କେନ୍ଦ୍ରପଡ଼ା ୧୨/୦୨: ଆଉ ମାତ୍ର ଦୁଇ ଦିନ ପରେ ଦେବ ଦେବ ମହାଦେବଙ୍କ ମହାଶିବରାତ୍ରି । ଏଥିପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ବିଭିନ୍ନ ଶୈବପୀଠରେ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା କେତେକ ଶୈବପୀଠର ମାହାତ୍ମ୍ୟ, ଐତିହ୍ୟ ଓ ଜନଶ୍ରୁତିକୁ ନେଇ "ପ୍ରମେୟ'ର ଏହି ସ୍ୱତନ୍ତ୍ର ଉପସ୍ଥାପନା।
କାମନା ପୂରଣ କରନ୍ତି କାମେଶ୍ୱର
ରଦପୁର ବ୍ଲକ୍ରେ ଥିବା ୬ଟି ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ମହାଦେବ କାମେଶ୍ୱର ପୀଠର ଏକ ସ୍ୱତନ୍ତ୍ରତା ରହିଛି । ବାରମାସରେ ତେର ପର୍ବ ପାଳନ ହେବା ସହ ପ୍ରତ୍ୟେକ ସୋମବାର ଏଠାରେ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ । ଏହି ପୀଠ ତିକନପୁର ପଞ୍ଚାୟତର ରସିଲାବାଦ (ଜିରାଳ) ଗ୍ରାମର ଏକ ଗହୀର ମଝିରେ ଅବସ୍ଥିତ । ଏହି ପୀଠରେ ମହାଦେବ କାମେଶ୍ୱର ଏବଂ ମା’ ପାର୍ବତୀଙ୍କ ମନ୍ଦିର ରହିଛି । ଏହି ପୀଠ ଏକ ପାଟ ମଝିରେ ଥିବାରୁ ବର୍ଷାଦିନେ ଏହି ପୀଠର ଚାରିକଡ଼େ ପାଣି ଜମି ରହିଥାଏ । ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଯିବାଆସିବା ପାଇଁ ତିକନପୁର ପାଟରୁ ଏକ ରାସ୍ତା ଥିବା ବେଳେ ଜିରାଳ ଗ୍ରାମ ଭିତର ଦେଇ ଆଉ ଏକ ରାସ୍ତା ରହିଛି । ଏହି ପୀଠରେ ପ୍ରତିବର୍ଷ ଜାଗର ସମୟରେ ଏକ ସପ୍ତାହ ଧରି ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥାଏ । ଆହୁରି ମ ଧ୍ୟ ପ୍ରତିବର୍ଷ ଏଠାରେ ଶ୍ରାବଣ ମାସ ସାରା ପ୍ରତି ସୋମବାରରେ କାଉଡ଼ିଆମାନଙ୍କର ବେଶ୍ ସମାଗମ ହୋଇଥାଏ । ପରିଚାଳନା କମିଟି ତରଫରୁ କାଉଡ଼ିଆମାନଙ୍କ ପାଇଁ ବିଶ୍ରାମ ନେବା ଓ ଖାଦ୍ୟ ପାନୀୟର ବ୍ୟବସ୍ଥା ବିନା ମୂଲ୍ୟରେ କରାଯାଇଥାଏ ।
ଡାକିଲେ ଶୁଣନ୍ତି ବାବା ଶ୍ରୀ ଗ୍ରାମେଶ୍ୱର
