ମୁମ୍ବାଇ,୧୯/୧୧: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ସୋମବାର ପ୍ରଚାର ଶେଷ ହୋଇଛି । ଆସନ୍ତା ୨୦ ତାରିଖ (ବୁଧବାର)ରେ ମତଦାନ ହେବ । ମହାରାଷ୍ଟ୍ରର ସମସ୍ତ ୨୮୮ ଆସନରେ ଗୋଟିଏ ପର୍ଯ୍ୟାୟରେ ଭୋଟ ହେବାକୁ ଥିବା ବେଳେ ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟରେ ବଳକା ୩୮ ଆସନରେ ମତଦାନ ହେବ । ପ୍ରଥମ ପର୍ଯ୍ୟାୟରେ ଝାଡ଼ଖଣ୍ଡର ୪୩ ଆସନରେ ଭୋଟ ଗ୍ରହଣ ହୋଇଥିଲା । ଆସନ୍ତା ୨୩ ତାରିଖରେ ଏହି ଦୁଇ ରାଜ୍ୟ ସମେତ ଅନ୍ୟ କେତେକ ରାଜ୍ୟରେ ଅନୁଷ୍ଠିତ ଉପନିର୍ବାଚନର ଫଳ ପ୍ରକାଶ ପାଇବ ।
ଶେଷ ଦିନରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡା, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ, ରାହୁଲ ଗାନ୍ଧୀ ପ୍ରମୁଖ ନେତା ମହାରାଷ୍ଟ୍ରରେ ପ୍ରଚାର କରିଥିବା ଦେଖିବାକୁ ମିଳିଛି । ନଡ୍ଡା କହିଛନ୍ତି, ମହାରାଷ୍ଟ୍ରର ସମସ୍ତ ଅଞ୍ଚଳରେ ମହାୟୁତି ବେଶ୍ ଲୋକପ୍ରିୟ ରହିଛି । ବିକାଶ ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମହାୟୁତି ଉପରେ ଲୋକମାନେ ଭରସା କରୁଛନ୍ତି । କେବଳ ମହାୟୁତି ଦ୍ୱାରା ହିଁ ସେମାନଙ୍କର ବିକାଶ ଆଶା ପୂରଣ ହୋଇପାରିବ । ମହାରାଷ୍ଟ୍ରର ଲୋକମାନେ ମହାୟୁତି ହିଁ ସେମାନଙ୍କ ସ୍ୱପ୍ନ ପୂରଣ କରିପାରିବ ବୋଲି ଭାବୁଛନ୍ତି ।
କଂଗ୍ରେସକୁ ଟାର୍ଗେଟ୍ କରି କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି, ସେମାନେ ଜାତି ଭିତ୍ତିରେ ଦେଶକୁ ବିଭାଜନ କରିବାକୁ ଚାହୁଁଛନ୍ତି। ଲୋକମାନେ ଏହାର ଜବାବ ଦେବେ । ହରିଆଣାରେ ହାରିବା ପରେ କଂଗ୍ରେସର ମନୋବଳ ଭାଙ୍ଗିଯାଇଛି । ଏବେ ସେମାନେ ଉଭୟ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ବି ହାରିବାକୁ ଯାଉଛନ୍ତି । ଆମେ ଦୁଇ ରାଜ୍ୟରେ ବିଜୟୀ ହେବୁ ।
ଅନ୍ୟପକ୍ଷରେ ମହାରାଷ୍ଟ୍ରରେ ପ୍ରଚାର କରି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେୱନ୍ତ ରେଡ୍ଡୀ ଆଜି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରାଜୟ ସ୍ୱୀକାର କରିଛନ୍ତି । ତେଣୁ ସେ ବିଦେଶ ଗସ୍ତରେ ଯାଇଛନ୍ତି । ସେମାନେ ରଣଭୂମି ଛାଡ଼ି ପଳାୟନ କଲେଣି । ପ୍ରଧାନମନ୍ତ୍ରୀ ୩ ଥର ଦେଶର ଦାୟିତ୍ୱ ସମ୍ଭାଳିଲେଣି । କିନ୍ତୁ ସେ ନିଜ କାମକୁ ନେଇ କିଛି କହୁନାହାନ୍ତି ।
କଂଗ୍ରେସ ନେତା ଟି ଏସ୍ ସିଂହଦେଓ କହିଛନ୍ତି, ଲୋକମାନେ ଆମ ଦଳକୁ ଭୋଟ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ମହାରାଷ୍ଟ୍ରରେ ମହା ବିକାଶ ଅଘାଡ଼ି (ଏମ୍ଭିଏ) ହିଁ ସରକାର ଗଢ଼ିବ । ମହାୟୁତି କେବଳ ଦଳ ଭାଙ୍ଗିବା କାର୍ଯ୍ୟ କରିଛି । ମହା ବିକାଶ ଅଘାଡ଼ି ଏଥର ପ୍ରାୟ ୧୮୦ ଆସନ ଜିତିବ । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ଝାଡ଼ଖଣ୍ଡ ନିର୍ବାଚନ ଗରିବ, ଯୁବପିଢ଼ି, ମହିଳାଙ୍କ ପାଇଁ ହେଉଛି । ରାଜ୍ୟର ଜେଏମ୍ଏମ୍ ନେତୃତ୍ୱାଧୀନ ସରକାର ୨୦୧୯ ନିର୍ବାଚନରେ ଏହାର କୌଣସି ପ୍ରତିଶ୍ରୁତି ପାଳନ କରି ନ ଥିଲା ।