ବଲାଙ୍ଗିର,୦୩/୧୦(ମୁକେଶ ବହିଦାର): ନିଜ  ସନ୍ତାନକୁ ସର୍ବସୁଖ ଦେଇ ମା’ଲାଳନପାଳନ  କରେ । ତା’ର ଦୋଷ ତ୍ରୁଟିକୁ ମାର୍ଜନାକରି ସମସ୍ତ ଆପଦରୁ ଉଦ୍ଧାର କରେ । ନିଜ  ସନ୍ତାନଙ୍କ ଭିତରେ ମା’କେବେ କ’ଣ ପ୍ରଭେଦ  କରେ? ମା’ ତ ସମସ୍ତଙ୍କ ପାଇଁ ସମାନ ।  କି ହିନ୍ଦୁ, କି ମୁସ୍‌ଲମାନ, ଅବା ଖ୍ରୀଷ୍ଟିୟାନ ।  ଧର୍ମର ଆଧାର ଯାହା ବି ଥାଉ, ବିଶ୍ୱାସ ଯାହା ବି  ହେଉ, ମା’ର କୌଣସି ବିକଳ୍ପ ନାହିଁ । ମା’ର  ସ୍ଥାନ କିଏ ଆଉ ନେଇପାରିବନି । ବଲାଙ୍ଗିର  ଜିଲ୍ଲା ତୁଷୁରା ସହର ରାଧାରାଣୀପଡ଼ା ନିବାସୀ  ଜବିଉଲ୍ଲା ମହମ୍ମଦ ପିଲାଦିନରୁ ଏଭଳି  ବିଶ୍ୱାସକୁ ମାନିଆସୁଛନ୍ତି । ସେ ଯାହାକୁ ମା’ ବୋଲି ମାନନ୍ତି, ସେ ହେଉଛନ୍ତି ଶକ୍ତିସ୍ୱରୂପା, ଜଗଜ୍ଜନନୀ ମା’ ସମଲେଇ । ଜାତି, ଧର୍ମ, ବାଦବିବାଦରୁ ଊଦ୍ଧ୍ୱର୍ରେ ରହି ମା’ଙ୍କ ଉପରେ  ଆସ୍ଥା ରଖିଛନ୍ତି । ବୃତ୍ତିରେ ଜଣେ ସାଇକେଲ  ମେକାନିକ୍‌ ଜବିଉଲ୍ଲାଙ୍କ ପରିବାରକୁ ସବୁ  ବିପଦ, ଆପଦରୁ ଉଦ୍ଧାର କରିଛନ୍ତି ମା’ ସମଲେଇ । ସମସ୍ତଙ୍କୁ ପଣତ ତଳେ ଢାଙ୍କି  ରଖିଛନ୍ତି ବୋଲି କୁହନ୍ତି ଜବିଉଲ୍ଲା । 

ଜବିଉଲ୍ଲାଙ୍କ କହିବାନୁସାରେ, ତୁଷୁରା  ସମଲେଇଙ୍କ ଉପରେ ତାଙ୍କର ଅଖଣ୍ଡ ବିଶ୍ୱାସ । ବର୍ତ୍ତମାନ ତାଙ୍କୁ ୫୪ ବର୍ଷ ।  ପିଲାଦିନରୁ ଉଚ୍ଚଶିକ୍ଷା ପାଇ ନ ପାରି ସେ  ଜଣେ ସାଇକେଲ ମେକାନିକ୍‌ ଭାବେ ବୃତ୍ତି  ଆରମ୍ଭ କରିଥିଲେ । ପ୍ରତିଦିନ ସାଇକେଲ,  ରିକ୍ସା ମରାମତି କରି ଗୁଜୁରାଣ ମେଣ୍ଟାଇଥାନ୍ତି ।  ପୂର୍ବରୁ ବସ୍‌ଷ୍ଟାଣ୍ଡ ମଝିରେ ତାଙ୍କର ସାଇକେଲ  ଦୋକାନ ଥିଲା । ୨୦୦୯ ମସିହାରେ ସହରର  ଉନ୍ନତୀକରଣ ପାଇଁ ଯେତେବେଳେ  ଦୋକାନ ଭାଙ୍ଗିଦିଆଗଲା, ସେ କିଛିଦିନ  ପାଇଁ ତାକୁ ବନ୍ଦ ରଖିଲେ । କେତେଜଣ  ଦୋକାନୀ ତାଙ୍କୁ ନିକଟରେ ଥିବା ସେମେଲ  (ସିମୁଳି) ଗଛ ତଳେ ଦୋକାନ କରିବାକୁ  କହିଥିଲେ । ପ୍ରଥମେ ସେ ଏହାକୁ ନେଇ  ସାମାନ୍ୟ ଦ୍ୱନ୍ଦ୍ୱରେ ଥିଲେ । ପରେ ସେଠାରେ ଦୋକାନଟିଏ କଲେ । ଯେହେତୁ ସେ ଗଛକୁ  ସମସ୍ତେ ସମଲେଶ୍ୱରୀଙ୍କ ଆସ୍ଥାନ ବୋଲି  ପୂଜା କରୁଥିଲେ ଏବଂ ଜବିଉଲ୍ଲାଙ୍କ ମଧ୍ୟ  ମା’ଙ୍କ ପ୍ରତି ବିଶ୍ୱାସ ଥିଲା ତେଣୁ ପ୍ରତିଦିନ  ସକାଳେ ସେ ଦୋକାନ ଖୋଲିବା ପୂର୍ବରୁ  ସେହି ଗଛକୁ ପୂଜାର୍ଚ୍ଚନା କରିଥାନ୍ତି । ଏଭଳି  ଭାବରେ ବିଗତ ୧୫ବର୍ଷ ହେଲା ସେଠାରେ  ଦୋକାନ କରି ରୀତିମତ ସେମେଲ ଗଛକୁ  ପୂଜା କରିଆସୁଛନ୍ତି । 

