ନୂଆଦିଲ୍ଲୀ,୧୩/୦୧: ପ୍ରୟାଗରାଜରେ ମହାକୁମ୍ଭର ଶଙ୍ଖନାଦ। ତ୍ରିବେଣୀ ସଙ୍ଗମ ତଟରେ ବୁଡ଼ ପକାଇଲେ ଲକ୍ଷାଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ।ଏଥର ୪୫ ଦିନ  ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୪୫  କୋଟି ଲୋକଙ୍କ ସମାଗମ ହେବ ।  କୁମ୍ଭ ଉତ୍ତର ପ୍ରଦେଶ ରାଜକୋଷକୁ  ୨୫ ହଜାର କୋଟିର ରାଜସ୍ୱ ଏବଂ  ଅର୍ଥନୀତିକୁ ୨ ଲକ୍ଷ କୋଟିର କାରବାର  ସୁଯୋଗ ସୃଷ୍ଟି କରିବ ବୋଲି ଅନୁମାନ  କରାଯାଇଛି । 

କୁମ୍ଭ ମେଳା ଦ୍ୱାରା ସ୍ୱୟଂ ସହାୟକ  ଗୋଷ୍ଠୀ, କାରିଗର, ହୋଟେଲ,  ହୋମଷ୍ଟେ ଓନର, ରେଷ୍ଟୁରାଣ୍ଟ  ଅପରେଟର, ଫୁଡ ଭେଣ୍ଡରଙ୍କ ସମେତ ଡାବର, ମଦର ଡେରୀ, ଆଇଟିସି ପ୍ରମୁଖ  ବ୍ରାଣ୍ଡଗୁଡିକ ୩ ହଜାର କୋଟି ବିନିଯୋଗ  କରିବେ ବୋଲି ଆଶା କରାଯାଇଛି । 

ଉତ୍ତର ପ୍ରଦେଶ ସରକାରଙ୍କ  ଆକଳନ ମୁତାବକ, ୨୦୧୯ କୁମ୍ଭରେ ୨୪  କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।  ୨୦୧୩ ପୁର୍ଣ୍ଣ କୁମ୍ଭରେ ୧୩ କୋଟି ଲୋକ ଯୋଗ ଦେଇଥିଲେ । ୨୦୧୬ରେ  ଉଜ୍ଜୟିନୀରେ ହୋଇଥିବା କୁମ୍ଭରେ ୭.୫  କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।  ଯୋଗୀ ଆଦିତ୍ୟନାଥଙ୍କ ସରକାର କୁମ୍ଭ  ପାଇଁ ମୋଟ ୫୪୯ ପ୍ରକଳ୍ପ ହାତକୁ  ନେଇଛନ୍ତି । ଭିତ୍ତିଭୂମି ଠାରୁ ପରିମଳ  ଯାଏ ବିଭିନ୍ନ କାର୍ଯ୍ୟ ଲାଗି ୬୯୦୦ କୋଟି  ଟଙ୍କା ବିନିଯୋଗ କରାଯାଇଛି । ୨୦୧୯ରେ  ଏହା ୩୭୦୦ କୋଟି ଟଙ୍କା ଏବଂ ୭୦୦  ପ୍ରକଳ୍ପ ରହିଥିଲା ।

ୟୁପିକୁ ୧ ଟ୍ରିଲିୟନ ଡଲାର ଅର୍ଥନୀତି  କରିବା ଦିଗରେ ଏବେ ରାଜ୍ୟ ସରକାର  ବ୍ରାଣ୍ଡ୍‌ ୟୁପି ଉପରେ କାମ କରୁଛନ୍ତି ।  ଏହାର ସଫଳ ଆୟୋଜନ ସାଂସ୍କୃତିକ  ଜାଗରଣକୁ ଆଉପାଦେ ଆଗେଇ ନେବ  ବୋଲି ୟୁପି ସରକାର ଆଶା ରଖିଛନ୍ତି ।  ଏ ଦିଗରେ ପୂର୍ବରୁ କାଶି ବିଶ୍ୱନାଥ  ଧାମ କରିଡର ଏବଂ ଅଯୋଧ୍ୟାରେ  ରାମ ମନ୍ଦିରର ସ୍ଥାପନା ହୋଇଛି ।  

ଯୋଗୀ ଆଦିତ୍ୟ ନାଥ କହିଛନ୍ତି,  ୨୦୧୬ରେ ଅଯୋଧ୍ୟାକୁ ୨.୮୩ ଲକ୍ଷ ଶ୍ରଦ୍ଧାଳୁ ପରିଦର୍ଶନ କରିଥିଲେ । ଏହା  ୨୦୨୪ରେ ୧୩.୪ କୋଟିକୁ ବୃଦ୍ଧି  ହୋଇଛି ।ସେହିଭଳି କାଶି ବିଶ୍ୱନାଥ ଧାମ  କରିଡରକୁ ୬ କୋଟି ଲୋକ ପରିଦର୍ଶନ  କରିଛନ୍ତି । ସିଆଇଆଇ ଅନୁମାନ ମୁତାବକ, ୨୦୧୯ କୁମ୍ଭରେ ୧.୨ ଲକ୍ଷ  କୋଟିର ଆର୍ôଥକ ଲାଭ ଅର୍ଥନୀତିକୁ  ମିଳିଥିଲା । ଏହା ଚଳିତ ଥର ବୃଦ୍ଧି  ହେବାର ଢ଼େର ସମ୍ଭାବନା ରହିଛ।