ଲକ୍ଷ୍ନୌ, ୨୮।୪: ଉତ୍ତର ପ୍ରଦେଶରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହି ଗରମ ସମୟରେ ଲକ୍ଷ୍ନୌର ମହାନଗର ଅଞ୍ଚଳରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ତେବେ ଏହି ବିପତ୍ତି ସମୟରେ ଜଣେ ପୁଲିସ ଅଧିକାରୀଙ୍କ ଦେବଦୂତ ସଦୃଶ କାର୍ଯ୍ୟ ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ନିଜ ଜୀବନକୁ ବାଜି ଲଗାଇ ଜଣେ ଅସହାୟ ବୃଦ୍ଧାଙ୍କୁ ମୃତ୍ୟୁ ମୁଖରୁ ଉଦ୍ଧାର କରି ସାହସିକତାର ଏକ ନୂଆ ପରିଚୟ ସୃଷ୍ଟି କରିଛନ୍ତି SHO ଅଖିଳେଶ ମିଶ୍ର । ଲକ୍ଷ୍ନୌର ଫୈଜାବାଦ ରୋଡ୍ ସ୍ଥିତ ଆଇଟି ମେଟ୍ରୋ ଷ୍ଟେସନ ନିକଟରେ ଥିବା ଘନଶ୍ୟାମ ଦାସ ଅଗ୍ରୱାଲଙ୍କ ବାସଭବନରେ ଏହି ଅଘଟଣ ଘଟିଥିଲା । ସୂଚନା ଅନୁଯାୟୀ, ଘରର ଗ୍ରାଉଣ୍ଡ ଫ୍ଲୋରରେ ଥିବା ଏକ ରୁମରେ ସର୍ଟ ସର୍କିଟ ଯୋଗୁଁ ଏସିଟି ଫାଟି ଯାଇଥିଲା । ଏହାପରେ ପୂରା ଘରେ ହୁତୁହୁତୁ ହୋଇ ନିଆଁ ବ୍ୟାପି ଯାଇଥିଲା । ଘର ଭିତରେ ଥିବା ଲୋକେ ଜୀବନ ବଞ୍ଚାଇବା ପାଇଁ ବାହାରକୁ ଦୌଡ଼ି ପଳାଇଥିଲେ, କିନ୍ତୁ ସେଠାରେ ଫସି ରହିଯାଇଥିଲେ ସବିତା ନାମକ ଜଣେ ବୃଦ୍ଧା ।

ହୁଇଲ ଚେୟାରରେ ଫସି ରହିଥିଲେ ବୃଦ୍ଧା:

ସବିତା ବୟସାଧିକ କାରଣରୁ ଚଲାବୁଲା କରିପାରନ୍ତି ନାହିଁ ଏବଂ ସବୁବେଳେ ହୁଇଲ ଚେୟାର ଉପରେ ନିର୍ଭର କରିଥାନ୍ତି । ନିଆଁ ଚାରିଆଡ଼େ ମାଡ଼ି ଯାଇଥିବାରୁ ସେ ବାହାରକୁ ଆସିପାରି ନଥିଲେ ଏବଂ କଳା ଧୂଆଁ ମଧ୍ୟରେ ଶ୍ୱାସରୁଦ୍ଧ ହୋଇ ରହିଯାଇଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରିବା ପାଇଁ ବାହାରେ ଆର୍ତ୍ତଚିତ୍କାର କରୁଥିଲେ । ଖବର ପାଇ ମହାନଗର ପୋଲିସ ଷ୍ଟେସନର SHO ଅଖିଳେଶ ମିଶ୍ର ତୁରନ୍ତ ନିଜ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇବା କାମ ଆରମ୍ଭ କରିବା ପୂର୍ବରୁ ଅଖିଳେଶ ଦେଖିଲେ ଯେ ବୃଦ୍ଧା ଜଣକ ଘର ଭିତରେ ମୃତ୍ୟୁ ସହ ପଞ୍ଝା ଲଢ଼ୁଛନ୍ତି । କୌଣସି କଥା ଚିନ୍ତା ନକରି ସେ ନିଜ ଜୀବନକୁ ବିପଦରେ ପକାଇ ପ୍ରବଳ ନିଆଁ ଏବଂ ଧୂଆଁ ଭିତରକୁ କୁଦି ପଡ଼ିଥିଲେ । ସେ ବୃଦ୍ଧାଙ୍କ ପାଖରେ ପହଞ୍ଚି ତାଙ୍କୁ ନିରାପଦରେ ଉଦ୍ଧାର କରି ଜଳୁଥିବା ଘରୁ ବାହାରକୁ ବାହାର କରି ଆଣିଥିଲେ ।

ଏହା ବି ପଢ଼ନ୍ତୁ... ଶଶି ଥରୁରଙ୍କ ଗୋପନ କଥା ପ୍ରଘଟ କଲେ କିରେନ ରିଜିଜୁ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ବୟାନ

ଏହି ଉଦ୍ଧାର କାର୍ଯ୍ୟ ପରେ ସ୍ଥାନୀୟ ଲୋକେ ଏବଂ ବୃଦ୍ଧାଙ୍କ ପରିବାର ଅଖିଳେଶ ମିଶ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି । ଜଣେ କର୍ତ୍ତବ୍ୟନିଷ୍ଠ ପୋଲିସ ଅଧିକାରୀ ଭାବେ ତାଙ୍କର ଏହି କାର୍ଯ୍ୟ ୟୁପି ପୁଲିସ ପାଇଁ ଗୌରବ ଆଣିଛି । ଅନ୍ୟପଟେ ଦମକଳ ବାହିନୀର ଦୁଇଟି ଗାଡ଼ି ବହୁ କଷ୍ଟରେ ନିଆଁକୁ ଆୟତ୍ତ କରିଥିଲା । ଯଦିଓ ବୃଦ୍ଧା ଜଣକ ସୁରକ୍ଷିତ ଅଛନ୍ତି, କିନ୍ତୁ ଅଗ୍ନିକାଣ୍ଡ ଯୋଗୁଁ ଘରର ସମସ୍ତ ଆସବାବପତ୍ର ଓ ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି । ଅଖିଳେଶ ମିଶ୍ର କିଏ ? ଅଖିଳେଶ ମିଶ୍ର ହେଉଛନ୍ତି ଲକ୍ଷ୍ନୌର ମହାନଗର ଥାନାର ପ୍ରଭାରୀ ନିରୀକ୍ଷକ (SHO) । ସେ ନିଜର ଶୃଙ୍ଖଳିତ କାର୍ଯ୍ୟଶୈଳୀ ଏବଂ ଜନସାଧାରଣଙ୍କୁ ସାହାଯ୍ୟ କରିବା ମନୋଭାବ ପାଇଁ ପୂର୍ବରୁ ମଧ୍ୟ ପରିଚିତ । ଆଜିର ଏହି ଘଟଣା ତାଙ୍କୁ ଜଣେ 'ରିଅଲ ଲାଇଫ୍ ହିରୋ' ଭାବେ ପ୍ରତିଷ୍ଠିତ କରିଛି ।