ମହେନ୍ଦ୍ରଗିରିରେ ଭୂସ୍ଖଳନ ସ୍ଥାନୀୟ  ପ୍ରାକୃତିକ ପରିସଂସ୍ଥାର ସ୍ଥାୟିତ୍ୱ ପାଇଁ  ସତର୍କ ଘଣ୍ଟି । ଏକ ସମର୍ଥିତ ସୂତ୍ରରୁ  ମିଳିଥିବା ସୂଚନାନୁଯାୟୀ, ଏହି ଘଟଣା  ଘଟିବା ପରେ, ଓଡ଼ିଶା ସରକାର  ବର୍ତ୍ତମାନ ଭୂସ୍ଖଳନଜନିତ ସମସ୍ୟାର  ମୁକାବିଲା ପାଇଁ ଏକ ମାଷ୍ଟର ପ୍ଲାନ୍‌  ପ୍ରସ୍ତୁତ କରିବାକୁ ଯାଉଛନ୍ତି ।

ଭାରତବର୍ଷର ପୂର୍ବଘାଟ ପର୍ବତମାଳା ୭୫,୦୦୦  ବର୍ଗ କିମି. ପର୍ଯ୍ୟନ୍ତ ପରିବ୍ୟାପ୍ତ, ଯାହା ଓଡ଼ିଶା,  ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ତାମିଲନାଡୁ  ରାଜ୍ୟ ମଧ୍ୟଦେଇ ଗତିକରେ । ଓଡ଼ିଶାର ଭୌଗୋଳିକ  ପରିସୀମା ମଧ୍ୟରେ ଏହି ପର୍ବତମାଳାରେ ଅନ୍ତର୍ଭୁକ୍ତ  ଥିବା ଗଜପତି ଜିଲ୍ଲାର ମହେନ୍ଦ୍ରଗିରି (୧୫୦୧ ମିଟର),  କୋରାପୁଟର ଦେଓମାଳୀ (୧୬୭୨ ମିଟର) ପରେ  ରାଜ୍ୟର ଦ୍ୱିତୀୟ ସୁଉଚ୍ଚ ଗିରିଶୃଙ୍ଗ । ପଦ୍ମପୁରାଣ,  ଅଗ୍ନିପୁରାଣ ଏବଂ ମତ୍ସ୍ୟପୁରାଣରେ ଭାରତର ସାତଟି  ସୁଉଚ୍ଚ ଗିରିଶୃଙ୍ଗ ବିଷୟରେ ବର୍ଣ୍ଣନା କରାଯାଇଛି ଯାହାକୁ  ସପ୍ତ କୁଳଗିରି କୁହାଯାଏ । ମହେନ୍ଦ୍ରୋମଳୟଃ ସହ୍ୟଃ  ଶୁକ୍ତିମାନୁଷ ପର୍ବତଃ/ ବିନ୍ଧ୍ୟଶ୍ଚପାରିୟାତ୍ରଶ୍ଚ ସପ୍ତେତେ  କୁଳ ପର୍ବତାଃ । ମହେନ୍ଦ୍ର, ମଳୟ, ସହ୍ୟ ବା ସାହ୍ୟାଦ୍ର  , ଶୁକ୍ତିମାନ, ଋକ୍ଷ, ବିନ୍ଧ୍ୟ ଓ ପାରିପାତ୍ର ବା ପାରିୟାତ୍ର  ସପ୍ତ ପର୍ବତ ଅଟନ୍ତି । ତନ୍ମଧ୍ୟରୁ ମହେନ୍ଦ୍ରଗିରି ସର୍ବଶ୍ରେଷ୍ଠ  ମାନ୍ୟତାର ଅଧିକାରୀ ଅଟେ । ମହେନ୍ଦ୍ରଗିରି ପ୍ରାଚୀନ  କଳିଙ୍ଗ ସଭ୍ୟତାର ଏକ ପ୍ରାଥମିକ ଭୂମି  ଥିଲା । ରାମାୟଣ, ମହାଭାରତ ଭଳି ଅନେକ  ପୁରାଣରେ ମହେନ୍ଦ୍ରଗିରିର ନାମ ଉଲ୍ଲିଖିତ  ରହିଛି । ମହେନ୍ଦ୍ରଗିରିକୁ ପର୍ଶୁରାମ କ୍ଷେତ୍ର ମଧ୍ୟ  କୁହାଯାଏ । ପିଣ୍ଡଦାନ ପାଇଁ ମହେନ୍ଦ୍ରଗିରି ଏକ  ଶ୍ରେଷ୍ଠ ପବିତ୍ର ଭୂମି ଭାବରେ ପରିଗଣିତ ।  