ଭୁବନେଶ୍ୱର,୨୬/୦୨: ଆଜି ଠାରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍ । ଏହି ଟିମ୍ରେ ମହାନଦୀ ଟ୍ରିବ୍ୟୁନାଲ ଅଧ୍ୟକ୍ଷା ବେଲା ଏମ୍ ତ୍ରିବେଦୀ, ସଦସ୍ୟ ଜଷ୍ଟିସ୍ ଡକ୍ଟର ରବି ରଞ୍ଜନ, ତାଙ୍କ ପତ୍ନୀ ଡକ୍ଟର ସୁନିତା ରାୟ ପ୍ରମୁଖ ଅଛନ୍ତି । ତେବେ ମହାନଦୀ ଟିବ୍ର୍ୟୁଲାଲର ଏହି ଗସ୍ତ ଏକ ଘରୋଇ ପିକ୍ନିକ୍ କି ବୋଲି ପ୍ରଶ୍ନ କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ ମଞ୍ଚ ।
ବୁଧବାର ୟୁନିଟ୍-୬ ନେତାଜୀ ଭବନରେ ମହାନଦୀ ଟ୍ରିବ୍ୟୁନାଲଙ୍କ ଗସ୍ତ ନେଇ ମହାନଦୀ ବଞ୍ଚାଅ ଆନ୍ଦୋଳନ ମଞ୍ଚର ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ସୁଦର୍ଶନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସଦସ୍ୟମାନେ ଏହି ପ୍ରଶ୍ନ ଉଠାଇଥିଲେ । ଉଦାହରଣ ଦେଇ କହିଥିଲେ, ପୂର୍ବରୁ ୨୦୨୩ରେ ମଧ୍ୟ ଟ୍ରିବ୍ୟୁନାଲ ଓଡ଼ିଶା ଗସ୍ତରେ ଆସିଥିଲା । ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲା । ଓଡ଼ିଶା ଲୋକଙ୍କ ୫ କୋଟି ଟଙ୍କା ଏଥିପାଇଁ ଓଡ଼ିଶା ସରକାରଙ୍କ ତହବିଲରୁ ଖର୍ଚ୍ଚ ହୋଇଥିଲା । ହେଲେ ଫଳ କ’ଣ ହେଲା, ତାହା ସମସ୍ତଙ୍କୁ ଜଣା । ଆସନ୍ତା ମାର୍ଚ୍ଚରେ ଟ୍ରିବ୍ୟୁନାଲ ଅବଧି ସରିବ ।
ଯେହେତୁ ୯ ମାସ ଅଧ୍ୟକ୍ଷ ପଦବି ଖାଲିଥିଲା ତେଣୁ ପୁଣି ୯ ମାସ ଟ୍ରିବ୍ୟୁନାଲ ଅବଧି ବଢ଼ିପାରେ । ହେଲେ ସେଥିରେ ଏ ପର୍ଯ୍ୟନ୍ତ ସ୍ପଷ୍ଟତା ଆସିନାହିଁ । ଟ୍ରିବ୍ୟୁନାଲରୁ ଓଡ଼ିଶାକୁ ଏବଂ ମହାନଦୀକୁ କିଛି ନ୍ୟାୟ ମିଳୁନି, ତେଣୁ ଓଡ଼ିଶା ଲୋକଙ୍କ ଟିକସ ପଇସା ପୁଣି ଖର୍ଚ୍ଚ କାହିଁକି ହେବ? ସେଥିରୁ ଓଡ଼ିଶାର କ’ଣ ଲାଭ ହେବ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ ମଞ୍ଚ ପ୍ରଶ୍ନ କରିଛି । ଏହା ସହିତ କିଛି କାର୍ଯ୍ୟକ୍ରମ ହାତକୁ ନେଇଛି । ଆସନ୍ତାକାଲି ମାଷ୍ଟରକ୍ୟାଣ୍ଟିନ ଛକରେ ବିରୋଧ ପ୍ରଦର୍ଶନ ହେବ ।
ସେହିପରି ୨୭ରୁ ୨ତାରିଖ ପର୍ଯ୍ୟନ୍ତ କନକତାରା, ସମ୍ୱଲପୁର, ବିନିକା, ସୋନପୁର, ଆଠମଲ୍କିକ, ବାଙ୍କୀ, ବୈଦେଶ୍ୱର, କଟକ, ପାରାଦ୍ୱୀପରେ ମଧ୍ୟ ମହାନଦୀ ବଞ୍ଚାଅ ଆନ୍ଦୋଳନ ବିରୋଧ ପ୍ରଦର୍ଶନ କରିବ ବୋଲି ଆବାହକ ଶ୍ରୀ ଦାସ କହିଛନ୍ତି । ସେହିପରି ଦୟାନଦୀରେ ଏକ ବ୍ୟାରେଜ ହେବା ନେଇ ଶ୍ରୀ ଦାସ ଉଦ୍ବେଗ ପ୍ରକାଶ କରିଛନ୍ତି । ଏହାଦ୍ୱାରା ତଳ ମୁଣ୍ଡରେ ନଦୀର ଅବସ୍ଥା ଶୋଚନୀୟ ହେବ । ନଦୀରୁ ଉଠୁଥିବା ବାଲି ଓ ମାଟିକୁ ମାଫିଆମାନେ ବୋହି ନେଉଛନ୍ତି ଯାହା ନଦୀ ଏବଂ ଅଞ୍ଚଳବାସୀଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି ।
ଅଧିକ ପଢ଼ନ୍ତୁ : ଆଜି ରାଜ୍ୟସଭା ନିର୍ବାଚନ ବିଜ୍ଞପ୍ତି: ଗୁରୁବାରଠୁ ମାର୍ଚ୍ଚ ୫ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ, ୧୬ରେ ଭୋଟ୍
ଆସନ୍ତା ୨୭ ତାରିଖରେ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ସେହି ଅଞ୍ଚଳ ଗସ୍ତ କରି ସ୍ଥାନୀୟ ସମସ୍ୟା ଅନୁଧ୍ୟାନ କରିବା ସହ ପ୍ରକଳ୍ପର ସମସ୍ତ ତଥ୍ୟ ପାଇଁ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବାକୁ ନିଷ୍ପତ୍ତି ହୋଇଥିବା ଶ୍ରୀ ଦାସ କହିଛନ୍ତି । ବୈଠକରେ ପରିବେଶବିତ୍ ଡ଼ ଜୟକୃଷ୍ଣ ପାଣିଗ୍ରାହୀ, ସିପିଆଇର ବରିଷ୍ଠ ନେତା ଆଶିଷ ଜାନୁନଗୋ, ସିପିଏମ୍ ନେତା ପ୍ରଦୀପ୍ତ ନାୟକ, ସିପିଆଇଏମ୍ଏଲ୍ ନେତା ଯୁଧିଷ୍ଠିର ମହାପାତ୍ର, ଫରୱାର୍ଡ ବ୍ଲକ ନେତା ଜ୍ୟୋତିରଞ୍ଜନ ମହାପାତ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।