ଗଡ଼ମଧୁପୁର, ୨୮/୧୧ : ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକରେ ଥିବା ମଧୁପୁରଗଡ଼ ଏକ ଐତିହାସିକ ରାଜାରାଜୁଡ଼ାଙ୍କ ଗଡ଼ । ପାଞ୍ଚଶହ ବର୍ଷର କୀର୍ତ୍ତି ବହନ କରୁଥିବା ଗଡ଼ମଧୁପୁର ରାଜପ୍ରାସାଦ ଆଜିବି ବହୁ ଐତିହ୍ୟର ମୂକସାକ୍ଷୀ । ଦିନେ ଏହା ରାଜାଙ୍କ ରାଜଧାନୀ ବା ଗଡ଼ ଭାବେ ପରିଚିତ ଥିଲା । ଏଠାରୁ ରାଜାଙ୍କ ଶାସନ ଚାଲୁଥିଲା । ମଧୁପୁରଗଡ଼ ପର୍ବତମାଳାର ପାଦଦେଶରେ କେଉଁ କାଳରୁ ଦଣ୍ଡାୟମାନ ହୋଇରହିଥିବା ରାଜପ୍ରାସାଦ ଏବଂ ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିରର ଶୋଭା ଅନେକଙ୍କ ମନକୁ ଆକୃଷ୍ଟ କରିଥାଏ । ମଧୁପୁରଗଡ଼ ପର୍ବତର ଚତୁଃପାର୍ଶ୍ୱରେ ଥିବା ପାର୍ଶ୍ୱ ଦେବତା ମନ୍ଦିରମାନଙ୍କ ମଧ୍ୟରୁ ପଞ୍ଚବଟୀରେ ଥିବା ପଞ୍ଚେଶ୍ୱରୀ ମନ୍ଦିର, ସୁନାମୁଖୀ ମନ୍ଦିର, ନୀଳକଣ୍ଠେଶ୍ୱର ମନ୍ଦିର, ଶିବମନ୍ଦିର, ଅଷ୍ଟଶମ୍ଭୁ ମନ୍ଦିର, ହନୁମାନ ମନ୍ଦିର, ମଙ୍ଗଳା ମନ୍ଦିର, ତାରିଣୀ ମନ୍ଦିର ଏବଂ ମୁନିବାବାଙ୍କ ଆଶ୍ରମ ଅତନ୍ତ୍ୟ ଶୋଭନୀୟ । ଗଡ଼ମଧୁପୁର ରାଜପ୍ରାସାଦରେ ଥିବା ଜଗନ୍ନାଥ ମନ୍ଦିର ପୁରୀ ଶ୍ରୀ ମନ୍ଦିର ଢାଞ୍ଚାରେ ନିର୍ମାଣ କରାଯାଇଥିବା ବେଳେ ସବୁ ନୀତିକାନ୍ତି ଓ ପର୍ବପର୍ବାଣୀ ମଧ୍ୟ ଶ୍ରୀମନ୍ଦିରର ନୀତିକାନ୍ତି ଆନୁଯାୟୀ ପାଳନ କରାଯାଏ ।
ଗଡ଼ମଧୁପୁର ଗ୍ରାମ ଏକ ପ୍ରାକୃତିକ ଓ ଐତିହ୍ୟ ସମ୍ପନ୍ନ ଅଞ୍ଚଳ । ଏହି ଗାଁ ପରିବେଶର ମନୋରମ ପ୍ରାକୃତିକ ପର୍ବତ ଶୋଭା ମଧ୍ୟରେ ଜଗନ୍ନାଥ ମନ୍ଦିର ପର୍ଯ୍ୟଟକଙ୍କୁ ଏଠାକୁ ଟାଣି ଆଣିଥାଏ । ଏହାଛଡ଼ା ଚତୁଃପାଶ୍ୱର୍ରେ ଥିବା ରାଜାଙ୍କ ଅମଳର କୋଇଲିଶ୍ୱର ପୁଷ୍କରିଣୀ, ରଙ୍ଗୀସାଗର, ଭାବଙ୍ଗ ପୁଷ୍କରିଣୀ ଏବଂ ଅରା ପୋଖରୀ ବୁଲି ଦେଖିବା ପାଇଁ ଖୋରାକ ଯୋଗାଇଥାଏ । ଚଣ୍ଡିଖୋଲ-ଡ଼ୁବୁରୀ ୫୩ନଂ ଜାତୀୟ ରାଜପଥର ବରଡ଼ା ଛକ ଠାରୁ ୨ କିଲୋମିଟର ଦୂରରେ ଏହି ଐତିହ୍ୟର ଗାଁ ଗଡ଼ମଧୁପୁର ରହିଛି । ଏଠାରେ ଦକ୍ଷିଣ-ପୂର୍ବତଟ ରେଳପଥର ନୂଆ ଗଡ଼ମଧୁପୁର ନାମରେ ଏକ ଷ୍ଟେସନ ରହିଛି । କିମ୍ବଦନ୍ତୀ ସମ୍ପନ୍ନ ଏହି ସ୍ଥାନକୁ ବିଭିନ୍ନ ସମୟରେ ପର୍ଯ୍ୟଟକମାନେ ବୁଲିବା ପାଇଁ ଆସିଥାନ୍ତି । ବ୍ରିଟିଶ ଶାସନ କାଳରେ ରାଜାଙ୍କ ଏହି ଗାଁ ମଧୁପୁର ଇଷ୍ଟେଟ୍ ଭାବେ ପରିଚିତ ଥିଲା । ଏହା ଅଧୀନରେ ବର୍ତ୍ତମାନର କଟକ ଜିଲ୍ଲା ଓ ଯାଜପୁରର ବହୁ ଅଞ୍ଚଳରେ ଗଡ଼ମଧୁପୁର ରାଜାଙ୍କ ଶାସନ ଚାଲୁଥିଲା । ଏହି ଗଡ଼ର ଅନତି ଦୂରରେ ବ୍ରାହ୍ମଣୀ ନଦୀ ବୋହିଯାଇଛି । ଯାହା ସେ ସମୟର ମୁଖ୍ୟ ନଦୀ ଭାବେ ପରିଚିତ ଥିଲା । ଏହି ରାଜପ୍ରାସାଦର ନିଖୁଣ କାରୁକାର୍ଯ୍ୟ ଦେଖିବାକୁ ସାରା ରାଜ୍ୟରୁ ପର୍ଯ୍ୟଟକ ଏଠାକୁ ଛୁଟି ଆସନ୍ତି । ଏଠାରେ ଓଡ଼ିଆ, ହିନ୍ଦୀ ଚଳଚ୍ଚିତ୍ରର ନିର୍ମାତାମାନେ ଅନେକ ଓଡ଼ିଆ ଚଳଚ୍ଚିତ୍ର ଏବଂ ଆଲବମ ନିର୍ମାଣ କରିଛନ୍ତି । ଏଠାରେ ପ୍ରଥମେ ବଳିଦାନ ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା । ଶୁଣ ଅବୋଲକରା କହୁଛି କଥା, ଆ’ ଜହ୍ନରେ ଲେଖିବା ନାଁ, ଛାତି ଚିରିଦେଲେ ତୁ, ତୁ ଥିଲେ ମୋ ଡର କାହାକୁ, ବାହୁଡ଼ିଲେ ମୋ ଜଗା ବଳିଆ, ଜଗା ହାତରେ ପଘା, ତୁଳସୀ ସିରିଏଲଗୁଡ଼ିକ ସୁଟିଂ କରଯାଇଥିଲା । ଏଠିକାର ବିଶେଷ ଆକର୍ଷଣ ଭାବେ ମଧୁପୁରଗଡ଼ର ରାଜପ୍ରସାଦ ଏବଂ ଶ୍ରୀ ଜଗନ୍ନାଥ ମନ୍ଦିର ରହିଛି । ଏହା ବହୁ ପୁରାତନ କାଳରେ ନିର୍ମିତ ହୋଇଥିବାରୁ ଅନେକ ସ୍ଥାନ ଭାଙ୍ଗି ରୁଜି ଗଲାଣି ।
ମଧୁପୁରଗଡ଼ ପାର୍ବତମାଳା ପାଦଦେଶରେ ଦଣ୍ଡାୟମାନ ରାଜପ୍ରାସାଦ ଐତିହ୍ୟର ଗାଥା ବଖାଣିଥାଏ । ୧୮୦୮ ରୁ ୧୮୪୭ ମସିହାରେ ରାଜା ସୁଦର୍ଶନ ଚନ୍ଦ୍ର ଧୀର ନରେନ୍ଦ୍ରଙ୍କ ଶାସନ କାଳରେ ନିର୍ମାଣ ହୋଇଥିବା ଅତି ନିଖୁଣ ବିରାଟକାୟ ପ୍ରସ୍ତର ଖଣ୍ଡର ମଧୁପୁରଗଡ଼ର ଶ୍ରୀ ଜଗନ୍ନାଥ ମନ୍ଦିର