ମହେନ୍ଦ୍ରଗିରିରେ ଯେଉଁ କୀର୍ତ୍ତିରାଜିମାନ ରହିଛି  ତାହା ହେଲା କୁନ୍ତୀ ମନ୍ଦିର, ଯୁଧିଷ୍ଠିର ମନ୍ଦିର,  ଭୀମ ମନ୍ଦିର, ଅର୍ଜୁନ ଗୁମ୍ଫା, ଦାରୁ ବ୍ରହ୍ମ, ପର୍ଶୁରାମ ବିଗ୍ରହ,  ପର୍ଶୁରାମ କୁଣ୍ଡ ଇତ୍ୟାଦି । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ  ଦ୍ୱାରା ଆନ୍‌ସିଏଣ୍ଟ ମନୁମେଣ୍ଟସ୍‌ ଆଣ୍ଡ ଆରକିଓଲୋଜିକାଲ୍‌  ରିମେନ୍ସ ଆଣ୍ଡ ସାଇଟ୍ସ ଆକ୍ଟ ୧୯୫୮ ଆଧାରରେ ଏହିସବୁ  କୀର୍ତ୍ତିରାଜିକୁ ସୁରକ୍ଷା ପ୍ରଦାନ କରାଯାଉଛି । ସମ୍ପ୍ରତି ଏହାର  ପୌରାଣିକ ମହତ୍ତ୍ୱକୁ ସ୍ୱୀକୃତି ଦେଇ ମହେନ୍ଦ୍ରଗିରିକୁ  ରାମାୟଣ ସର୍କିଟ ଅଧୀନରେ ଚିହ୍ନିତ ପନ୍ଦରଟି ସ୍ଥାନ  ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି ।

ମହେନ୍ଦ୍ରଗିରି ପାହାଡ଼ସମୂହରୁ ମହେନ୍ଦ୍ରତନୟା,  ରୁଷିକୁଲ୍ୟା, ବଂଶଧାରା ଏବଂ ବାହୁଦା ପରି ନଦୀ ଏବଂ ବହୁ  ଛୋଟ ବଡ଼ ଝରଣା ପ୍ରବାହିତ ହୁଏ । ଏହି ପାର୍ବତ୍ୟାଞ୍ଚଳର  ଉଦ୍ଭିଦ ଏବଂ ପ୍ରାଣୀଙ୍କ ଗୁରୁତ୍ୱ ବିଷୟ ହେଉଛି ଯେ ଏହା  ଉତ୍ତରୀୟ ହିମାଳୟ ଏବଂ ଦାକ୍ଷିଣାତ୍ୟ ଉପଦ୍ୱୀପ ଡେକାନ୍‌  ମାଳଭୂମିର ଜୈବବିବିଧତାକୁ ପ୍ରତିନିଧିତ୍ୱ କରେ । ଏହାର  ବିବିଧ ଉଦ୍ଭିଦଭରା ଜଙ୍ଗଲକୁ ଚାରି ଶ୍ରେଣୀରେ ବିଭକ୍ତ  କରାଯାଏ ଯଥା- ଶାଳ ଜଙ୍ଗଲ, ମିଶ୍ରିତ ଜଙ୍ଗଲ, ତୃଣଭୂମି  ଜଙ୍ଗଲ ଏବଂ ବୁଦୁବୁଦିଆ ଜଙ୍ଗଲ । ଏହା ଅନେକ ଔଷଧୀୟ  ଉଦ୍ଭିଦରେ ପରିପୂର୍ଣ୍ଣ ଏବଂ ଅନେକ ବିଭିନ୍ନ ବନ୍ୟପ୍ରାଣୀ  ଏବଂ ପକ୍ଷୀଙ୍କ ପାଇଁ ଏକ ସର୍ବୋତ୍ତମ ପ୍ରାକୃତିକ ବାସସ୍ଥଳୀ । 

