ନୂଆଦିଲ୍ଲୀ : ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ । ରାଜସ୍ଥାନ ରୟାଲ୍ସକୁ ବ୍ୟାଟିଂ ପାଇଁ କଲା ଆମନ୍ତ୍ରଣ । ଆଜିର ମ୍ୟାଚଟି ବେଶ ରୋମାଞ୍ଚକ ହେବ ବୋଲି ଆଶା ରଖାଯାଇଛି । କାରଣ ବିଧ୍ବଂସୀ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ରହିବ ସମସ୍ତଙ୍କ ନଜର ।
ରାଜସ୍ଥାନ ପ୍ରଥମ ୪ଟି ମ୍ୟାଚ ଜିତିବା ପରେ ଲଗାତର ୨ଟି ମ୍ୟାଚ ପରାଜିତ ହୋଇଛି । ଏକଦା ପଏଣ୍ଟ ତାଲିକାର ଶୀର୍ଷରେ ରହିଥିବା ରାଜସ୍ଥାନ ଏବେ ତୃତୀୟ ସ୍ଥାନରେ ରହିଛି । ଲକ୍ଷ୍ନୌ ପ୍ରଦର୍ଶନରେ ଉତ୍ଥାନ ପତନ ଲାଗି ରହିଛି । ପ୍ରଥମ ମ୍ୟାଚ ପରାଜିତ ହେବା ପରେ ଲକ୍ଷ୍ନୌ କ୍ରମାନ୍ୱୟରେ ୨ଟି ମ୍ୟାଚ ଜିତିଥିଲା । ମାତ୍ର ଏହାପରେ ଦଳ ୩ଟି ମ୍ୟାଚ ହାରି ସାରି ପଏଣ୍ଟ ତାଲିକାର ନବମ ସ୍ଥାନରେ ରହିଛି । ଆଜି ରାଜସ୍ଥାନ ଜିତିଲେ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନ ଦଖଲ କରିବ । ଲକ୍ଷ୍ନୌ ଜିତିଲେ ସପ୍ତମ ସ୍ଥାନରେ ପହଞ୍ଚିବ । ଉଭୟ ଦଳର ବ୍ୟାଟିଂ ବିଭାଗ ଶକ୍ତିଶାଳୀ ରହିଥିଲେ ହେଁ ଫର୍ମ ହାନୀ ଚିନ୍ତାର କାରଣ ସାଜିଛି ।
ଲକ୍ଷ୍ନୌ ଦଳର ମିଚେଲ ମାର୍ଶ, ରିଷଭ ପନ୍ତ, ଆଡେନ ମାରକ୍ରମ ଓ ନିକୋଲାସ ପୂରନ ଏପର୍ଯ୍ୟନ୍ତ ଫର୍ମ ଫେରି ପାଇ ନାହାନ୍ତି । ରାଜସ୍ଥାନ ଦଳର ୩ ପ୍ରାଥମିକ ବ୍ୟାଟର ଯଶସ୍ୱୀ ଜୈସ୍ୱାଲ୍, ବୈଭବ ସୂର୍ଯ୍ୟବଂଶୀ ଓ ଧ୍ରୁବ ଜୁରେଲ ୭୧% ରନ୍ ସଂଗ୍ରହ କରିଛନ୍ତି । ମାତ୍ର ବାକି ମଧ୍ୟ କ୍ରମ ଫେଲ ମାରିଛି । ଆଜି ବୈଭବ ଓ ମହମ୍ମଦ ସାମିଙ୍କ ମଧ୍ୟରେ ଏକ ଲଢ଼େଇ ଦେଖିବାକୁ ମିଳିପାରେ । ବୈଭବ ପୂର୍ବରୁ ଯଶପ୍ରୀତ ବୁମରା, ଜୋସ ହାଜେଲଉଡଙ୍କ ଭଳି ବିଶ୍ୱର ଶ୍ରେଷ୍ଠ ବୋଲରଙ୍କୁ ନିର୍ମମ ପ୍ରହାର କରିଛନ୍ତି । ଆଜି ସାମିଙ୍କ ବିପକ୍ଷରେ ତାଙ୍କ ପ୍ରଦର୍ଶନ ଦେଖିବାକୁ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିବେ । ଲକ୍ଷ୍ନୌ ଦଳରେ ପରିବର୍ତ୍ତନ ହୋଇପାରେ । ଫର୍ମରେ ନଥିବା ପୂରନଙ୍କ ସ୍ଥାନରେ ମାଥ୍ୟୁ ବ୍ରିଜକୀଙ୍କୁ ଖେଳିବାକୁ ସୁଯୋଗ ମିଳିପାରେ । ସେହିପରି ଏମ ସିଦ୍ଧାର୍ଥଙ୍କ ସ୍ଥାନରେ ସାହବାଜ ଅହମ୍ମଦ ମଧ୍ୟ ଖେଳିବା ସମ୍ଭାବନା ରହିଛି । ରାଜସ୍ଥାନ ମଧ୍ୟ ବ୍ରିଜେଶ ଶର୍ମାଙ୍କୁ ବାଦ ଦେଇ ସନ୍ଦିପ ଶର୍ମାଙ୍କୁ ଏକାଦଶକୁ ଫେରାଇ ଆଣିବା ଆଶା କରାଯାଉଛି । ଆସନ୍ତା କାଲିର ମ୍ୟାଚ ପାଇଁ ଏକ ନାଲି ମାଟିର ପିଚ୍ ପ୍ରସ୍ତୁତ କରାଯାଉଛି ।