ଆଖି ଆଗରେ ମୋର ଦୁଇ ପିଲାଙ୍କୁ ବୁଡି ଯିବାର ଦେଖିଛି, ସେତେବେଳେ ଭାଙ୍ଗି ପଡିଥିଲି କିନ୍ତୁ… ବିଧାନସଭାରେ ଭାଷଣ ବେଳେ ଭାବପ୍ରବଣ ହେଲେ ସିନ୍ଦେ

ମୁମ୍ବାଇ,୪।୭: ମହାରାଷ୍ଟ୍ରର ଏକନାଥ ସିନ୍ଦେ ସରକାର ସୋମବାର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହାସଲ କରିଛନ୍ତି। ପ୍ରଥମ ଥର ମୁଖ୍ୟମନ୍ତ୍ରୀ ସିନ୍ଦେ ବିଧାନସଭାର ସଦସ୍ୟଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସିନ୍ଦେ ବିରୋଧୀଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି। ଏହା ସହିତ ନିଜ ଜୀବନର କିଛି ବ୍ୟକ୍ତିଗତ କଥା ଏବଂ ଦୁଃଖକୁ କହିବା ବେଳେ ସେ ଖୁବ୍ ଭାବପ୍ରବଣ ହୋଇଯାଇଥିଲେ। ସିନ୍ଦେ ସେହି ଦୁର୍ଘଟଣାକୁ ମଧ୍ୟ ମନେପକାଇଛନ୍ତି, ଯେତେବେଳେ ତାଙ୍କର ଆଖି ସାମନାରେ ନିଜ ପୁଅ-ଝିଅଙ୍କର ନଦୀରେ ବୁଡି ମୃତ୍ୟୁ ହୋଇଥିଲା।
ବିଧାନସଭାରେ ଭାଷଣ ଦେବା ସମୟରେ ସିନ୍ଦେ କହିଥିଲେ, ଏପର୍ଯ୍ୟନ୍ତ ଆମେ ଦେଖିଛୁ ବିରୋଧୀ ଦଳର ଲୋକ ଶାସକ ଦଳକୁ ଆସନ୍ତି, କିନ୍ତୁ ଇତିହାସରେ ଏହା ପ୍ରଥମ ଯେତେବେଳେ ୯ ମନ୍ତ୍ରୀ ଓ ୫୦ ବିଧାୟକ କ୍ଷମତା ଛାଡି ଆସିଗଲେ। ବିଧାନ ପରିଷଦ ନିର୍ବାଚନରେ ମୋ ସହିତ ଯେଉଁଭଳି ଖରାପ ବ୍ୟବହାର କରାଗଲା ଓ ଅପମାନ ଦିଆଗଲା ତାହା ସହ୍ୟ କରିପାରିଲିନି। ମୁଁ ତୁରନ୍ତ ନିଷ୍ପତ୍ତି ନେଲି ଓ ଶିବସେନାର ବିଧାୟକଙ୍କୁ ଫୋନ୍ କରିବା ଆରମ୍ଭ କରିଦେଲି । ସେତେବେଳେ ସମସ୍ତେ ମୋ ସହିତ ଆସିବାକୁ ପ୍ରସ୍ତୁତ ହୋଇଗଲେ। ମୋତେ ଅପମାନିତ ଓ ଅବହେଳା କରାଯାଉଥିଲା। ଏହା ଗୋଟିଏ ଦିନର ଦୁଃଖ ନୁହେଁ, ବହୁ ମାସର କଷ୍ଟ ଥିଲା। ମୋତେ ମୁଖ୍ୟମନ୍ତ୍ରୀ ଠାକରେଙ୍କ ଫୋନ୍ ଆସିଥିଲା ଓ ଲୋକଙ୍କର ମଧ୍ୟ ଫୋନ୍ ଆସିଥିଲା। ମୋତେ ଚାହୁଁଥିବା ଲୋକଙ୍କ ସଂଖ୍ୟା ଏତେ ଅଧିକ ଯେ, ଯଦି କେହି ମୋତେ ଶେଷ କରିବାକୁ ଚେଷ୍ଟା କରିବ ବଡ କ୍ଷତି ସହିବ। ମୁଁ ଚେତାବନୀ ଦେଉଛି, ଯେପରି ମହୁମାଛିର ଫେଣା ଭାଙ୍ଗିବା ପରେ ମହୁମାଛିମାନେ ଉଡନ୍ତି ଠିକ୍ ସେଭଳି ମୋର କର୍ମୀମାନେ ଏକାଠି ବାହାରି ପଡିବେ।