କେନ୍ଦ୍ରାପଡ଼ା ବ୍ଲକ୍ ଅଧୀନ ଜମଧର ପଞ୍ଚାୟତ ଅନ୍ତର୍ଗତ ଜଣ୍ଟିଲୋ ଗ୍ରାମରେ କେଉଁ ପ୍ରାଚୀନ କାଳରୁ ବିରାଜମାନ ହୋଇଛନ୍ତି ବାବା ଶ୍ରୀ ଗ୍ରାମେଶ୍ୱର । ବର୍ତ୍ତମାନର ମନ୍ଦିରଟି ୧୯୫୭ ମସିହାରେ ଜଣ୍ଟିଲୋ ନିବାସୀ ତଥା ବିଞ୍ଝାରପୁର ଇଷ୍ଟେଟ୍ ଜମିଦାରଙ୍କ କର୍ମଚାରୀ ଭାସ୍କର ଚନ୍ଦ୍ର ବାରିକଙ୍କ ଉଦ୍ୟମରେ ନିର୍ମାଣ ହୋଇଥିଲା । ତାଙ୍କ ପରେ ତାଙ୍କ ପୁଅ ମରୁତ ଚରଣ ବାରିକ ୧୯୭୧-୭୨ ମସିହାରେ ମନ୍ଦିରର ବିକାଶ ପାଇଁ ଏକ ଗ୍ରାମ ପାଣ୍ଠି ଗଠନ କରିଥିଲେ । ସଂଗୃହୀତ ଅର୍ଥରେ ବେଢ଼ା ପରିସରସ୍ଥ ପଥର ଚଟାଣ ଓ ଗୁହାରିଆ ଗୃହ ନିର୍ମାଣ ହୋଇଛି । ଏହାଛଡ଼ା ପୂଜକ ସୁନାକର ପତିଙ୍କ ଉଦ୍ୟମରେ ବେଢ଼ା ମଧ୍ୟରେ ମନ୍ଦିରର ଦକ୍ଷିଣ ପାଶ୍ୱର୍ରେ ଏକ ମନ୍ଦିର ନିର୍ମାଣ କରାଯାଇ ସେଥିରେ ଅଷ୍ଟଶମ୍ଭୁ ସ୍ଥାପନ କରାଯାଇଛି । ପରେ ଗ୍ରାମବାସୀଙ୍କ ସମ୍ମିଳିତ ଉଦ୍ୟମରେ ମା’ ବୁଢ଼ୀ ଜାଗୁଳାଇ ମନ୍ଦିର ଓ ଆନନ୍ଦ ବଜାର ନିର୍ମାଣ କରାଯାଇଛି, ଯାହା ପ୍ରଭୁ ଗ୍ରାମେଶ୍ୱରଙ୍କ ମନ୍ଦିର ବେଢ଼ାର ଶୋଭା ବର୍ଦ୍ଧନ କରୁଛି। ଏହି ମନ୍ଦିର ନିର୍ମାଣ ପୂର୍ବରୁ ବାବା ଗ୍ରାମେଶ୍ୱର ଏକ ଚାଳଛପର ଘର ପୂଜା ପାଉଥିଲେ । ଘର ଛପର ସମୟରେ ଠାକୁରଙ୍କ ଉପରେ ନଡ଼ାଗୁଣ୍ଡ ନପଡ଼ିବା ପାଇଁ ଏକ କାଠର ଗମ୍ଭୁଜ ଆକାରର କନକମଣ୍ଡଳୀ ନିର୍ମାଣ କରାଯାଇଥିଲା । ଯାହା ଏବେ ବି ଗର୍ଭଗୃହର ମୁଖ୍ୟ ଆକର୍ଷଣ । ଭୋଗ ମଣ୍ଡପରେ ମା’ ପାବର୍ତୀ, ବିଦ୍ୟାଦାତା ଅଗ୍ରପୂଜ୍ୟ ଗଜାନନ ଓ କୁମାର କାତ୍ତିର୍କେୟଙ୍କର ମଧ୍ୟ ପ୍ରସ୍ତର ମୂର୍ତ୍ତି ପୂଜା ପାଉଛନ୍ତି । ଏତଦ୍ଭିନ୍ନ ମନ୍ଦିରର ସମ୍ମୁଖ ଭାଗରେ ବାମପାଶ୍ୱର୍କୁ ଏକ ପ୍ରସ୍ତର ନିର୍ମିତ ବୃଷଭ ବାବା ଗ୍ରାମେଶ୍ୱରଙ୍କୁ ପ୍ରଣାମ ମୁଦ୍ରାରେ ଶୋଭା ପାଉଛନ୍ତି । କିଛିବର୍ଷ ହେବ ଗ୍ରାମବାସୀ ଓ ଶ୍ରଦ୍ଧାଳୁଙ୍କ ଉଦ୍ୟମରେ ମନ୍ଦିର ବେଢ଼ାରେ ପ୍ରବେଶ ଦ୍ୱାରର ଦୁଇ ପାଶ୍ୱର୍ରେ ସିମେଣ୍ଟ କଂକ୍ରିଟ୍ ନିର୍ମିତ ସୁନ୍ଦର କଳା ଓ ଧଳାରଙ୍ଗର ଦୁଇଟି ନନ୍ଦୀ ଓ ସମୁଦ୍ର ମନ୍ଥନ ଦୃଶ୍ୟକୁ ଧାରଣ କରିଥିବା ସୁନ୍ଦର ତୋରଣଟି ମନ୍ଦିରର ଶୋଭା ବର୍ଦ୍ଧନ କରୁଛି । ବର୍ଷର ୮ ମାସ ବାବା ଗ୍ରାମେଶ୍ୱର ଗୁପ୍ତ ମଧୁସାଗର ପାଣିରେ ବୁଡ଼ିକରି ରୁହନ୍ତି । ମନ୍ଦିରର ଭୋଗମଣ୍ଡପରୁ ଗର୍ଭଗୃହ ମଧ୍ୟରୁ ୧୦ଟି ମାର୍ବଲ ଖଚିତ ପାହାଚ ରହିଛି । ଏହି ୧୦ଗୋଟି ପହାହାଚ ତଳେ ବାବା ବିଦ୍ୟମାନ । ତେଣୁ ବର୍ଷର ୮ ମାସ ସେବକମାନେ ଏହି ପାହାଚ ଉପରେ ବସି ବାବାଙ୍କର ନୀତିକାନ୍ତି ସମ୍ପନ୍ନ କରିଥାଆନ୍ତି ।
କଅଁରପୁରରେ ପୂଜା ପାଉଛନ୍ତିହରି ଓ ଶଙ୍କର
ଡେରାବିଶ୍ ବ୍ଲକ୍ ଗୋଲରାହାଟ ପଞ୍ଚାୟତର କଅଁରପୁର ଗ୍ରାମରେ ଗୋଟିଏ ମନ୍ଦିରରେ ଦୁଇଟି ଲିଙ୍ଗରେ ପୂଜା ପାଆନ୍ତି ହରି ଓ ଶଙ୍କର । ଶୀତଳ ଷଷ୍ଠୀ ଓ ମହାଶିବରାତ୍ରି ଏଠାରେ ଧୁମ୍ଧାମ୍ରେ ପାଳିତ ହୋଇଥାଏ । ସାରା ଦେଶରେ ପ୍ରଭୁ ଭୋଳାନାଥ ଲିଙ୍ଗ ରୂପରେ ପୂଜା ପାଇଥାନ୍ତି । ପାଶ୍ୱର୍ଦେବୀ ଭାବେ ମା' ପାର୍ବତୀ, ଗଣେଶ, କାର୍ତ୍ତିକ ଓ ଅନ୍ୟ ଦେବାଦେବୀ ରହିଛନ୍ତି । ପ୍ରାୟ ୪୦୦ ବର୍ଷ ଧରି ଏଠାରେ ହରି ଶଙ୍କର ପୂଜା ପାଉଛନ୍ତି । ଲୋକଶ୍ରୁତି ଅନୁଯାୟୀ ଏହି ମନ୍ଦିର ଦେଇ କଳାପାହାଡ଼ ଯିବା ସମୟରେ ମନ୍ଦିର ଚତୁଃପାଶ୍ୱର୍ରେ ଥିବା ସମସ୍ତ ଦେବାଦେବୀଙ୍କୁ ନଷ୍ଟ କରିବାକୁ ଚେଷ୍ଟା କରିଥିଲା । ତେଣୁ ବହୁ ପାଶ୍ୱର୍ ଦେବାଦେବୀଙ୍କ ଦେହରେ ଖଣ୍ଡିଆ ଚିହ୍ନ ରହିଛି । ମନ୍ଦିର ଅବସ୍ଥିତ ଥିବା ସ୍ଥାନର ଠିକ୍ ତଳେ ମଧୁସାଗର ରହିଥିବା ବେଳେ ଏଠାରେ ରାଧା କୃଷ୍ଣ ଦୋଳ ପୂଣ୍ଣିମାରେ ପୂଜା ପାଇଥାନ୍ତି । ଚନ୍ଦନ ପୋଖରୀକୁ ରାଧାକୃଷ୍ଣ ମାଛ ମାରିବାକୁ ଆସିଥାନ୍ତି ବୋଲି କଥିତ ରହିଛି । ରାଜ ବ୍ରଜସୁନ୍ଦର ଦେବ ଏହି ମନ୍ଦିର ପ୍ରତିଷ୍ଠା କରିଥିଲେ । ମନ୍ଦିରର ଅନ୍ୟ ଏକ ବିଶେଷତ୍ୱ ହେଉଛି ଏଠାରେ ପୂଜା ପାଉଥିବା "ହରି ଶଙ୍କର’ ମୂର୍ତ୍ତି ପାତାଳରୁ ବାହାରିଥିବା ବିଶ୍ୱାସ ରହିଛି ।
