ଲକ୍ଷ୍ନୌ, ୦୨/୧୨ : ପ୍ରୟାଗରାଜରେ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି ମହାକୁମ୍ଭ ୨୦୨୫। ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଦେଶ-ବିଦେଶରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସଜେଇ ହେଉଛି ପ୍ରୟାଗରାଜ। କୁମ୍ଭମେଳାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଅଣ୍ଟା ଭିଡ଼ିଛି ପର୍ଯ୍ୟଟନ ବିଭାଗ। ଏଥର କୁମ୍ଭମେଳାରେ ଆକର୍ଷଣର କେନ୍ଦ୍ରବନ୍ଦୁ ପାଲଟିବ ଡୋମ୍ ସିଟି। ୧୮ ଫୁଟ ଉପରୁ କୁମ୍ଭମେଳାର ଭବ୍ୟ ଦୃଶ୍ୟ ଦେଖିପାରିବେ ପର୍ଯ୍ୟଟକ। 

ସୂଚନାନୁଯାୟୀ, ୧୪୦୦ ସ୍କୋୟାର ଫିଟ୍‌ରେ ନିର୍ମାଣ ହେବାକୁ ଥିବା ଏହି ଡୋମ୍ ସିଟିରେ ୨୦୦ ଲୋକ ରହିବା ଭଳି କ୍ଷମତା ରହିବ। ଏହା ସହ ପର୍ଯ୍ୟଟକମାନଙ୍କୁ ସମସ୍ତ ଅତ୍ୟାଧୁନିକ ସୁଖ ସୁବିଧା ଯୋଗାଇ ଦିଆଯିବ। ବିଳାସପୂର୍ଣ୍ଣ ହୋଟେଲ ଭଳି ବ୍ୟବସ୍ଥା କରାଯିବ। ଏଥିରେ ରହିବା ପାଇଁ ପର୍ଯ୍ୟଟକଙ୍କୁ ଫର୍ମ ପୂରଣ କରିବାକୁ ପଡିବ। 

କୁମ୍ଭମେଳାକୁ ଦିବ୍ୟ ଏବଂ ଭବ୍ୟ କରିବା ପାଇଁ ପର୍ଯ୍ୟଟନ ବିଭାଗ ସମସ୍ତ ପ୍ରସ୍ତୁତି କରୁଛି। ନୈନିର ଅରେଲ ତଟରେ, ଝୁନସି ଏବଂ ପରେଡ ଗ୍ରାଉଣ୍ଡରେ ଟେଣ୍ଟ ସିଟି ସ୍ଥାପନ ହେବ। ଏଠାରେ ପର୍ଯ୍ୟଟକଙ୍କ ରହିବା ପାଇଁ ଅତ୍ୟାଧୁନିକ ସୁବିଧା ବିଶିଷ୍ଟ ସ୍ଵିସ୍ କଟେଜ ତିଆରି ହେବ। ଏଥିପାଇଁ ନିର୍ମାଣ କାର୍ଯ୍ୟ ଜୋରଶୋରରେ ଚାଲିଛି। ଏହି କଟେଜ ଗୁଡ଼ିକର କ୍ଷମତା ବଢାଇବା ଦିଗରେ ମଧ୍ୟ ଧ୍ୟାନ ଦିଆଯାଉଛି। ଜଣେ ବିଭାଗୀୟ ଅଧିକାରୀଙ୍କ କହିବା ଅନୁଯାୟୀ, ମହାକୁମ୍ଭ ଅସ୍ଥା ଏବଂ ଆକର୍ଷଣର କେନ୍ଦ୍ରବିନ୍ଦୁ। ନାଗା-ଅଘୋରୀ, ସାଧୁ-ସନ୍ଥଙ୍କୁ ନିକଟରେ ଦେଖିବାକୁ ଏଠାକୁ ଲୋକେ ଆସନ୍ତି। ସଞ୍ଜ ନଇଁବା ପରେ ଏଠାକାର ଦୃଶ୍ୟ ଖୁବ୍ ନିଆରା ଲାଗେ। ଅଲୋକମାଳାରେ ପ୍ରୟାଗରାଜ ଝଲସି ଉଠେ। ଅପର ପକ୍ଷରେ ପର୍ଯ୍ୟଟକଙ୍କ ରହଣି ପାଇଁ ଟେଣ୍ଟ ସିଟି, ସହରରେ ଥିବା ହୋଟେଲ ଗୁଡ଼ିକୁ ଚକାଚକ୍ କରାଯାଉଛି। ଏହା ସହ ସ୍ଥାନୀୟ ଲୋକମାନେ ମଧ୍ୟ ହୋମ୍ ଷ୍ଟେ ପ୍ରସ୍ତୁତ କରୁଛନ୍ତି। ପର୍ଯ୍ୟଟନ ବିଭାଗ ପକ୍ଷରୁ ମଧ୍ୟ ସ୍ଥାନୀୟ ଲୋକଙ୍କୁ ପ୍ରଶିକ୍ଷଣ ଦିଆଯାଉଛି।