କୀର୍ତ୍ତିରାଜି ଦଣ୍ଡାୟମାନ ହୋଇଛି । କେଉଁ ଆବାହମାନ କାଳରୁ ଏଠାରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇ ଆସୁଛି । ରାଜ୍ୟର ଅଧିକାଂଶ ରଥଯାତ୍ରାରେ ରାଜାମାନେ ଛେରା ପହଁରା କରୁଥିବା ବେଳେ ଏଠାରେ ରାଣୀ ଅପର୍ଣ୍ଣା ଧୀର ସିଂ ଛେରା ପହଁରା କରିଥାନ୍ତି । ଏହାପରେ ରଥଯାତ୍ରା ଆରମ୍ଭ ହୋଇଥାଏ । କିମ୍ବଦନ୍ତୀରୁ ଜଣାଯାଏ ଯେ, ୧୫୨୬ ମସିହାରେ ଯେତେବେଳେ ମୋଗଲ ସମ୍ରାଟ ବାବର ଶାସନ କରୁଥିଲେ, ସେହି ସମୟରେ ସୁଦୂର ରାଜସ୍ଥାନର ଯୋଦ୍ଧପୁର ଅଞ୍ଚଳରୁ ଜଣେ ରାଜପୁତ ଓଡ଼ିଶା ପରିଭ୍ରମଣରେ ଆସିଥିଲେ । ତାଙ୍କ ନା ଥିଲା ଶିଖାୱାତ ସିଂ । ସେହି ସମୟରେ ପୁରୀର ରାଜା ପଡ଼ୋଶୀ ରାଜ୍ୟ ସହିତ ଯୁଦ୍ଧରେ ଲିପ୍ତ ଥିଲେ । ଶିଖାୱାତ ସିଂ ପୁରୀ ରାଜାଙ୍କ ସହିତ ମିଶି ଯୁଦ୍ଧରେ ଯୋଗଦେଇ ପଡ଼ୋଶୀ ରାଜାଙ୍କୁ ପରାସ୍ତ କରିଥିଲେ । ଏଥିରେ ଖୁସିହୋଇ ପୁରୀ ରାଜା ଶିଖାୱାତ ସିଂଙ୍କୁ ଓଡ଼ିଶାର ଯେ କୌଣସି ଜାଗାରେ ଶାସନ କରିବାକୁ ସୁଯୋଗ ଦେଇଥିଲେ ।
ଶିଖାୱାତ ସିଂ ଓଡ଼ିଶାର ଅଧିକାଂଶ ସ୍ଥାନ ବୁଲିବା ପରେ ଶେଷରେ ଏହି ମଧୁପୁରଗଡ଼ ଅଞ୍ଚଳକୁ ବାଛିଥିଲେ । ଏଠାରେ ଶାସନ କରିବାକୁ ଉଚିତ ସ୍ଥାନ ଭାବି ରାଜପ୍ରାସାଦ ନିର୍ମାଣ କରିଥିଲେ । ଏହାକୁ ରାଜପ୍ରାସାଦ, କିଲା, କିଙ୍ଗ ପ୍ୟାଲେସ, ରାଜବାଟି ଏବଂ ମଧୁପୁର ଇଷ୍ଟେଟ ମଧ୍ୟ କୁହାଯାଏ । ଏହି ପ୍ରାସାଦରେ ରାଜା ରାଣୀ ବ୍ୟବହାର କରୁଥିବା ହାତୀଦାନ୍ତରେ ନିର୍ମିତ ଟେଲିଫୋନ, ରାଜାଙ୍କ ଅମଳର କପ୍ ପ୍ଲେଟ ମଧ୍ୟ ଦେଖିବାକୁ ମିଳେ । ୧୮୦୮ ମସିହାରୁ ଆରମ୍ଭ କରି ୧୮୪୭ ମସିହା ପର୍ଯ୍ୟନ୍ତ ରାଜା ସୁଦର୍ଶନ ଧୀର ନରେନ୍ଦ୍ର ସିଂଙ୍କ ଶାସନ କାଳ ଚାଲିଥିଲେ । ପିଢ଼ି ପରେ ପିଢ଼ି ହୋଇ ଗତ ୨୦୦୭ରୁ କୃଷ୍ଣ ପ୍ରକାଶ ଧୀର ନରେନ୍ଦ୍ର ସିଂଙ୍କ କନ୍ୟା ଅପର୍ଣ୍ଣା ଧୀର ସିଂ ଶାସନ ଭାର ତୁଲାଉଛନ୍ତ