ଏକ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଏଠାରେ  ୧,୩୦୦ରୁ ଊଦ୍ଧ୍ୱର୍ ବିବିଧ ଉଦ୍ଭିଦଜାତି ଚିହ୍ନଟ ହୋଇଥିବା  ବେଳେ ୩୮୮ ଜାତିର ପ୍ରାଣୀ ରହିଥିବା ଜଣାଯାଏ ।  ସେଥିରେ ଅନ୍ତର୍ଭୁକ୍ତ ଅଛନ୍ତି ୨୭ ପ୍ରକାର ସ୍ତନ୍ୟପାୟୀ, ୧୬୫  ଜାତିର ପକ୍ଷୀ, ୧୦୦ରୁ ଊଦ୍ଧ୍ୱର୍ ପ୍ରଜାପତି । ସୁଖର କଥା,  ଓଡ଼ିଶା ସରକାର ନଭେମ୍ବର ୨୦୨୨ରେ ମହେନ୍ଦ୍ରଗିରିର  ଇଡ଼ନଗିରି ଏବଂ ମହେନ୍ଦ୍ର ସଂରକ୍ଷିତ ଜଙ୍ଗଲର ୪,୨୫୦  ହେକ୍ଟର ବନାଞ୍ଚଳକୁ ଏକ ଜୈବବିବିଧତା ଐତିହ୍ୟସ୍ଥଳୀ  ରୂପେ ମାନ୍ୟତା ପ୍ରଦାନ କରିଛନ୍ତି । ଅଧୁନା ପୋଡୁଚାଷ,  ଅବିଚାରିତ ବୃକ୍ଷଛେଦନ, ଜଙ୍ଗଲଜାତ ଦ୍ରବ୍ୟର ଅତ୍ୟଧିକ  ସଂଗ୍ରହ, ପଥର ଖଣିଖାଦାନ, ରାସ୍ତାଘାଟ ନିର୍ମାଣ, ଅବାଧ  ଯାନବାହନ ଚଳାଚଳ, ପର୍ଯ୍ୟଟକମାନଙ୍କ ପାଇଁ ବିଳାସମୟ  ବାସଗୃହ ବା କଟେଜ୍‌ ନିର୍ମାଣ ଭଳି ମାନବୀୟ କାର୍ଯ୍ୟକଳାପ  ହେତୁ, ମହେନ୍ଦ୍ରଗିରି ପରିସଂସ୍ଥାର ପ୍ରାକୃତିକତା  ଅବକ୍ଷୟମୁଖୀ ହେଉଛି ଏବଂ ବନ୍ୟଜୀବଙ୍କର ସଂଖ୍ୟା  ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି । ଏଠାରେ ଉପଲବ୍ଧ  ଥିବା ଅନେକ ଉଦ୍ଭିଦ ଏବଂ ପ୍ରାଣୀ ଜାତି ପ୍ରକୃତି ସଂରକ୍ଷଣ  ପାଇଁ ଆନ୍ତର୍ଜାତିକ ସଂଘ (ଆଇୟୁସିଏନ୍‌) ଦ୍ୱାରା ପ୍ରସ୍ତୁତ  ଲାଲ ପୁସ୍ତକରେ "ବିପଦ, ଦୁର୍ବଳ, ବିଲୁପ୍ତ' ଏବଂ "ବିରଳ'  ବର୍ଗରେ ସ୍ଥାନିତ ହୋଇସାରିଲେଣି ଏବଂ ଆହୁରି ଅନେକ  ଏଥିରେ ଯୋଡ଼ିହେବାର ସମ୍ଭାବନା ରହିଛି । 