#WATCH | Maharashtra CM Eknath Shinde breaks down as he remembers his family in the Assembly, “While I was working as a Shiv Sena Corporator in Thane, I lost 2 of my children & thought everything is over…I was broken but Anand Dighe Sahab convinced me to continue in politics.” pic.twitter.com/IVxNl16HOW
— ANI (@ANI) July 4, 2022
ସିନ୍ଦେ ବିଧାନସଭାରେ ଭାଷଣ ଦେବା ବେଳେ ଖୁବ୍ ଭାବପ୍ରବଣ ହୋଇଯାଇଥିଲେ।ସିନ୍ଦେ କହିଛନ୍ତି, ଯେତେବେଳେ ଶିବସେନାରେ କାମ କରୁଥିଲି ସେ ସମୟରେ ଘର ପରିବାର ସବୁ ଭୁଲି ଯାଇଥିଲି। ବାପା-ମାଙ୍କୁ ସମୟ ମଧ୍ୟ ଦେଇପାରୁନଥିଲି। ଘରକୁ ରାତି ଯିବା ବେଳେ ସେମାନେ ଶୋଇ ପଡୁଥିଲେ। ଆଖି ସାମନାରେ ମୋର ପୁଅ-ଝିଅଙ୍କୁ ନଦୀରେ ବୁଡି ମରିଯିବାର ଦେଖିଛି । ଏହାପରେ ମୁଁ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲି। ରାଜନୀତି ଛାଡି ଦେଇଥିଲି। ସେତେବେଳେ ଆନନ୍ଦ ଦିଘେ ସାହେବ ମୋତେ ସାହାରା ଦେଇଥିଲେ। ଘରକୁ ୫ ଥର ଆସି ବୁଝାଇଥିଲେ, ଏକନାଥ ତୁମକୁ ଅନ୍ୟମାନଙ୍କର ଆଖିର ଲୁହ ପୋଛିବାକୁ ହେବ। ମୁଁ ୧୬ ଲେଡିସ୍ ବାର ଭାଙ୍ଗିଛି, ୧୦୦ ପୋଲିସ କେସ୍ ମୋ ଉପରେ ମଧ୍ୟ ହୋଇଛି, ହାଇକୋର୍ଟରେ ଏହି ମାମଲା ରହିଛି। ଅଣ୍ଡରଓ୍ବାର୍ଲ୍ଡ ଡନ୍ ମୋତେ ଆକ୍ରମଣ କରିବାକୁ ଚାହୁଁଥିଲେ, ହେଲେ ଦିଘେ ସାହେବ କହିଥିଲେ, ଏକନାଥର କିଛି ହେଲେ କାହାକୁ ଛାଡିବୁନି।’
ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ଶିବସେନାର ବିଜେପି ସରକାର ଦ୍ବାରା ବାଲାସାହେବ ଠାକରେଙ୍କ ସ୍ବପ୍ନ ପୂରଣ ହୋଇଛି। ଗତ ୨୦ ଦିନରେ ସବୁ ୫୦ ବିଧାୟକ ମୋ ଉପରେ ଓ ନିଷ୍ପତ୍ତି ଉପରେ ବିଶ୍ବାସ କରିଥିଲେ। ମୁଁ ସେହି ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ମୋତେ ଏବେ ବି ବିଶ୍ବାସ ହେଉନି ମୁଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଭାଷଣ ଦେଉଛି। ଏହି ଘଟଣା ଐତିହାସିକ, କାରଣ ଆମେ ମେଣ୍ଟ ଛାଡିବାର ସାହାସ କରିଥିଲୁ। ମୋର କ୍ଷମତାର ଲୋଭ କେବେ ନଥିଲା କିମ୍ବା ଆଗକୁ ବି ରହିବନି।’