ନବରୁଦ୍ରଙ୍କ ମଧ୍ୟରେ ଅନ୍ୟତମ ଶ୍ରୀ ଆର୍ତ୍ତେଶ୍ୱର
କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍ ଅଧୀନ ନହଙ୍ଗ ପଞ୍ଚାୟତର ଜଗନ୍ନାଥପୁରରେ ଗୋବରୀ ନଦୀ କୂଳରେ ନବରୁଦ୍ରଙ୍କ ମଧ୍ୟରେ ଅନ୍ୟତମ ଶ୍ରୀ ଆର୍ତ୍ତେଶ୍ୱର ମହାଦେବ ପୂଜା ପାଉଛନ୍ତି । ଏହି ମନ୍ଦିରରର ଦକ୍ଷିଣ ଦିଗରେ ବିଘ୍ନରାଜ ଗଣେଶ ଓ ପଶ୍ଚିମରେ କାତ୍ତିକେୟ ପୂଜା ପାଉଛନ୍ତି । ସମୁଦାୟ ୩୩ ଡେସିମିଲ ବିଜେସ୍ଥଳୀ ହୋଇଥିବା ବେଳେ ୫ ଡେସିମିଲର ବଗିଚା ଓ ପୋଖରୀ ରହିଛି । ଦକ୍ଷିଣ ପଟେ ଗୋବରର ନଦୀ ମନ୍ଦିରକୁ ଛୁଇଁ ବହି ଯାଇଥିବା ବେଳେ ପଞ୍ଚିମରେ ଗ୍ରାମ୍ୟ ଶ୍ମଶାନ, ପୂର୍ବରେ ଜଗନ୍ନାଥପୁର ଗ୍ରାମ ଓ ଦକ୍ଷିଣରେ ନଦୀକୂଳରେ ସବୁଜ କ୍ଷେତ ରହିଛି । ତତ୍କାଳୀନ ଡେରାବିଶ ପ୍ରଗଣା ଅନ୍ତର୍ଗତ ରାଜନଗରସ୍ଥିତ ଆଳି କୋଠିଠାରୁ ଦୁଇ କିଲୋମିଟର ଦୂରରେ ରହିଛି ମନ୍ଦିର । କିମ୍ବଦନ୍ତୀ: କେଶରା ନାମକ ଗୋପାଳର ଏକ କାଳୀ ଗାଈ ଚରିବାକୁ ଯାଇ ପ୍ରତ୍ୟହ ମହାପ୍ରଭୁଙ୍କ ଲିଙ୍ଗ ଉପରେ ଦୁଗ୍ଧ ଝରାଇ ମହାପ୍ରଭୁଙ୍କୁ ସ୍ନାନ କରାଉଥାଏ । ପ୍ରତ୍ୟେକ ଦିନ ଗାଈର ଦୁଗ୍ଧ କିଏ ଚୋରିକରି ନେଉଛି ଜାଣିବାକୁ ଗୋପାଳ ଗାଈକୁ ଜଗିବାକୁ ଲାଗିଲା । ହଠାତ୍ ଏକ ଗମ୍ଭୀରା ନିକଟରେ ଗାଈ ସ୍ତନରୁ ଦୁଗ୍ଧର ସ୍ରୋତ ବହି ଚାଲିଥିବା ଦେଖି ସେ ଆଶ୍ଚର୍ଯ୍ୟ ହେବା ସହ ହାତରେ ଧରିଥିବା ଶାବଳରେ ଉକ୍ତ ସ୍ଥାନକୁ ଖୋଳିଥିଲେ । ଫଳରେ ଭୂମି ତଳେ ଗୁପ୍ତ ଅବସ୍ଥାରେ ଥିବା ଶ୍ରୀ ଆର୍ତ୍ତେଶ୍ୱରଙ୍କଲିଙ୍କ ଆଘାତପ୍ରାପ୍ତ ହୋଇ ସେଥିରୁ ରକ୍ତ ବାହାରିବାକୁ ଲାଗିଲା । କେଶରା ଭୟରେ ଗାଁକୁ ଫେରିଆସିଥିଲେ । କିନ୍ତୁ ବାବା ଆର୍ତ୍ତେଶ୍ୱର