ପ୍ରୟାଗରାଜ ୧୨/୦୨: ବିଶ୍ୱର ସର୍ବବୃହତ ଆଧ୍ୟାତ୍ମିକ ଓ ଧାର୍ମିକ ଆୟୋଜନ ମହାକୁମ୍ଭର ପବିତ୍ର ସଂଯୋଗ ୧୪୪ ବର୍ଷ ପରେ ହୋଇଛି । ସେଥିପାଇଁ ତ୍ରିବେଣୀ ସଙ୍ଗମରେ ସ୍ନାନ ଓ ଆତ୍ମିକ ଶୁଦ୍ଧି ଲାଗି ଦେଶବିଦେଶରୁ ଲୋକେ ସଙ୍ଗମ ନଗରୀରେ ପହଞ୍ଚୁଛନ୍ତି । ମହାକୁମ୍ଭରେ ୩ ଶାହୀ ବା ଅମୃତ ସ୍ନାନ ଶେଷ ହୋଇଛି । ବସନ୍ତ ପଞ୍ଚମୀରେ ୩ୟ ତଥା ଶେଷ ଅମୃତ ସ୍ନାନ ସମ୍ପନ୍ନ ହୋଇଥିଲା । 

ଗତ ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହୋଇଥିବା ମହାକୁମ୍ଭ ମେଳାରେ ଅଦ୍ୟାବଧି ୪୫କୋଟିରୁ ଅଧିକ ଶ୍ରଦ୍ଧାଳୁ ସଙ୍ଗମରେ ଆସ୍ଥାର ବୁଡ଼ ପକାଇଛନ୍ତି । ପରବର୍ତ୍ତୀ ଅମୃତ ସ୍ନାନ ମାଘ ପୂର୍ଣ୍ଣିମା ଅର୍ଥାତ୍‌ ଆଜି ଅନୁଷ୍ଠିତ ହେବ । ଏଥିରେ କୋଟି କୋଟି ସଂଖ୍ୟାରେ ଶ୍ରଦ୍ଧାଳୁ ପ୍ରୟାଗରେ ଏକତ୍ରିତ ହୋଇ ତ୍ରିବେଣୀ ସଙ୍ଗମରେ ଆସ୍ଥାର ପବିତ୍ର ବୁଡ଼ ପକାଇ ମୋକ୍ଷ ପ୍ରାପ୍ତିର କାମନା କରିବେ । ପୂର୍ଣ୍ଣିମା ତିଥିରେ ସ୍ନାନ-ଦାନ ଓ ବ୍ରତର ବିଶେଷ ଧାର୍ମିକ ମହତ୍ୱ ରହିଛି । କିନ୍ତୁ ମାଘ ପୂର୍ଣ୍ଣିମାରେ ପ୍ରୟାଗରାଜ ମହାକୁମ୍ଭରେ ଶାହୀ ସ୍ନାନର ସ୍ୱତନ୍ତ୍ର ମହତ୍ୱ ରହିଛି । ଧାର୍ମିକ ବିଶ୍ୱାସ ଅନୁସାରେ, ମାଘ ପୂର୍ଣ୍ଣିମାରେ ଦେବୀ-ଦେବତା ପୃଥିବୀକୁ ଆସନ୍ତି ଏବଂ ମାନବ ରୂପରେ ତ୍ରିବେଣୀ ସଙ୍ଗମରେ ସ୍ନାନ ଓ ଜପ-ତପ କରନ୍ତି । ସେଥିପାଇଁ ଧାର୍ମିକ ଦୃଷ୍ଟିକୋଣରୁ ମାଘ ପୂର୍ଣ୍ଣିମା ଦିନ ମହାକୁମ୍ଭରେ ଅମୃତ ସ୍ନାନର ମହତ୍ୱ ବଢ଼ିଯାଏ । ମନସ୍କାମନା ପୂର୍ତ୍ତି, ମୋକ୍ଷ ପ୍ରାପ୍ତି ଆଦି ପାଇଁ ମଧ୍ୟ ମାଘ ପୂର୍ଣ୍ଣିମା ସ୍ନାନ ମହତ୍ୱପୂର୍ଣ୍ଣ । ପୌଷ ପୂର୍ଣ୍ଣିମାରେ ଯେଉଁମାନେ କଳ୍ପବାସ ଆରମ୍ଭ କରିଥାନ୍ତି, ମାଘ ପୂର୍ଣ୍ଣିମାରେ ସେମାନେ ଏହା ସମାପନ ମଧ୍ୟ କରନ୍ତି ।

ମାଘ ପୂର୍ଣ୍ଣିମାରେ ଗଙ୍ଗା ନଦୀରେ ସ୍ନାନ କରିବା ଅତ୍ୟନ୍ତ ଶୁଭ ଫଳଦାୟୀ ବୋଲି ମାନ୍ୟତା ରହିଛି । ସେଥିପାଇଁ ଏହି ଦିନ ବ୍ରାହ୍ମ ମୁହୂର୍ତ୍ତରେ ପବିତ୍ର ନଦୀରେ ସ୍ନାନ କରବା ଉଚିତ୍‌ । ଏହା ଦ୍ୱାରା ଉନ୍ନତି, ପୁଣ୍ୟ ଓ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ଏହି ଦିନ ଅନ୍ନ, ଧନ, ତିଳ, ଗୁଡ଼ ଓ ଘିଅ ଦାନ କରିବା ମଧ୍ୟ ଅତ୍ୟନ୍ତ ଲାଭକର ମନେକରାଯାଏ । ଏହି ତିଥିରେ ପିତୃପୁରୁଷଙ୍କ ଆତ୍ମାର ଶାନ୍ତି ନିମନ୍ତେ ଶ୍ରାଦ୍ଧ, ତର୍ପଣ ଓ ପିଣ୍ଡଦାନର ଆୟୋଜନ କରାଯାଏ । ଏହି ଦିନ ଗରିବଙ୍କୁ ଭୋଜନ କରାଇଲେ ବିଶେଷ ଲାଭ ମିଳେ । ଏହା ଦ୍ୱାରା ସମସ୍ତ କଷ୍ଟ ଓ ପାପ ନାଶ ହୁଏ ଏବଂ ଶୁଭ ଫଳ ପ୍ରାପ୍ତି ହୁଏ । ଆଜି ମାଘ ପୂର୍ଣ୍ଣିମା ଅବସରରେ ସକାଳ ୮ଟାରେ ସଙ୍ଗମରେ ଶ୍ରଦ୍ଧାଳୁଙ୍କ ଉପରେ ପୁଷ୍ପ ବର୍ଷା ହେବ ।