିଏନଜିର ମୂଲ୍ୟରେ ପରିବର୍ତ୍ତନ ହୋଇପାରେ। ତେବେ ଆସନ୍ତୁ ଜାଣିବା ସେପ୍ଟେମ୍ବର ମାସରୁ କ'ଣ ପରିବର୍ତ୍ତନ ହେବାକୁ ଯାଉଛି। 

ଆଇଟିଆର  ଫାଇଲିଂ

ନିକଟରେ ଆୟକର ବିଭାଗ ITR ଫାଇଲିଂର ଶେଷ ତାରିଖକୁ ୩୦ ଜୁଲାଇରୁ ୧୫ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା, ଯାହା ଫଳରେ କରଦାତାମାନଙ୍କୁ ରିଟର୍ଣ୍ଣ ଫାଇଲ୍ ପାଇଁ ଅତିରିକ୍ତ ସମୟ ମିଳିଛି । ଆସନ୍ତା ୧୫ ସେପ୍ଟେମ୍ବର ପୂର୍ବରୁ ITR ଫାଇଲ୍ କରିବାକୁ ପଡ଼ିବ। ନଚେତ୍ ଆପଣଙ୍କୁ ନୋଟିସ୍ ମିଳିପାରେ । 

ୟୁପିଏସ ସମୟସୀମା 

ଜାତୀୟ ପେନସନ୍ ପ୍ରଣାଳୀ (NPS) ଅଧୀନରେ ଆସୁଥିବା କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ପାଖରେ ୟୁନିଫାଏଡ୍ ପେନସନ ସ୍କିମ୍ ବା UPS ବାଛିବା ପାଇଁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ସମୟ ଅଛି। ପୂର୍ବରୁ ଏହି ତାରିଖ ୩୦ ଜୁନ୍ ଥିଲା, କିନ୍ତୁ ପରେ ଏହାକୁ ୩୦ ସେପ୍ଟେମ୍ବରକୁ ବୃଦ୍ଧି କରାଯାଇଥିଲା। ଏହା ସରକାରୀ କର୍ମଚାରୀଙ୍କ ପାଇଁ ଆରମ୍ଭ ହୋଇଥିବା ଏକ ପେନସନ୍ ଯୋଜନା। 

ଭାରତୀୟ ଡାକ ନିୟମ 

ଡାକ ବିଭାଗ ସେପ୍ଟେମ୍ବର ୧ରୁ ଘରୋଇ ଡାକ ସେବାକୁ ସ୍ପିଡ୍ ପୋଷ୍ଟ ସେବା ସହିତ ମିଶ୍ରଣ କରିବାକୁ ଯାଉଛି । ଯାହାର ଅର୍ଥ ହେଉଛି ଏବେ କିଛି ସାଧାରଣ ଡାକ ନୁହେଁ, କେବଳ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ପଠାଯାଇପାରିବ। ତେଣୁ ଯଦି ଆପଣ ସେପ୍ଟେମ୍ବର  ୧ରୁ ଦେଶ ମଧ୍ୟରେ ଇଣ୍ଡିଆ ପୋଷ୍ଟ ମାଧ୍ୟମରେ କୌଣସି ପଞ୍ଜୀକୃତ ଡାକ ପଠାନ୍ତି, ତେବେ ଏହା ଏକ ସ୍ପିଡ୍ ପୋଷ୍ଟ ଡେଲିଭରୀ ହେବ।

କ୍ରେଡିଟ୍ କାର୍ଡ ନିୟମ 

ଏସବିଆଇ କାର୍ଡ ସେପ୍ଟେମ୍ବର ୧ରୁ ଏହାର କିଛି କାର୍ଡ ପାଇଁ ନିୟମରେ ପରିବର୍ତ୍ତନ ଘୋଷଣା କରିଛି। କମ୍ପାନୀ ଏହାର କିଛି କାର୍ଡ ପାଇଁ ରିଓ୍ବାର୍ଡ ପଏଣ୍ଟ କାର୍ଯ୍ୟକ୍ରମରେ ସଂଶୋଧନ କରିଛି । ଏହି ସଂଶୋଧନ ସହିତ, ଏପରି କାର୍ଡ ରଖିଥିବା ଗ୍ରାହକମାନେ ଡିଜିଟାଲ୍ ଗେମିଂ ଏବଂ ସରକାରୀ ୱେବସାଇଟରେ କାରବାର ସହିତ ଜଡ଼ିତ ଖର୍ଚ୍ଚ ଉପରେ ରିଓ୍ବାର୍ଡ ପଏଣ୍ଟ ଅର୍ଜନ କରିପାରିବେ ନାହିଁ । 

ସ୍ୱତନ୍ତ୍ର ଏଫଡି ଯୋଜନା

ଇଣ୍ଡିଆନ୍ ବ୍ୟାଙ୍କ ଏବଂ ଆଇଡିବିଆଇ ବ୍ୟାଙ୍କ ଭଳି ବ୍ୟାଙ୍କଗୁଡ଼ିକ ବର୍ତ୍ତମାନ କିଛି ସ୍ୱତନ୍ତ୍ର ଅବଧି ଏଫଡି ଚଳାଉଛନ୍ତି। ଇଣ୍ଡିଆନ୍ ବ୍ୟାଙ୍କର ୪୪୪ଦିନ ଏବଂ ୫୫୫-ଦିନର ଯୋଜନାରେ ନିବେଶ କରିବାର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୩୦, ୨୦୨୫। ସେହିପରି, ଆଇଡିବିଆଇ ବ୍ୟାଙ୍କର ୪୪୪-ଦିନ, ୫୫୫-ଦିନ ଏବଂ ୭୦୦-ଦିନର ସ୍ୱତନ୍ତ୍ର ଏଫଡିରେ ନିବେଶ କରିବାର ଶେଷ ତାରିଖ ମଧ୍ୟ ସେପ୍ଟେମ୍ବର ୩୦। 

CNG-PNG ଏବଂ ଜେଟ୍ ଫୁଏଲ୍ 

ତେଲ କମ୍ପାନୀଗୁଡ଼ିକ ଏଲପିଜି ସହିତ ସିଏନଜି, ପିଏନଜି ଏବଂ  ଜେଟ୍ ଫୁଏଲ୍ ର ମୂଲ୍ୟ ପରିବର୍ତ୍ତନ ହୋଇଥାଏ। ଆଶା କରାଯାଉଛି ଯେ ସେପ୍ଟେମ୍ବର ମାସରୁ ସେମାନଙ୍କର ମୂଲ୍ୟ ମଧ୍ୟ ପରିବର୍ତ୍ତନ ହୋଇପାରେ।

ଏଲପିଜି ସିଲିଣ୍ଡର ମୂଲ୍ୟ

ପ୍ରତି ମାସ ପରି ଏଲପିଜି ସିଲିଣ୍ଡର ମୂଲ୍ୟ ସେପ୍ଟେମ୍ବର ୧ରୁ  ପରିବର୍ତ୍ତନ ହୋଇପାରେ। ଗତ କିଛି ମାସ ଧରି ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ପରିବର୍ତ୍ତନ ହେଉଛି। ଗତ ମାସରେ ମଧ୍ୟ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ପରିବର୍ତ୍ତନ ହୋଇଥିଲା। ଅଗଷ୍ଟ ମାସରେ, ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ୩ .୫୦  ଟଙ୍କା ହ୍ରାସ ପାଇ ଦିଲ୍ଲୀରେ ୧୯କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧ ହଜାର ୬୩୧ ଟଙ୍କା ୫୦ ପଇସା ଟଙ୍କା ଥିଲା