ରାତିରେ ସ୍ୱପ୍ନାଦେଶ କରି ତାଙ୍କୁ ପ୍ରତିଦିନ ଗୋଦୁଗ୍ଧରେ ସ୍ନାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେବେଠାରୁ କେଶରାଙ୍କ ବଂଶଧରମାନେ ମହାପ୍ରଭୁଙ୍କୁ ଦୁଗ୍ଧସ୍ନାନ କରୁଥିଲେ ବୋଲି କୁହାଯାଏ । ଶ୍ରୀ ଆର୍ତ୍ତେଶ୍ୱରଙ୍କ ସହିତ ମା’ ମହାଲକ୍ଷ୍ମୀ, ମା’ ମହାକାଳୀ ଓ ମା’ ମାହେଶ୍ୱରୀ ପୂଜା ପାଉଛନ୍ତି । ବର୍ଷକ ୧୨ ମାସ ଶ୍ରୀ ଆର୍ତ୍ତେଶ୍ୱର ଜଳରେ ବୁଡ଼ି ରହିଥାନ୍ତି । କୁହାଯାଏ, ଯେଉଁଦିନ ମହାପ୍ରଭୁଙ୍କ ଲିଙ୍ଗ ଚାରିପାଖରୁ ଜଳଧାର ଶୁଖିଯିବାର ଦେଖାଯାଏ, ସେତେବେଳେ ବର୍ଷା ହେବାର ସୂଚନା ମିଳେ ।
ଶ୍ରୀଲଙ୍କେଶ୍ୱରଙ୍କ ମହିମା ଅପାର
କେନ୍ଦ୍ରାପଡ଼ା ଉପକଣ୍ଠ ଡେରାବିଶ ବ୍ଲକ୍ ଅଧୀନ ଠାକୁରହାଟରେ ପୂଜା ପାଉଛନ୍ତି ଶ୍ରୀ ଲଙ୍କେଶ୍ୱର ମହାଦେବ । ମାତ୍ର ୪.୫ ଡିସିମିଲ ଜମିରେ ଠାକୁରଙ୍କ ବିଜେସ୍ଥଳୀ । ଏହି ଭୂସମ୍ପତ୍ତିର ମାର୍ଫତଦାର ମହନ୍ତ ମାଧବ ପ୍ରସନ୍ନ ରାମାନୁଜ ଅଛନ୍ତି ଯେ କି ଲଙ୍କେଶ୍ୱର ମନ୍ଦିର ସଂଲଗ୍ନରେ ଥିବା ଗୋପୀନାଥ ମଠର ମହନ୍ତ ମଧ୍ୟ ଅଟନ୍ତି । ଷୋଡ଼ଶ ଶତାବ୍ଦୀରେ ଜଣେ ପଶ୍ଚିମା ନାଗା ସନ୍ନ୍ୟାସୀ ଏହି ଘଞ୍ଚ ଜଙ୍ଗଲରେ ଅବସ୍ଥିତ ପ୍ରାଚୀନ ଶ୍ରୀ ଲଙ୍କେଶ୍ୱର ମହାଦେବଙ୍କ ପୀଠରେ ଏକ ବୃକ୍ଷତଳେ ରାତ୍ରିଯାପନ କରିଥିଲେ । ତାଙ୍କ ସହିତ ଆଣିଥିବା ଏକ ଆଣ୍ଠୁଆ ଗୋପାଳ ଓ ଶାଳଗ୍ରାମ ପୂଜାର୍ଚ୍ଚନା କରି ଠାକୁରଙ୍କୁ ସେଠାରେ ଛାଡ଼ି ସକାଳୁ ପଳାଇଥିଲେ । ସ୍ଥାନୀୟ ଲୋକେ ବହୁ ଖୋଜାଖୋଜି କରିବା ପରେ ନପାଇବାରୁ ଠାକୁରଙ୍କ ପୂଜା ଆୟୋଜନ କରିଥିଲେ । ଗୁଆଳସିଂ ମୌଜା ପୁରୀର କାଳକାଦେବୀ ସାହିସ୍ଥିତ ସମାଧିପୀଠର ମାଲିକାନା ଅନ୍ତର୍ଭୁକ୍ତ ହେବା ପରେ ଏହି ଠାକୁର ଏବଂ ଗୋପୀନାଥ ମଠ ସମାଧି ପୀଠର ମାଲିକାନାକୁ ଆସିଥିଲା । ପରବର୍ତ୍ତୀ ସମୟରେ ଶ୍ରୀ ଲଙ୍କେଶ୍ୱର ମହାଦେବ ଏହି ମଠର ମହନ୍ତଙ୍କ ମାର୍ଫତ୍ଦାରକୁ ଆସିଯାଇଥିଲେ । ବର୍ତ୍ତମାନ ବାବା ଲଙ୍କେଶ୍ୱରଙ୍କ ମନ୍ଦିରଟି ୧୯୬୩ ମସିହାରେ ସ୍ଥାନୀୟ ଗ୍ରାମବାସୀ ଶିକ୍ଷକ କଣ୍ଡୁରି ଚରଣ ପାତ୍ର ଓ ପାଗଳ ବେହେରାଙ୍କ ନେତୃତ୍ୱରେ ନିର୍ମାଣ କରାଯାଇଥିଲା । ମନ୍ଦିରକୁ ଲାଗି ଦୁଇଟି ଧଳା ଓ କଳା ରଙ୍ଗର ବୃଷଭ(ନନ୍ଦୀ ଓ ଭୃଙ୍ଗୀ) ଦୁଇ ପାଶ୍ୱର୍ରେ ସ୍ଥାପନ କରାଯାଇଛି । ମନ୍ଦିରର ଗର୍ଭଗୃହରେ ବିଦ୍ୟାଦାତା ଅଗ୍ରପୂଜ୍ୟ ଗଣପତିଙ୍କ ବିଗ୍ରହ ଶୋଭା ପାଉଛି । ମନ୍ଦିର ଦଲାଣର ସାମ୍ନା ପଟର ଦୁଇ ପାଶ୍ୱର୍ରେ ରାହୁ ଓ କେତୁଙ୍କ ପୂର୍ଣ୍ଣ ଅବୟବ ମୂର୍ତ୍ତି ଦେଖିବାକୁ ମିଳେ । ମନ୍ଦିରର ଗର୍ଭଗୃହର ବାମ ପାଶ୍ୱର୍ରେ ଆଉ ଏକ ଶିବଲିଙ୍ଗ ଶ୍ରୀ ବାମେଶ୍ୱର ପୂଜା ପାଉଛନ୍ତି ।
ଦକ୍ଷିଣେଶ୍ୱର ମହାଦେବ
ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ କାଠିଆପଡ଼ାରେ ପୂଜା ପାଉଛନ୍ତି ପ୍ରଭୁ ଶ୍ରୀ ଦକ୍ଷିଣେଶ୍ୱର ମହାଦେବ । ପଟ୍ଟାମୁଣ୍ଡାଇରୁ ଗଣ୍ଡାକିଆ ରାସ୍ତାର ବାମପଟକୁ ଜିଗରଣ ଓ ବାଇପଦା ଦେଇ ଗଲେ ଏହି ମନ୍ଦିର ଦେଖିବାକୁ ମିଳେ । ଏହି ମନ୍ଦିରର ବହୁ କିମ୍ବଦନ୍ତୀ ରହିଛି । ଏହି ମନ୍ଦିର ପ୍ରାୟ ୩୦୦ ବର୍ଷ ତଳେ ନିର୍ମାଣ ହୋଇଥିଲା । ବର୍ତ୍ତମାନ ମନ୍ଦିର ଯେଉଁଠି ଅଛି, ସେ ଜାଗା ସେତେବେଳେ ଜମିଦାର ସାମନ୍ତରାୟଙ୍କର ଥିଲା । ସେହି ଜାଗାରେ ଜଙ୍ଗଲ ଓ ଉଇହୁଙ୍କା ରହିଥିଲା । ସେହି ସମୟରେ ଦିଗାମ୍ବର ସାମନ୍ତରାୟ ଜମିଦାର ଜମିଦାରଙ୍କର ବହୁ ଗାଈ ଓ ବଳଦ ଥିବାରୁ ସେହିଠାରେ ଚରୁଥଲେ । ଗୋଟିଏ କାଳୀ ଗାଈ ବାଛୁରୀ ଜନ୍ମ କରିଥିଲେ ହେଁ ଜମିଦାରଙ୍କ ଘରେ ଗାଈଟି ଆଦୌ ଖିର ଦେଉନଥିଲା । ଜମିଦାର ଏହା ଜାଣି ବଇଦ ଡାକି ଏହାର ଚିକିତ୍ସା କରିଥିଲେ । ଦିନେ ଖୋଦ୍ ଜମିଦାର ଚାକର ସହିତ କାଳୀ ଗାଈ ଚରୁଥିବା ଜାଗାକୁ ଯାଇଥିଲେ । ଗାଈଟି ଗୋଟିଏ ଜାଗାରେ ଛିଡ଼ା ହୋଇ ହମ୍ବାଳି ପକାଇବା ପରେ ତା’ଠାରୁ ଆପେ ଆପେ ଖିର ବାହାରି ଭୂଇଁରେ ପଡ଼ିଥିଲା । ଜମିଦାର ଘରକୁ ଫେରି ଆସି କିଛି ଲୋକଙ୍କୁ ଡାକି ଗାଈ ଖିର ଦେଉଥିବା ସ୍ଥାନକୁ ଖୋଳିଥିଲେ । ଖୋଳିବା ପରେ ମାଟିତଳେ ଏକ ଶିବଲିଙ୍ଗ ଥିବା ଦେଖିବାକୁ ପାଇଥିଲେ । ତା’ପରେ ଜମିଦାର ସେହି ଜାଗାରେ କାଠ ବାଉଁଶରେ ଏକ ଘର ତିଆରି କରିଥିଲେ । ଲିଙ୍ଗଙ୍କୁ ପୂଜା କରୁଥିବା ପୂଜକଙ୍କୁ ଦିନେ ରାତିରେ ସ୍ୱପ୍ନାଦେଶ ହୋଇଥିଲା ଯେ, ତାଙ୍କ ମନ୍ଦିରର ମୁଖ୍ୟଦ୍ୱାର ଦକ୍ଷିଣ ଦିଗକୁ ହେବ ଓ ତାଙ୍କ ନାମ ହେବ ଦକ୍ଷିଣେଶ୍ୱର ମହାଦେବ । ମନ୍ଦିର ନିର୍ମାଣ ପରେ ଦକ୍ଷିଣେଶ୍ୱରଙ୍କୁ ପୂଜା କରିବାକୁ ଜମିଦାର ବ୍ରାହ୍ମଣମାନଙ୍କୁ ନିଯୁକ୍ତ କରିଥିଲେ । ଜମିଦାର ପ୍ରଥା ଉଚ୍ଛେଦ ପରେ ସାମନ୍ତରାୟ ପରିବାରର ବଂଶଧରମାନେ ଏହି ମନ୍ଦିରକୁ ପରିଚାଳନା କରୁଥିଲେ । ବର୍ତ୍ତମାନ ପୂଜକମାନେ ଏହି ମନ୍ଦିରକୁ ପରିଚାଳନା କରୁଛନ୍ତି । ଅନ୍ୟନ୍ୟେ ମନ୍ଦିରର ମୁଖ୍ୟ ଦ୍ୱାର ଅଲଗା ଦିଗକୁ ଥିବା ବେଳେ ଦକ୍ଷିଣେଶ୍ୱର ମହାଦେବଙ୍କ ମନ୍ଦିର ମୁଖ୍ୟ ଦ୍ୱାର ଦକ୍ଷିଣ ଦିଗକୁ ରହିଛି । ସେହିପରି ଅନ୍ୟ ମନ୍ଦିରରେ ୪ଟି ଦିଗକୁ ୪ଟି ଦ୍ୱାର ଥିବା ବେଳେ ଦକ୍ଷିଣେଶ୍ୱରଙ୍କର ୫ଟି ଦ୍ୱାର ରହିଛି । ଏହି ଲିଙ୍ଗ ୫ଟି ଆଡ଼କୁ ଢଳି ରହିଥିବାରୁ ତାଙ୍କୁ ପଞ୍ଚବକ୍ର ମହାଦେବ ବୋଲି ମଧ୍ୟ କୁହାଯାଇଥାଏ । ମନ୍ଦିରରେ ବଡ଼ଓଷା, କାର୍ତ୍ତିକ ପୂଜା ଓ ମହାଶିବରାତ୍ରି ପାଳନ କରାଯାଏ ।
ଶ୍ରୀ ବିଲ୍ୱେଶ୍ୱର ମହାଦେବ
ଅଶ୍ୱତ୍ଥ ବୃକ୍ଷ କୋରଡ଼ରେ ପୂଜା ପାଉଛନ୍ତି କେନ୍ଦ୍ରାପଡ଼ା ସହରର କଜଳାରେ ବିଲ୍ୱେଶ୍ୱର ମହାଦେବ ପୂଜା ପାଉଛନ୍ତି । ଲୁପ୍ତ ପ୍ରାୟ ପ୍ରାଚୀନ ମଧୁସାଗର କୂଳରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ପଶ୍ଚିମ ପାଶ୍ୱର୍ରେ ଏକ ଅଶ୍ୱତ୍ଥ ବୃକ୍ଷର କୋରଡ଼ରେ ଏକ ଡମ୍ବରୁ ଆକୃତିର ମଣିମୟ ଲିଙ୍ଗ ରୂପରେ ମହାଦେବଙ୍କ ଆରାଧନା କରାଯାଉଛି । ବର୍ଷବର୍ଷ ଧରି ଏହି ସ୍ଥାନଟି ଜଙ୍ଗଲ ପରିପୂର୍ଣ୍ଣ ରହିଥିଲା । ବର୍ଷାଦିନେ ତତ୍ସଂଲଗ୍ନ ପାଟନାଳି ବା ପୁରାତନ ମଧୁସାଗର ଧାରରେ ପାଣି ବଢ଼ିଗଲେ ଠାକୁରଙ୍କ ଆସ୍ଥାନଟି ମଧୁସାଗର ଜଳପୂର୍ଣ୍ଣ ହୋଇଯାଏ । କେବେ କେବେ ସନ୍ଧ୍ୟା ଆଳତି ଠାକୁରଙ୍କ ପୀଠରେ ନହୋଇ ଅନ୍ୟତ୍ର ପୂଜକମାନଙ୍କୁ କରିବାକୁ ପଡୁଥିଲା ବୋଲି ପୁରୁଖା ଲୋକମାନେ ମତ ଦିଅନ୍ତି । କିନ୍ତୁ କେନ୍ଦ୍ରାପଡ଼ା କଲେଜ ପ୍ରତିଷ୍ଠା ପରେ ୧୯୬୦ ମସିହା ବେଳକୁ ଠାକୁରଙ୍କ ନିକଟକୁ ଯାତାୟାତ ରାସ୍ତା ଫିଟିଥିଲା ଏବଂ ଶ୍ରଦ୍ଧାଳୁମାନଙ୍କ ଯାତାୟାତ ସୁଗମ ହୋଇଥିଲା । କୁହାଯାଏ କି ବହୁ ପୂର୍ବରୁ ବିଲ୍ୱେଶ୍ୱର ମହାଦେବ ଏକ ଛୋଟିଆ ପଥର ନିର୍ମିତ ମନ୍ଦିରରେ ପୂଜା ପାଉଥିଲେ । ମୁସଲମାନ ରାଜତ୍ୱ ସମୟରେ ଏହି ମନ୍ଦିରକୁ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଇଥିଲା । ପରେ ଅବହେଳିତ ଅବସ୍ଥାରେ ଦୀର୍ଘଦିନ ଧରି ଠାକୁର ଖୋଲା ଆକାଶ ତଳେ ପୂଜା ପାଉଥିଲେ । ସତୁରି ଦଶକରେ କେନ୍ଦ୍ରାପଡ଼ା କଲେଜର ଅଧ୍ୟାପକ ଧର୍ମପ୍ରାଣ ଡ. ସଦାନନ୍ଦ ଚୌଧୁରୀ ଓ ତାଙ୍କ ପତ୍ନୀ ଚାରୁଲତା ଚୌଧୁରୀଙ୍କ ଉଦ୍ୟମରେ ପୀଠର କିଛି ଉନ୍ନତି ସାଧିତ ହୋଇଥିଲା । ତଥାପି ଠାକୁର ଉନ୍ମୁକ୍ତ, ଆବରଣ ବିହୀନ ହୋଇ ଗଛ କୋରଡ଼ରେ ପୂଜା ପାଉଥିଲେ । ୧୯୮୫ ମସିହାରେ ସୁରେନ୍ଦ୍ରନାଥ ପରିଜାଙ୍କ ଉଦ୍ୟମରେ କେତେଜଣ ଯୁବକଙ୍କ ଦ୍ୱାରା ଇଟାକାନ୍ଥ ଓ ଗ୍ରିଲ ଆବଦ୍ଧ ହୋଇ ତା’ ଉପରେ ଏକ ଢଳେଇ ଛାତ ପଡ଼ିଥିଲା । ୧୯୯୯ ମସିହାରେ ଶ୍ରୀ ଶ୍ରୀ ବିଲ୍ୱେଶ୍ୱର ମହାଦେବ ମନ୍ଦିର ନିର୍ମାଣ କମିଟି ଗଠନ କରାଯାଇଥିଲା । ବର୍ତ୍ତମାନ ଦେଖାଯାଉଥିବା ମନ୍ଦିର ନିର୍ମାଣ ସହ ଏହି ଦେବପୀଠର ଅନେକ ଉନ୍ନତି ହୋଇଛି ।