କୋରାପୁଟ, ୨।୩: ଆଶା କର୍ମୀରୁ ସରପଞ୍ଚ । ସରପଞ୍ଚରୁ ଉଦ୍ୟୋଗୀ । ସମାଜରୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂର କରିବାରେ ପ୍ରମୁଖ ଭୂମିକା । ଦୀର୍ଘ ୨୩ ବର୍ଷ ଭିତରେ ୫ ହଜାରରୁ ଅଧିକ ମହିଳାଙ୍କୁ ଡାକ୍ତରଖାନା ନେଇ କରାଇଛନ୍ତି ସୁରକ୍ଷିତ ପ୍ରସବ । ନିଜ ଗାଁ ସହ ଆଖପାଖ ଅଞ୍ଚଳର କୌଣସି ଜଣେ ହେଲେ ଗର୍ଭବତୀଙ୍କୁ ପ୍ରସବ ସମୟରେ ମରିବାକୁ ଦେଇନାହାନ୍ତି । ଜଣେ ଉଦ୍ୟୋଗୀ ହିସାବରେ ଅନେକ ମହିଳାଙ୍କୁ ସ୍ୱାବଲମ୍ବୀ କରାଇଛନ୍ତି । ଏଭଳି ଜଣେ ମହିଳା ହେଲେ କୋରାପୁଟ ସଦର ବ୍ଲକ ବଡ଼କେରଙ୍ଗାର ପୂର୍ବତନ ସରପଞ୍ଚ ୪୩ ବର୍ଷୀୟ ଚନ୍ଦ୍ରମଣି ଜାନୀ । ସେଭଳି କୌଣସି ଚର୍ଚ୍ଚିତ ଚେହେରା ନୁହନ୍ତି ଚନ୍ଦ୍ରମଣି । ଅଥଚ ନିଜ କର୍ମ ପାଇଁ ସବୁବେଳେ ରହିଆସିଛନ୍ତି ଚର୍ଚ୍ଚାରେ । ଯେଉଁ ସମୟରେ କୋରାପୁଟ ଭଳି ପଛୁଆ ଜିଲ୍ଲାର ଗାଁ ଗହଳିରେ ଅନ୍ଧବିଶ୍ୱାସ ଓ କୁପ୍ରଥା ଭରି ରହିଥିଲା, ସେତେବେଳେ ସମାଜରେ ପରିବର୍ତ୍ତନ ଆଣିବାରେ ସକ୍ରିୟ ଭୂମିକା ନେଇଥିଲେ ଚନ୍ଦ୍ରମଣି । ଶିକ୍ଷାଗତ ଯୋଗ୍ୟତା ମାତ୍ର ସପ୍ତମ । ତାଙ୍କୁ ଯେତେବେଳେ ୧୫ ବର୍ଷ ହୋଇଥିଲା, ସେହି ସମୟରେ ପ୍ରସବ ସମୟରେ ପ୍ରଚୁର ରକ୍ତସ୍ରାବ ଯୋଗୁ ତାଙ୍କ ମାଆଙ୍କ ମୃତ୍ୟୁ ହୋଇଯାଇଥିଲା । ସେତେବେଳେ ସେ ନିଷ୍ପତ୍ତି ନେଇଥିଲେ, ତାଙ୍କ ଆଖି ଆଗରେ ନିଜ ଅଞ୍ଚଳର ଆଉ କୌଣସି ମହିଳାଙ୍କୁ ଏଭଳି ଅବସ୍ଥାରେ ମରିବାକୁ ଦେବେନି ।
ଏହା ବି ପଢ଼ନ୍ତୁ... ଶ୍ରଦ୍ଧା ଅଛି, ସମ୍ମାନ ନାହିଁ ! ପାରିକୁଦ ଆରାଧ୍ୟ ଦେବତାଙ୍କୁ ନେଇ ଟଣାଓଟରା: ପ୍ରଶାସନିକ ଚାପରେ ଚେପା ହୋଇଛି କି ଭକ୍ତି ?
ମାଆଙ୍କ ମୃତ୍ୟୁ ପରେ ପରିବାରର ୨ ଭାଇ ଓ ଅନ୍ୟ ଜଣେ ଭଉଣୀର ସବୁ ଦାୟିତ୍ୱ ତୁଲାଇଥିଲେ ଚନ୍ଦ୍ରମଣି । ଅବିବାହିତ ରହି ନିଜ ଭାଇଭଉଣୀଙ୍କୁ ବଡ଼ କରିଥିଲେ । ମାଆଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟଣା ସବୁବେଳେ ତାଙ୍କ ମନକୁ ଆନ୍ଦୋଳିତ କରୁଥିଲା । ସମାଜରେ ରହିଥିବା ଅନ୍ଧବିଶ୍ୱାସ ଦୂର କରିବାକୁ ଲାଗି ପଡ଼ିଥିଲେ । ବାସ୍ ତା ପରଠୁ ଆଉ ପଛକୁ ହଟି ନ ଥିଲେ । ୨୦୦୬ ମସିହାରେ ଯେତେବେଳେ ତାଙ୍କ ବୟସ ୨୦ ହୋଇଥିଲା, ନିଜ ଗାଁ ସମେତ ଅନ୍ୟ ୭ ଖଣ୍ଡ ଗାଁର ଆଶାକର୍ମୀ ଭାବେ ନିଯୁକ୍ତି ପାଇଥିଲେ । ଚନ୍ଦ୍ରମଣି କହିଛନ୍ତି, ସେହି ସମୟରେ ଆଦିବାସୀବହୁଳ ଅଧିକାଂଶ ଅଞ୍ଚଳରେ ଗର୍ଭବତୀମାନଙ୍କୁ ପ୍ରସବ ପାଇଁ ଡାକ୍ତରଖାନା ନିଆଯାଉନଥିଲା । ପରିବାର ଲୋକଙ୍କ ମନରେ ଗୋଟିଏ ଭୟ ରହିଥିଲା ଯେ, ଡାକ୍ତରଖାନା ଗଲେ ଗର୍ଭବତୀ ମରିଯିବ ଏବଂ ନବଜାତକୁ କୁଆଡ଼େ ବିକି ଦିଆଯିବ । ସେଥିଲାଗି ଗାଁର ଧାଇ ଥିଲେ ସର୍ବେସର୍ବା । ତାଙ୍କୁ(ଧାଇଙ୍କୁ) ଘରକୁ ଡାକି କୁକୁଡ଼ା ପୂଜା କରିବା ସହ ଖାଇବାକୁ ଦେଉଥିଲେ ଏବଂ ସେ ପ୍ରସବ କରାଉଥିଲେ । ରକ୍ତହୀନତା ଓ ଅନ୍ୟାନ୍ୟ କାରଣରୁ ମାତୃ ଓ ଶିଶୁ ମୃତ୍ୟୁହାର ବଢ଼ୁଥିଲା । ସେତେବେଳେ ଗୃହ ପ୍ରସବ ବନ୍ଦ କରି ଡାକ୍ତରଖାନାକୁ ପ୍ରସବ ପାଇଁ ନେବା ଥିଲା ଏକ ବିରାଟ ଚାଲେଞ୍ଜ । ତଥାପି ସେ ଉଦ୍ୟମ ଜାରି ରଖିଥିଲେ ।
ଉକ୍ତ ଧାଇଙ୍କୁ ପ୍ରଥମେ ଗର୍ଭବତୀଙ୍କ ଘରକୁ ନେଉଥିଲେ । ପରିବାର ଲୋକଙ୍କୁ ବୁଝାଇ କୁକୁଡ଼ା ପୂଜା କରିବା ପରେ ନିଜେ ଖର୍ଚ୍ଚରେ ଡାକ୍ତରଖାନା ନେବାରେ ଧୀରେଧୀରେ ସଫଳ ହେଲେ । ଗତ ୨୦ ବର୍ଷ ଭିତରେ ଆଖପାଖ ଗାଁର କେହି ଜଣେ ହେଲେ ମହିଳାଙ୍କୁ ଘରେ ପ୍ରସବ କରାଇ ଦେଇନାହାନ୍ତି । ଏ ଭିତରେ ୫ ହଜାରରୁ ଅଧିକ ମହିଳାଙ୍କୁ ଡାକ୍ତରଖାନା ନେଇ ସୁରକ୍ଷିତ ପ୍ରସବ କରାଇଛନ୍ତି । ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ସରପଞ୍ଚ ନିର୍ବାଚିତ ହୋଇଥିଲେ ଚନ୍ଦ୍ରମଣି । ସେହି ସମୟରେ ପଞ୍ଚାୟତକୁ ସ୍ୱଚ୍ଛ ରଖିବା ଏବଂ ଗାଁଗୁଡ଼ିକୁ ବାହ୍ୟମଳମୁକ୍ତ କରିବାରେ ବେଶ୍ ସଫଳ ହୋଇଥିଲେ । ସ୍ୱଚ୍ଛତାକୁ ନେଇ ଜିଲ୍ଲା, ରାଜ୍ୟ ଓ ଜାତୀୟସ୍ତରରେ ପୁରସ୍କୃତ ହୋଇଥିଲେ । କେବଳ ସେତିକି ନୁହେଁ, ନିଜ ଅଞ୍ଚଳରେ ଡ୍ରପ୍ଆଉଟ୍ ହ୍ରାସ କରିବାରେ ବି ପ୍ରମୁଖ ଭୂମିକା ନେଇଥିଲେ ଚନ୍ଦ୍ରମଣି । ସରପଞ୍ଚ ପରେ ଏବେ ବି ଆଶାକର୍ମୀ ଭାବେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ବର୍ଷତମାମ ନିଜେ ଡଙ୍ଗରୀ ଓ ପାଳ ଛତୁ ଚାଷ କରୁଛନ୍ତି । ତା’ ସହିତ ଏକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ କୁକୁଡ଼ା ଚାଷ ବି କରୁଛନ୍ତି । ଏଥିରେ ୫ ଜଣ ମହିଳାଙ୍କୁ ନିୟୋଜିତ କରିଛନ୍ତି । ନିଜ ଉତ୍ପାଦିତ ଛତୁକୁ କୌଣସି ବେପାରୀଙ୍କୁ ବିକନ୍ତି ନାହିଁ । କେତେକ ବୟସ୍କ ମହିଳାଙ୍କ ଦ୍ୱାରା ଆଖପାଖ ଅଞ୍ଚଳରେ ବିକ୍ରି କରାଇଥାନ୍ତି । ସେମାନେ ଏହାକୁ ବିକି ଦି’ ପଇସା ଲାଭ ପାଉଥିବାବେଳେ ବଳକା ପଇସା ଚନ୍ଦ୍ରମଣିଙ୍କୁ ଦେଇଥାନ୍ତି । ବାସ୍ତବରେ ଚନ୍ଦ୍ରମଣି ଅନ୍ୟ ମହିଳାମାନଙ୍କ ପାଇଁ ଆଦର୍ଶ ।