ନୂଆଦିଲ୍ଲୀ,୧୮/୦୭: ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି । ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଆପୋସ ଆଲୋଚନା ମାଧ୍ୟମରେ ଏହି ବିବାଦର ସମାଧାନ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଉଛି । ଖୁବ୍‌ଶୀଘ୍ର ଉଭୟ ରାଜ୍ୟର ସଚିବସ୍ତରରେ ମଧ୍ୟ ଆଲୋଚନା ହେବ । ମହାନଦୀ ଜଳ ବିବାଦ  ଟ୍ରିବ୍ୟୁନାଲର ଅଧ୍ୟକ୍ଷା ବିଚାରପତି ବେଲା ଏମ୍‌ ତ୍ରିବେଦୀ ଓ ଅନ୍ୟ ଦୁଇ ଜଣ ସଦସ୍ୟାଙ୍କ ନିକଟରେ ଅନୁଷ୍ଠିତ ଶୁଣାଣି ସମୟରେ ଓଡ଼ିଶା ସରକାରଙ୍କ ଆଡଭୋକେଟ୍‌ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଏହା ଉଲ୍ଲେଖ କରିଛନ୍ତି ।  

ସେ କହିଲେ ଯେ ରାଜନୈତିକ ଓ ସଚିବସ୍ତରୀୟ ଆଲୋଚନା ମାଧ୍ୟମରେ ବହୁଦିନର ଏହି ବିବାଦକୁ ସମାଧାନ କରିବା ସକାଶେ ଉଭୟ ରାଜ୍ୟ ସରକାର ଚେଷ୍ଟା ଚଳାଇଛନ୍ତି । ସଚିବସ୍ତରୀୟ ଆଲୋଚନା ହେବା ପରେ ସେ ପ୍ରସଙ୍ଗର ଅଗ୍ରଗତି ସମ୍ପର୍କରେ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଇବେ । ତେବେ ଛତିଶଗଡ ସରକାରଙ୍କ ବରିଷ୍ଠ ଆଡଭୋକେଟ୍‌ ଦର୍ଶାଇଥିଲେ ଯେ, ତାଙ୍କ ନିକଟରେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ନାହିଁ । ଉଭୟ ସରକାରଙ୍କ ପକ୍ଷ ଶୁଣିବା ପରେ ଟ୍ରିବ୍ୟୁନାଲ ଏହି ମାମଲାକୁ ଅଗଷ୍ଟ ୨ ପର୍ଯ୍ୟନ୍ତ ସ୍ଥଗିତ କରିଦେଇଥିଲେ। ଏହାସହ  ମହାନଦୀ ଜଳ ବିବାଦ ମାମଲା ନେଇ ସାକ୍ଷୀମାନଙ୍କ ଏକ ନୂତନ ତାଲିକା ପ୍ରଦାନ କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ। ଟ୍ରିବ୍ୟୁନାଲ ସ୍ପଷ୍ଟ କଲେ ଯେ, ଯଦି ଆଲୋଚନା ମାଧ୍ୟମରେ ସମାଧାନର କୌଣସି  ରାସ୍ତା ନ ବାହାରେ, ତା’ହେଲେ ପୂର୍ବର ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରାଯିବ ।  

ଉଲ୍ଲେଖଯୋଗ୍ୟ ଯେ ଗତ ଜାନୁୟାରୀ ୨୫ରେ ହୋଇଥିବା ଶୁଣାଣି ସମୟରେ ଶ୍ରୀ ଆଚାର୍ଯ୍ୟ  ଟ୍ରିବ୍ୟୁନାଲଙ୍କୁ କହିଥିଲେ ଯେ, ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଏହି ବିବାଦର ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ ନୂତନ  ଆଭିମୁଖ୍ୟ ଗ୍ରହଣ କରାଯାଇଛି । ପୂର୍ବର ବିଜେଡି  ସରକାରଙ୍କ ସମୟରେ ଏହି ବିବାଦର ସମାଧାନ  ପାଇଁ ବିଚାର ବିଭାଗୀୟ ପ୍ରକ୍ରିୟା ଉପରେ ବିଶେଷ  ଗୁରୁତ୍ୱ ଦିଆଯାଉଥିଲା, ଫଳରେ ମାମଲା ବର୍ଷ ବର୍ଷ ଧରି ପଡିରହିଥିଲା । ତେଣୁ ବର୍ତ୍ତମାନ ବିବାଦର  ସମାଧାନ ତ୍ୱରାନ୍ୱିତ ହେବ ବୋଲି ସେ ଆଶାପ୍ରକାଶ  କରିଛନ୍ତି । ଏଥିପାଇଁ ଶ୍ରୀ ଆଚାର୍ଯ୍ୟ ଟ୍ରିବ୍ୟୁନାଲଙ୍କ ଠାରୁ  ଅଧିକ ସମୟ ଲୋଡିଥିଲେ ।