କେବଳ ଏତିକି ନୁହେଁ, ଜବିଉଲ୍ଲା  ପ୍ରତିବର୍ଷ ଆଶ୍ୱିନ ଏବଂ ଚୈତ୍ର ନବରାତ୍ର  ସମୟରେ ପଦ୍ମଫୁଲ ଆଣି ବିକିଥାନ୍ତି ।  ସେଥିପାଇଁ ସେ ତୁଷୁରା ସମେତ ରୁଷୁଡା,  ସିକୁଆଁ, ବାଲିଖମାର ଅଞ୍ଚଳରେ ଥିବା ବଡ଼ବଡ଼  ଜଳାଶୟଗୁଡିକରେ ନିଜେ ପଦ୍ମଫୁଲ ସଂଗ୍ରହ  କରିଥାନ୍ତି । ସଂଗୃହୀତ ଫୁଲରୁ ପ୍ରଥମେ କିଛି  ମା’ ସମଲେଶ୍ୱରୀଙ୍କଠାରେ ଲାଗି କରିବାପରେ  ବିକ୍ରିବଟା ଆରମ୍ଭ କରିଥାନ୍ତି । ଶ୍ରଦ୍ଧାଳୁମାନେ  ମଧ୍ୟ ତାଙ୍କଠାରୁ ପଦ୍ମଫୁଲ କିଣିଥାନ୍ତି । ପ୍ରତିବର୍ଷ  ନବରାତ୍ର ସମୟରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବା  ପାଇଁ ମା’ଙ୍କ ନଗର ଭ୍ରମଣ ବିଧି ହୁଏ । ସେହି  ସମୟରେ ଜବିଉଲ୍ଲାଙ୍କ ପରିବାର ପିଢ଼ା  ପକାଇ ମା’ଙ୍କ ଯଥାରୀତି ପୂଜା କରିଥାନ୍ତି ।  

ତେଣୁ ସମଲେଇଙ୍କ ପ୍ରତି କେବଳ ଜବିଉଲ୍ଲା ନୁହେଁ, ବରଂ ସ୍ତ୍ରୀ ସଲ୍‌ମା ବିବି, ଦୁଇଝିଅ,  ପୁଅ ସମସ୍ତଙ୍କ ଆସ୍ଥା ରହିଛି ବୋଲି ସେ  କହିଛନ୍ତି । ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ନବୀନ  ବନଛୋରଙ୍କ କହିବା ହେଲା, ଦୀର୍ଘବର୍ଷ ହେଲା  ସମଲେଇଙ୍କ ପ୍ରତି ଥିବା ଜବିଉଲ୍ଲାଙ୍କ ଭକ୍ତି  ସମ୍ପର୍କରେ ତୁଷୁରାର ସମସ୍ତେ ଜାଣିଛନ୍ତି ।  କେବଳ ଦୋକାନ ଖଣ୍ଡିଏ ସେଠି କରିଛନ୍ତି  ବୋଲି ନୁହେଁ, ବରଂ ସମଲେଶ୍ୱରୀଙ୍କ ପ୍ରତି  ତାଙ୍କର ବିଶ୍ୱାସ ରହିଥିବା ସମସ୍ତେ ଜାଣନ୍ତି ।