କୋକସରା,୧୧/୭ : କୃଷି ଓ କୃଷକ ହେଉଛନ୍ତି ମା’ ମାଟିର ଆଶ୍ରିତ, ମାଟି ଓ କୃଷକର ସମ୍ପର୍କ ପରମ୍ପରାରେ ରହିଛି ଅନେକ ପର୍ବ ପର୍ବାଣୀ । ତା’ ମଧ୍ୟରେ ଅନ୍ୟତମ ହେଉଛି କୋକସରା ବ୍ଲକ ଟେମରା ଗ୍ରାମଠାରେ ପ୍ରତି ବର୍ଷ ପାଳନ ହେଉଥିବା ମା’ ବସ୍ତରେନ ମାଉଳିଙ୍କ ଆଷାଢ଼ କେନା ମଣ୍ଡେଇ ଯାତ୍ରା। ଏହି ଆଷାଢ଼ କେନା ମଣ୍ଡେଇ ଯାତ୍ରା ବାହୁଡା ଯାତ୍ରାର ପରବର୍ତ୍ତୀ ଶୁକ୍ରବାର ପ୍ରତିବର୍ଷ ପାଳନ ହେଉଥିବାବେଳେ ମାନ୍ୟତା ଅଛି ଯେ ଏହି ଆଷାଢ଼ କେନା ଯାତ୍ରା ସରିଲେ ଏହି ଅଞ୍ଚଳର ଚାଷୀମାନେ ଧାନ ବେଉଷଣ ଓ ଧାନ ରୁଆ ମୂଳ କରନ୍ତି । ଟେମରା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ବସ୍ତରେନ ମାଉଳି, ତାଙ୍କ ଛାତ୍ରଛାୟା ତଳେ ଗ୍ରାମବାସୀମାନେ ସୁଖ ଓ ଶାନ୍ତିରେ ବସବାସ କରି ଆସୁଥିବାବେଳେ ଏହି ଯାତ୍ରା ମା’ଙ୍କ ପାଇଁ ସମର୍ପିତ ରହିଛି।
ଲୋକଶୃତି ଅନୁସାରେ ଦେବୀ ବସ୍ତରେନଙ୍କ ଆଦିପୀଠ ଛତିଶଗଡ଼ ଦନ୍ତେୱ।ଡା ହୋଇଥିବାବେଳେ ପୂର୍ବ କାଳରେ ନାଗବଂଶୀ ରାଜୁତି ସମୟରେ ନାଗବଂଶୀ ରାଣି ଦେବୀ ଏଠାରେ ସତୀ ହୋଇଥିଲେ। ତାଙ୍କର ଗୋଟିଏ ସତୀ ଚଉଁରା ଥିଲା, ସେହି ଚଉଁରା ଉପରେ ଦେବୀ ବସ୍ତରେନ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରା ଯାଇଥିବା ଜନଶ୍ରୁତି ରୁ ଜଣାପଡେ। ଆଷାଢ଼ କେନା ମଣ୍ଡେଇ ଯାତ୍ରା ଦିନ ମା ବସ୍ତରେନ ମାଉଳିଙ୍କ ପୀଠ ଚଳ ଚଞ୍ଚଳ ହୋଇପଡେ। ପ୍ରଭୁ ବୁଢ଼ାରଜାଙ୍କ ଲାଠି କୁର୍ସି ସମେତ ଅନ୍ୟ ଦେବାଦେବୀଙ୍କ ଲାଠି କୁର୍ସି ଗ୍ରାମର ପୂଜକ ଚିତ୍ରସେନ ପୁଝାରି ଓ ଗୌନ୍ତିଆ ଘରକୁ ଆସିଥାଏ । ସେଠି ବିଧି ମୁତାବକ ସ୍ୱାଗତ ଓ ଯଥାମାନ୍ୟ ପ୍ରଦାନ ପରେ ଏକତ୍ରିତ ଲାଠି କୁର୍ସି ମନ୍ଦିର ଅଭିମୁଖେ ବାହାରିଥାନ୍ତି । ପୂଜକ ପୂର୍ବ ରୀତିନୀତିରେ ମା’ଙ୍କ ପୂଜାର୍ଚ୍ଚନା କରିବା ପରେ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରି ପରିବାର ପାଇଁ ମଙ୍ଗଳକାମନା କରିଥାନ୍ତି। ଏକତ୍ରିତ ଦେବାଦେବୀଙ୍କ ଲାଠି କୁର୍ସି ମଣ୍ଡେଇ ପଡିଆକୁ ତିନି ଥର ପରିକ୍ରମା କରିବା ସମୟରେ ଶ୍ରଦ୍ଧାଳୁମାନେ ଆଶ୍ରିବାଦ ଭିକ୍ଷା କରନ୍ତି । ଲାଠିଯାତ୍ରାରେ ସାମିଲ ହୋଇଥିବା ଦେବାଦେବୀଙ୍କ କାଳିସିମାନେ ହାତରେ ଥିବା ବିନ୍ତି ଚାଉଳ ଫିଙ୍ଗି ଶ୍ରଦ୍ଧାଳୁ ଙ୍କୁ ଆଶ୍ରିବାଦ ପ୍ରଦାନ କରିଥାନ୍ତି। ପରିଶେଷରେ ଦେବାଦେବୀ ଙ୍କ କାଲିସି ମାନେ ଲୁହା ର କଣ୍ଟା ଦୋଳି ରେ ଝୁଲିବା ଦୃଶ୍ୟ ଦେଖିବା ପାଇଁ ହଜାର ହଜାର ଲୋକ ରୁଣ୍ଡ ହୋଇ ଏହି ଦୃଶ୍ୟ କୁ ଉପଭୋଗ କରିବା ସହ ଦେବାଦେବୀ ଙ୍କ ପ୍ରତି ଥିବା ଆସ୍ଥା ଓ ବିଶ୍ୱାସ ପ୍ରକଟ କରନ୍ତି। ପରେ ମା’ବସ୍ତରେନ ମାଉଳିଙ୍କ ପୀଠରେ ମାନସିକ ଧାରୀ ମାନେ ଶୁକ୍ଳ ଭୋଗ ସହ ବୋଦା,ପାରା,କୁକୁଡ଼ା ବଳି ଉତ୍ସର୍ଗ କରିଥିଲେ।
ଗ୍ରାମ୍ୟ ପୂଜା କମିଟି ପକ୍ଷରୁ ସଭାପତି ପଦ୍ମଲୋଚନ ଦଳପତି,ଟେମରା ସରପଞ୍ଚ କ୍ଷିତିରାମ ପାତ୍ର, ସମ୍ପାଦକ ମହାଦେବ ବେଶ୍ରା, ଗୌନ୍ତିଆ ଚୁମନ ପାତ୍ର, ସୁଧୀର କୁମାର ପାତ୍ର,ରାଜେନ୍ଦ୍ର ନାଏକ, ପ୍ରଶାନ୍ତ ସାହୁ, ଅଶୋକ କୁମାର ଦାସ, ଚକାଡୋଳା ପାତ୍ର, ହେମନ୍ତ ବାଣୁଆ, କ୍ଷୀରସିନ୍ଧୁ ହଂସ, ଯୋଗା ନାଏକ, ରଞ୍ଜନ ପାଣିଗ୍ରାହୀ, ଦୁଷ୍ମନ୍ତ ପାତ୍ର,ମିନିକେତନ ସାହୁ,କାଳି ପୁଝାରି, ପରମେଶ୍ବର ପୁଝାରି, କ୍ଷିତିରାମ ପଟେଲ, ଲମ୍ବୁଧର ମାଝୀ, ସୁଦାନ ମାଝୀ, ଡମ୍ବରୁ ଧର ହଂସ ଓ ଅନ୍ୟ ଗ୍ରାମବାସୀମାନେ ଆଷାଢ଼ କେନା ମଣ୍ଡେଇ ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ।