ଭୁବନେଶ୍ୱର,୦୬/୧୦: ପାର୍ବଣର ବଡ଼ପର୍ବ ଦୁର୍ଗାପୂଜା ଶେଷ ହୋଇଛି । ଜଗତ୍ଜନନୀଙ୍କ ମେଲାଣି ପରେ ଧରାପୃଷ୍ଠକୁ ଆସୁଛନ୍ତି ଧନଦାତ୍ରୀ ମା’ ଗଜଲକ୍ଷ୍ମୀ । ଏଥିପାଇଁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅନୁଷ୍ଠାନ, କ୍ଲବ, ବାଣିଜ୍ୟିକ ପ୍ରତିଷ୍ଠାନ ତରଫରୁ ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ବ୍ୟାପକ ପ୍ରସ୍ତୁତି ସରିଛି । ଆଜିଠୁ ଗଜଲକ୍ଷ୍ମୀ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ । ସେଥିପାଇଁ ରଙ୍ଗିନ ଆଲୋକମାଳା ଓ ତୋରଣରେ ପୂଜା ମଣ୍ଡପ ଝଲସୁଛି ।
ୟୁନିଟ-୬ ଗଙ୍ଗନଗରର ସମ୍ରାଟ କ୍ଲବ ଏଥର ୩୫ତମ ଗଜଲକ୍ଷ୍ମୀ ପୂଜା ଆୟୋଜନ କରୁଛି । ଏହା ରାଜଧାନୀର ଅନ୍ୟତମ ପୁରୁଣା ପୂଜା ବୋଲି କୁହାଯାଏ । ସୋମବାର ସକାଳେ ଅଧିବାସ, କଳସଯାତ୍ରା ସହ ମା’ଙ୍କ ଆବାହନ କରାଯିବ । ୧୧ ତାରିଖ ପର୍ଯ୍ୟନ୍ତ ମା’ଙ୍କ ପାଖରେ ସୂର୍ଯ୍ୟପୂଜା, ଚଣ୍ଡୀପାଠ, ସୁକ୍ତପାଠ ସହ ହୋମଯଜ୍ଞ ଆୟୋଜିତ ହେବ । ପ୍ରତ୍ୟେକ ଦିନ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବଣ୍ଟନ କରାଯିବା ସହ କମିଟି ପକ୍ଷରୁ ଦୀପ ଦିଆଯିବ ।
ସେହିପରି କଳସଯାତ୍ରାରୁ ପୂଣ୍ଣାହୁତି ପର୍ଯ୍ୟନ୍ତ ପୂଜାରେ ଆଖପାଖ ଅଞ୍ଚଳର ସମସ୍ତ ମହିଳା ଯୋଗଦେବେ । ୭ରୁ ୧୨ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ରାତିରେ ଭଜନ ସଂଧ୍ୟା, ନୃତ୍ୟ, ମେଲୋଡି ନାଇଟ୍ ଅନୁଷ୍ଠିତ ହେବ । ୧୨ ତାରିଖରେ ବିସର୍ଜନ ପୂଜା ସହ ସହିଦନଗରରେ ଏକାଠି ହୋଇ ଭସାଣି ଉତ୍ସବ କରାଯିବ ବୋଲି କ୍ଲବର ମାନସ ରଞ୍ଜନ ରାୟମହାପାତ୍ର ସୂଚନା ଦେଇଛନ୍ତି ।
ୟୁନିଟ୍-୯ ବାୟାବାବା ଗଜଲକ୍ଷ୍ମୀ ପୂଜା ସମିତି ଏଥରକ ୧୬ ବର୍ଷରେ ପାଦ ଥାପିଛି। ସୋମବାର ସନ୍ଧ୍ୟାରେ ପୂଜା ବିଧି ଆରମ୍ଭ ହେବ। କଳସଯାତ୍ରା ସହ ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କୁ ଆବାହନ କରାଯିବ। ପୂଜା କମିଟି ପକ୍ଷରୁ ପ୍ଲାଷ୍ଟି ବ୍ୟବହାରକୁ ବାରଣ କରାଯାଇଛି। ୧୧ ତାରିଖ ପର୍ଯ୍ୟନ୍ତ ମା’ଙ୍କ ପାଖରେ ସୂର୍ଯ୍ୟପୂଜା, ଚଣ୍ଡୀପାଠ, ସୁକ୍ତପାଠ ସହ ହୋମଯଜ୍ଞ ଆୟୋଜିତ ହେବ । ପ୍ରତ୍ୟେକ ଦିନ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବଣ୍ଟନ କରାଯିବା। ଭସାଣିରେ ଡିଜେ ବ୍ୟାନ୍ ଥିବାରୁ ପାରମ୍ପରିକ ବାଦ୍ୟ ସହ ସହିଦନଗରରେ ଏକାଠି ହୋଇ ମାଙ୍କୁ ମେଲାଣି ଦିଆଯିବ ବୋଲି ସଭାପତି ବିରଞ୍ଚିନାରାୟଣ ମହାପାତ୍ର ସୂଚନା ଦେଇଛନ୍ତି।
ୟୁନିଟ-୯ ଆନନ୍ଦବଜାର ସ୍ଥିତ ‘ଗଜଲକ୍ଷ୍ମୀ କଲଚରାଲ ଆସୋସିଏସନ୍’ ଏଥରକ ୪୧ ବର୍ଷରେ ପାଦ ଥାପିଛି । ସୋମବାର ସନ୍ଧ୍ୟା ୬ଟାରେ ପୂଜା ସହ ରାତି ୧୦ଟା ଭିତରେ ପୁଷ୍ପାଞ୍ଜଳି ଦିଆଯିବ ବୋଲି ଆସୋସିଏସନ ସଭାପତି ଚିନ୍ମୟ ମହାପାତ୍ର ସୂଚନା ଦେଇଛନ୍ତି । ଅପରପକ୍ଷେ, ସହିଦ ନଗର ଦୁର୍ଗାପୂଜା ସମିତି ପକ୍ଷରୁ ଧୁମଧାମରେ ଚଳିତ ବର୍ଷ ପୂଜା ଅନୁଷ୍ଠିତ ହେବ । ଏଥିପାଇଁ ରବିବାର ସନ୍ଧ୍ୟାରେ ପୂଜା କମିଟି ପକ୍ଷରୁ ଶେଷ ପ୍ରସ୍ତୁତି ବୈଠକ ବସିଥିଲା । ଏଥରକ କମିଟି ୧୫ତମ ପୂଜା ଆୟୋଜନ କରୁଛି । ଗତବର୍ଷ ଭଳି ଏବର୍ଷ ମଧ୍ୟ ଚାନ୍ଦି ମେଢ଼ରେ ମା’ ବିରାଜମାନ କରିବେ । ୧୧ ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ । ଏଥରକ ୫ଦିନ ଧରି ମଣ୍ଡପରେ ପ୍ରବଚନ ଆୟୋଜନ ହେବ। ପ୍ରଫେସର ସନ୍ତୋଷ କୁମାର ସାହୁ ପ୍ରବଚନ ଦେବେ ।
ଭିଏସ୍ଏସ୍ ନଗରରେ ଏଥରକ ୪୮ତମ ଗଜଲକ୍ଷ୍ମୀ ପୂଜା ପାଳନ କରାଯାଉଛି । ଏଠାରେ ସୋମବାର ପୂଜା ଓ ବୁଧବାର ଭସାଣି କରାଯିବ । ଦୁଇଦିନ ଧରି ଏଠାରେ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରିବେ । ଶୈଳଶ୍ରୀ ବିହାର ଏଲସି ବ୍ଲକ୍ ବିକାଶ ଓ ସାଂସ୍କୃତିକ ସଂଘ ଏବଂ ଏଲସି ବ୍ଲକ୍ ମହିଳା ବିକାଶ ସମିତି ପକ୍ଷରୁ ଷୋଡ଼ଶତମ ଗଜଲକ୍ଷ୍ମୀ ପୂଜା ଆୟୋଜିତ ହେବ । ସାତ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ସହ ୧୦ ହଜାର ଲୋକଙ୍କୁ ପ୍ରସାଦ ବଣ୍ଟନ କରାଯିବ ବୋଲି ସଭାପତି ବୀଣାପାଣି ମହାନ୍ତି, ସମ୍ପାଦକ ସୁଶୀଲ ପଣ୍ଡା କହିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ ଗଜଲକ୍ଷ୍ମୀ ପୂଜା କମିଟି ଓ ବ୍ୟବସାୟୀ ସଂଘ, ନୀଳାଦ୍ରି ବିହାର ଲକ୍ଷ୍ମୀ ବଜାର ସଂଘ, ୟୁନିଟ-୩ ଅଶୋକନଗର, ୟୁନିଟ-୬ ଗଙ୍ଗନଗର ବ୍ୟବସାୟୀ ସଂଘ, ବରମୁଣ୍ଡା ନୀଳକଣ୍ଠେଶ୍ୱର, ମଞ୍ଚେଶ୍ୱର ଭୋଟପଡ଼ା, ୟୁନିଟ-୩ ପିଏଚଡି କ୍ୟାମ୍ପସ୍ ପକ୍ଷରୁ ଜାକଜମକରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହେବ ।