ଝାରସୁଗୁଡ଼ା, ୨୮/୦୪ : ଆନ୍ଧ୍ର ବିଏଡ୍ ସ୍କାମର ପର୍ଦ୍ଦାଫାଶ ପରେ ଜାଲ୍ ସାର୍ଟିଫିକେଟ ହାତେଇ ଚାକିରି କରିଥିବା ପ୍ରାର୍ଥୀଙ୍କ ଛାତି ଧଡ଼ଧଡ଼ ହେଲାଣି । ଭାଳେଣି ପଡ଼ିଛି କେତେବେଳେ ବି ଚାକିରି ଯାଇପାରେ । ଖାଲି ସେତିକି ନୁହେଁ ଏହି ମାମଲାରେ ଗିରଫ ହେବା ବି ନିଶ୍ଚିତ ଜାଣି ଅନେକଙ୍କ ହଂସା ଉଡ଼ିଲାଣି । ପୁଲିସ ତଦନ୍ତ ଚାଲିଥିବାରୁ ସେମାନେ ଏବେ ପ୍ରମାଦ ଗଣିବାକୁ ଲାଗିଛନ୍ତି । ଯାଞ୍ଚ ପୂର୍ବରୁ ଆଗତୁରା ଚାକିରି ଛାଡ଼ି ତଦନ୍ତ ପରିସରଭୁକ୍ତ ନ ହେବା ଉଦ୍ୟମରେ କେତେକ ମାତିଥିବା ସୂଚନା ମିଳିଛି । ଏଭଳି ସୂଚନା ଲଖନପୁର ବ୍ଲକ ଅଞ୍ଚଳରୁ ହସ୍ତଗତ ହୋଇଛି ।
ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରସ୍ଥିତ ରାମକୃଷ୍ଣ ବିଏଡ୍ କଲେଜ ଏବଂ ରାମକୃଷ୍ଣ ବିଏଡ୍ କଲେଜରେ ନାମ ଲେଖାଇ ସେମାନଙ୍କୁ ବିଏଡ୍ ପାସ ସାର୍ଟିଫିକେଟ ଦେବା ନାଁରେ ବୁର୍ଲାର ଦୁଇ ଅଭିଯୁକ୍ତ ଚିତ୍ତରଞ୍ଜନ ବାରିକ ଏବଂ ରୀମା ଦାସ ତିନିଶହରୁ ଅଧିକ ଆଶାୟୀଙ୍କୁ ଭୁଆଁ ବୁଲାଇ ବିପୁଳ ଅର୍ଥ ଆଦାୟ କରିଥିବା ଅଭିଯୋଗ ରହିଛି । ଅଧିକାଂଶ ଆଶାୟୀଙ୍କୁ ସେମାନେ ସାର୍ଟିଫିକେଟ ଦେଇ ନାହାନ୍ତି କି ଅର୍ଥ ବି ଫେରାଇ ନାହାନ୍ତି । ଅନ୍ୟପକ୍ଷରେ କିଛି ଆଶାୟୀଙ୍କୁ ଜାଲ୍ ସାର୍ଟିଫିକେଟ ଧରାଇ ଦେଇ ମୁହଁ ବନ୍ଦ କରିବା ପ୍ରୟାସ କରିଛନ୍ତି । ସେମାନଙ୍କ କଥାରେ ବିଶ୍ୱାସ ରଖି କେତେକ ପ୍ରାର୍ଥୀ ସିଟିଇଟି, ଓଏସ୍ଏସ୍ଟିଇଟି ଏବଂ ଓଟିଇଟି ପାଇଁ ବି ଆବେଦନ କରିଥିବା ସୂଚନା ରହିଛି । ଯେଉଁମାନେ ଆନ୍ଧ୍ର ବିଏଡ୍ ସାର୍ଟିଫିକେଟ ହାସଲ କରି ଚାକିରିରେ ରହିଛନ୍ତି