କଟକ, ୨୮/୦୪ : ସ୍ୱତନ୍ତ୍ର ଓଡ଼ିଶାର ପ୍ରାଣପ୍ରତିଷ୍ଠାତା ଉତ୍କଳ ଗୌରବ ମଧୁସୂଦନ ଦାସ ଓଡ଼ିଆ ଜାତି ଓ ଓଡ଼ିଶା ପ୍ରଦେଶର ସାମଗ୍ରିକ ବିକାଶର ସ୍ୱପ୍ନ ଦେଖୁଥିଲେ ସବୁବେଳେ । ସ୍ୱାବଲମ୍ବୀ ଓ ସମର୍ଥ ଓଡ଼ିଆ ଜାତି ନିର୍ମାଣ ପାଇଁ ସେ ସ୍ଥାନୀୟ ଶିଳ୍ପର ବିକାଶ ଉପରେ ଗୁରୁତ୍ୱ ଦେଉଥିଲେ । ଆଜକୁ ୧୩୦ବର୍ଷ ତଳେ ସ୍ୱଦେଶୀ କାରିଗରୀ କଥା ଚିନ୍ତା କରିଥିଲେ କୁଳବୃଦ୍ଧ ମଧୁବାବୁ । ଜନ୍ମ ତଥା କର୍ମକ୍ଷେତ୍ର କଟକରେ ‘ଉତ୍କଳ ଆର୍ଟ ୱାର୍କସ’ ଜରିଆରେ ଓଡ଼ିଶା ଶିଳ୍ପ ଭବିଷ୍ୟତର ମୂଳଦୂଆ ସ୍ଥାପନ କରିଥିଲେ । ଏମିତିକି ୧୯୦୫ରେ ପ୍ରତିଷ୍ଠିତ ଚମଡ଼ା ଓ ଜୋତା ଶିଳ୍ପ ‘ଉତ୍କଳ ଟ୍ୟାନେରୀ’ର ପ୍ରାୟ ଏକ ଦଶନ୍ଧି ପୂର୍ବରୁ ଓଡ଼ିଶାର ଶିଂଘ (ଶିଙ୍ଗ) ଶିଳ୍ପକୁ ନେଇ ସ୍ୱପ୍ନ ଦେଖିଥିଲେ ସେ । ସେହି ଶିଳ୍ପର ନାଁ ଦେଇଥିଲେ ‘ଉତ୍କଳ ଆର୍ଟ ୱାର୍କସ’ । 

ମଧୁବାବୁ ଶିଂଘ କାମର ପ୍ରଚାର ଓ ପ୍ରସାର ଦିଗରେ ଏକ ମହତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ । ଏହି ଶିଳ୍ପ ମୁଖ୍ୟତଃ ମଇଁଷି ଶିଂଘରୁ ତିଆରି ହେଉଥିଲା । ବିଭିନ୍ନ ସୌନ୍ଦର୍ଯ୍ୟପୂର୍ଣ୍ଣ ବସ୍ତୁ ଯେପରି ପାନିଆ, ଡେକୋରେଟିଭ୍‌ ସାମଗ୍ରୀ, ବାକ୍ସ, ଆଭୂଷଣ ଆଦି । ୧୮୯୭- ୯୮ ମସିହାରେ ଉତ୍କଳ ଆର୍ଟ ୱାର୍କସ ପ୍ରତିଷ୍ଠା କରି ଏହି ଶିଳ୍ପକୁ ଆଗେଇ ନେବାକୁ ମଧୁବାବୁ ଚେଷ୍ଟା କରିଥିଲେ । ଏହି କାରଖାନାରେ କଟକ ପ୍ରସିଦ୍ଧ ରୁପା ତାରକସି ସହିତ ସମାନ୍ତରାଳ ଭାବେ ଶିଂଘ କାମ, ଆଇଭରି (ଦାନ୍ତ), କାଠ କାରିଗରୀ ଆଦି ହସ୍ତଶିଳ୍ପର ନିର୍ମାଣ ଓ ପ୍ରଶିକ୍ଷଣ ଦିଆଯାଉଥିଲା । ଏହା କଟକର ପାରମ୍ପରିକ ଶିଂଘ ଶିଳ୍ପକୁ ସଂଗଠିତ ଓ ବ୍ୟବସାୟିକ ରୂପ ଦେବାରେ ସହାୟକ ହୋଇଥିଲା । କାରିଗରମାନଙ୍କୁ ପ୍ରତ୍ୟକ୍ଷ ସହାୟତା ଓ ତାଲିମ ଦେବା ପାଇଁ ତାଙ୍କ ଉଦ୍ୟମ ବେଶ୍‌ ପ୍ରଶଂସନୀୟ ଥିଲେ । ସେ ନିଜ ଘରେ କର୍ମଶାଳା ସ୍ଥାପନ କରି ଶିଂଘ ଓ ଅନ୍ୟାନ୍ୟ ହସ୍ତଶିଳ୍ପରେ କାରିଗରମାନଙ୍କୁ ଆଧୁନିକ ରୁଚି ଅନୁଯାୟୀ ତାଲିମ ଦେଇଥିଲେ । ପ୍ରାୟ ୧୫୦ ଜଣ କାରିଗର ଏଠାରେ କାମ କରୁଥିଲେ । କଞ୍ଚାମାଲ୍‌ କିଣିବା ପାଇଁ ମଧ୍ୟ ଆର୍ଥିକ ସହାୟତା ଦେଉଥିଲେ ମଧୁବାବୁ । ବିକ୍ରି ହେଉ ବା ନ ହେଉ ଦୈନିକ ବେତନ ପାଉଥିଲେ କାରିଗର । କଟକରୁ ପ୍ରସ୍ତୁତ ଶିଂଘ କାମ କୋଲାକାତା, ବମ୍ବେ ଭଳି ବଡ଼ବଡ଼ ସହରକୁ ରପ୍ତାନି ହେଉଥିବା ମଧ୍ୟ ଶୁଣାଯାଏ । ଏମିତିକି ଇଂଲଣ୍ଡ ମଧ୍ୟ କଟକ ଶିଂଘ ଶିଳ୍ପ ପରିଚୟ ହାସଲ କରିଥିଲା । 

ଲଣ୍ଡନ ଯାତ୍ରା ସମୟରେ ଓଡ଼ିଶାର ହସ୍ତଶିଳ୍ପ (ଶିଙ୍ଗ)ର ପ୍ରଦର୍ଶନୀ ଆୟୋଜନ କରି ଆନ୍ତର୍ଜାତୀୟ ସ୍ତରରେ ଏହି କାରିଗରୀର ପରିଚିତି ବଢ଼ାଇଥିଲେ ମଧୁସୂଦନ ଦାସ । ୧୯୦୨ ମସିହାରେ ବଙ୍ଗଳାର ଲେଫ୍ଟନାଣ୍ଟ ଗଭର୍ଣ୍ଣର ସାର୍‌ ଜନ୍‌ ଉଡବର୍ନ କଟକରେ ଥିବା କାରଖାନା ପରିଦର୍ଶନ କରିଥିଲେ । ଏହାର ଚମତ୍କାର କାରିଗରୀ ଦ୍ୱାରା ଅତ୍ୟନ୍ତ ପ୍ରଭାବିତ ହୋଇଥିଲେ । ଦୁର୍ଭାଗ୍ୟବଶତଃ, କାରଖାନା ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଥିଲା । ବିଭିନ୍ନ ଚାଲେଞ୍ଜ ଯୋଗୁଁ ଦୀର୍ଘକାଳ ତିଷ୍ଠି ପାରିନଥିଲା । ଆଜିର ସମୟରେ ଶିଂଘ ଶିଳ୍ପ କାମ ପାଇଁ ଓଡ଼ିଶାର ପାରଳାଖେମୁଣ୍ଡି ସାରା ବିଶ୍ୱରେ ପରିଚିତ । କିନ୍ତୁ କଟକରେ ଏହାର ଅସ୍ତିତ୍ୱ ନାହିଁ କହିଲେ ଚଳେ । ମଙ୍ଗଳାବାଗ୍‌ର ଗୋଟିଏ ପରିବାର କଟକରେ ଏହି ହସ୍ତକଳାକୁ ବଞ୍ଚାଇ ରଖିଥିବା ବେଳେ ଉତ୍କଳ ଆର୍ଟ ୱାର୍କସ୍‌ର କୌଣସି ଚିହ୍ନବର୍ଣ୍ଣ ନାହିଁ । ତେବେ ମଧୁସୂଦନଙ୍କ ସ୍ମୃତି ସହ ଜଡ଼ିତ ହାତଗଢା କାରଖାନାଗୁଡିକର ପୁନରୁଦ୍ଧାର କରିବା ତ’ ଦୂରର କଥା ସେଗୁଡିକ କେଉଁଠି ଥିଲା ଏବଂ ବର୍ତ୍ତମାନର ସ୍ଥିତି କ’ଣ ନା ସରକାର ନା ପ୍ରଶାସନ କେହି ଜାଣନ୍ତି ନାହିଁ । ତାଙ୍କ ବାବଦରେ ପ୍ରକାଶିତ କିଛି ପୁସ୍ତକ ଓ ଆଲେଖ୍ୟରେ ଏ ସବୁ କିଛି ତଥ୍ୟ ରହୁଥିବା ବେଳେ ଏହାର ବାସ୍ତବତା ପରଖି ସ୍ମୃତିକୁ ସାଇତି ରଖିବାକୁ ପ୍ରଶାସନର ଇଚ୍ଛାଶକ୍ତି କେବେ ଦେଖିବାକୁ ମିଳିନାହିଁ । ଏହା ହିଁ ମଧୁପ୍ରେମୀଙ୍କ ପାଇଁ ଦୁଃଖ ଓ ପରିତାପର ବିଷୟ ।

ଏହି ଖବରଟିକୁ ପଢନ୍ତୁAndhra B.Ed scam : ଜାଲ୍ ଚାକିରିଆଙ୍କ ପଡ଼ିଲାଣି ଭାଳେଣି... ପ୍ରମାଣପତ୍ର ଯାଞ୍ଚ ହେଲେ ଚାକିରି ଯିବା ଥୟ, ଗିରଫ ଭୟରେ ଉଡ଼ିଲାଣି ହଂସା