ଭୁବନେଶ୍ୱର, ୨।୩: ମାର୍ଚ୍ଚ ୩ତାରିଖ ଅର୍ଥାତ୍ ମଙ୍ଗଳବାର ଦୋଳ ପୂର୍ଣ୍ଣିମା ଦିନ ଲାଗୁଛି ଚନ୍ଦ୍ରଗ୍ରହଣ । ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି । ଭାରତୀୟ ସମୟ ଦିନ ୨ଟା ୧୪ମିନିଟରେ ଏହି ଚନ୍ଦ୍ର ଗ୍ରହଣ ଆରମ୍ଭ ହେବ । ଯେତେବେଳେ ଚନ୍ଦ୍ର ପୃଥିବୀର ଉପଛାୟାରେ ପ୍ରବେଶ କରିବ ସେତେବେଳେ ଦିନ ୩ଟା ୨୦ମିନିଟ ସମୟ ହେଇଥିବ । କିନ୍ତୁ ଏଥିପାଇଁ ସକାଳ ୬ଟା ୨୦ରୁ ଘାତ ସମୟ ଆରମ୍ଭ ହେବ ବୋଲି ପାଞ୍ଜିରେ ଲେଖା ହୋଇଛି । ଏହି ସମୟରୁ ପାକ ନିଷେଧ ହେବା ସହ ଦେବନୀତି ବି ବନ୍ଦ ରହିବ । ଆଂଶିକ ଗ୍ରହଣ ଦିନ ୩ଟା ୨୦ମିନିଟରେ ଆରମ୍ଭ ହୋଇ ପୂର୍ଣ୍ଣଚନ୍ଦ୍ର ଗ୍ରହଣ ଅପରାହ୍ନ ୪ଟା ୩୪ରୁ ୫ଟା ୩୨ ମନିଟ ଯାଏଁ ଘଟିବ । ଆଂଶିକ ଗ୍ରହଣ ସନ୍ଧ୍ୟା ୬ଟା ୪୭ରେ ଶେଷ ହେବ । ସେଥିପାଇଁ ଏହି ଚନ୍ଦ୍ର ଗ୍ରହଣ ଓଡ଼ିଶାରେ ସନ୍ଧ୍ୟା ୬ଟାରୁ ସନ୍ଧ୍ୟା ୬ଟା ୪୭ ଯାଏ ମାତ୍ର ଆଂଶିକ ଗ୍ରହଣ ଭାବେ ଦେଖାଯିବ ।
ଏହା ବି ପଢ଼ନ୍ତୁ... ୫ ହଜାର ସୁରକ୍ଷିତ ପ୍ରସବ କରାଇ ଇତିହାସ ରଚିଲେ, ଅନ୍ଧବିଶ୍ୱାସ ଅନ୍ଧାରରେ ସାଜିଲେ ଆଲୋକ
୨୦୨୬ରେ ୨ଟି ଚନ୍ଦ୍ର ଗ୍ରହଣ ଓ ଦୁଇଟି ସୂର୍ଯ୍ୟ ପରାଗ ଦେଖାଯିବ । ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜଗତିକ ଦୃଶ୍ୟ ଯାହାକୁ ଖାଲି ଆଖିରେ ସହଜରେ ଦେଖିହେବ । ଏହାର କୌଣସି ପ୍ରଭାବ ଆମ ଉପରେ ତଥା ପୃଥିବୀ ଉପରେ ନାହିଁ । ଜନ ବିଜ୍ଞାନୀ ଡ.ଶୁଭେନ୍ଦୁ ପଟ୍ଟନାୟକ କହନ୍ତି, ଚନ୍ଦ୍ରଗ୍ରହଣ କେବଳ ପୂର୍ଣ୍ଣିମା ତିଥିରେ ପଡ଼ିଥାଏ । ପୃଥିବୀର ଦୁଇ ପ୍ରକାରର ଛାଇ ରହିଛି । ପ୍ରଥମଟି ଉପଛାୟା ଏକ ଫିକା କଳା ଛାଇ ଯାହା ଖାଲି ଆଖିରେ ଦେଖିବା କଷ୍ଟକର ଓ ଦ୍ୱିତୀୟ ଛାୟା ଯାହା ଏକ ଗାଢ଼ା କଳା ରଙ୍ଗର ଛାଇ ଓ ଖାଲି ଆଖିରେ ପରିଷ୍କାର ଦେଖିହୁଏ ।