ସେମାନେ ବି ଏହାର ବୈଧତା ନେଇ ଏବେ ସନ୍ଦେହରେ ପଡ଼ିଛନ୍ତି । ଯେଉଁଥିପାଇଁ ଭୟର ବାତାବରଣ ସୃଷ୍ଟି ହୋଇଛି । ଝାରସୁଗୁଡ଼ା ସାଇବର ଥାନାରେ ବ୍ରଜରାଜନଗର ଅଞ୍ଚଳର ଦୁଇ ଜଣ ଛାତ୍ରୀଙ୍କ ଅଭିଯୋଗ ଭିତ୍ତିରେ ମାମଲା ରୁଜୁ ସହ ଦୁଇ ଅଭିଯୁକ୍ତ ଚିତ୍ତରଞ୍ଜନ ଏବଂ ରୀମାଙ୍କୁ କୋର୍ଟ ଚାଲାଣ ପରେ ଏମାନଙ୍କ ଦ୍ୱାରା ପରିଚାଳିତ ୱାନ୍ ୱାର୍ଲଡ ଏକାଡେମୀ ମାଧ୍ୟମରେ ହାତେଇଥିବା ସାର୍ଟିଫିକେଟକୁ ନେଇ ତଦନ୍ତର ସମ୍ମୁଖୀନ ହେବା ସହ ପୁଲିସ୍ ଜାଲରେ ଛନ୍ଦି ହେବାର ଭୟରେ ବହୁ ପ୍ରାର୍ଥୀ ଏବେ ଆତଙ୍କିତ ରହିଛନ୍ତି ।
ଏସ୍ପି ଗୁଣ୍ଡଲା ରାଘବେନ୍ଦ୍ର ରେଡ୍ଡୀ ଏହି ଠକେଇ ନେଇ ତଦନ୍ତ ଅବ୍ୟାହତ ରହିବା ସହ ଏଥିରେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ଛଡ଼ା ଯିବ ନାହିଁ ବୋଲି କହି ସାରିଛନ୍ତି । ଏବେ ବହୁ ହାଇସ୍କୁଲ ଏବଂ ଇଂରାଜୀ ମାଧ୍ୟମ ଘରୋଇ ସ୍କୁଲ ଗୁଡ଼ିକରେ ଆନ୍ଧ୍ର ବିଏଡ୍ ସାର୍ଟିଫିକେଟରେ ବିଭିନ୍ନ ପଦବିରେ ନିଯୁକ୍ତି ପାଇ କେତେକ ଚାକିରି କରୁଛନ୍ତି । ସେମାନେ ଏହି ଘଟଣାର ପ୍ରଘଟ ପରେ ପ୍ରମାଦ ଗଣୁଛନ୍ତି । ଯେଉଁମାନେ ଆନ୍ଧ୍ର ବିଏଡ୍ ପାଇଁ ନାମ ଲେଖା ବାବଦକୁ ଫି' ଦାଖଲ କରିଛନ୍ତି ଏବଂ ନାଁ ଆଡମିସନ ହୋଇଛି ନାଁ ସାର୍ଟିଫିକେଟ ପାଇଛନ୍ତି ସେମାନେ ଦେଇଥିବା ଅର୍ଥ ଫେରି ପାଇବା ନେଇ ସନ୍ଦୀହାନ ଅଛନ୍ତି । ଏବେ ଅଭିଯୁକ୍ତ ଦ୍ୱୟ ଜେଲରେ ଥିବାରୁ ଏହି ଅର୍ଥ ଫେରି ପାଇବା ଆଶା ବି ସଂପୂର୍ଣ୍ଣ ମଉଳି ଯାଇଛି ।
ଏହି ଖବରଟିକୁ ପଢନ୍ତୁ-ବିକ୍ରି ହେଉଛି ଆନ୍ଧ୍ର ବିଏଡ୍ ସାର୍ଟିଫିକେଟ୍ ! ଟଙ୍କା ଦେଇ ଫସିଗଲେ ୩୦୦ ଆଶାୟୀ