ଭାରତୀୟ ବନ୍ୟଜୀବ ପ୍ରତିଷ୍ଠାନ ‘ଭାରତରେ ଏକ  ବନ୍ୟଜୀବ ସଂରକ୍ଷିତ କ୍ଷେତ୍ର ନେଟୱାର୍କ ଯୋଜନା'  ନାମକ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ । ଏହି ରିପୋର୍ଟ  ସୁପାରିସରେ ଉତ୍ତର, ଉତ୍ତର-ପୂର୍ବ ଏବଂ ଦକ୍ଷିଣ-ପୂର୍ବର  ଉଦ୍ଭିଦ-ଭୌଗୋଳିକ ସମ୍ବନ୍ଧ ଆଧାରରେ ମହେନ୍ଦ୍ରଗିରି  ପାହାଡ଼ସମୂହରେ ଏକ ଅଭୟାରଣ୍ୟ ଏବଂ ସଂରକ୍ଷିତ  ଜୈବମଣ୍ଡଳ ସ୍ଥାପନ କରିବାର ପରାମର୍ଶ ରହିଛି । ୧୯୮୮  ମସିହାରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ  ଉକ୍ତ ସୁପାରିସକୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ  ଓଡ଼ିଶା ରାଜ୍ୟ ସରକାରଙ୍କୁ ଏହି ରିପୋର୍ଟ ସହ ଏକ  ଅନୁରୋଧପତ୍ର ପଠାଇଥିଲା । ୨୫ ନଭେମ୍ବର ୧୯୯୫ରେ  ମହେନ୍ଦ୍ରଗିରି ପାହାଡ଼ସମୂହରେ ଏକ ବନ୍ୟଜୀବ  ଅଭୟାରଣ୍ୟ ସୃଷ୍ଟିପାଇଁ ସୁପାରିସ କରାଯାଇଥିଲା । 

ଓଡ଼ିଶା ପରିବେଶ ସମିତିର ଏକ ପ୍ରସ୍ତାବକ୍ରମେ ଓଡ଼ିଶା  ସରକାରଙ୍କ ଜଙ୍ଗଲ ଏବଂ ପରିବେଶ ବିଭାଗ ୨୦୧୧  ମସିହାରେ ମହେନ୍ଦ୍ରଗିରି ସଂରକ୍ଷିତ ଜୈବମଣ୍ଡଳ ଗଠନ  ହେବାର ସମ୍ଭାବନା ଅଧ୍ୟୟନ ନିମନ୍ତେ ଏକ କମିଟି  ଗଠନ କରିଥିଲେ । ଉକ୍ତ କମିଟିର ଚତୁର୍ଥ ବୈଠକରେ  ସର୍ବସମ୍ମତିକ୍ରମେ ମହେନ୍ଦ୍ରଗିରି ପାହାଡ଼ କମ୍ପେ୍ଲକ୍ସରେ ସଂରକ୍ଷିତ ଜୈବମଣ୍ଡଳ ସୃଷ୍ଟି କରିବା ପାଇଁ ସୁପାରିସ  କରିଥିଲେ ।  ସଂରକ୍ଷିତ ଜୈବମଣ୍ଡଳ ମାନ୍ୟତା ହାସଲ ନିମନ୍ତେ  ମହେନ୍ଦ୍ରଗିରି ପାହାଡ଼ ସମୂହର ଯୋଗ୍ୟତା ରହିଛି ଏବଂ  ଏହା ହକ୍‌ଦାର ମଧ୍ୟ । ସଂରକ୍ଷିତ ଜୈବମଣ୍ଡଳରେ  ପ୍ରାକୃତିକ ବନ୍ୟପ୍ରାଣୀ ତଥା ଉଦ୍ଭିଦ ସମ୍ପଦର ସୁରକ୍ଷା  ଓ ସଂରକ୍ଷଣ ସହିତ ପ୍ରକୃତି ପର୍ଯ୍ୟଟନ, ପର୍ଯ୍ୟଟନ,  କୁଟୀର ଶିଳ୍ପ ସମେତ ସମସ୍ତ ପ୍ରକାର ପରିସଂସ୍ଥା ବିକାଶ  (ଇକୋ-ଡେଭଲପମେଣ୍ଟ) କାର୍ଯ୍ୟକଳାପକୁ ପ୍ରୋତ୍ସାହନ  ଦିଆଯାଇପାରିବ ଓ ଆହୁରି ମଧ୍ୟ, ପ୍ରାଚୀନ ମନ୍ଦିର  ସ୍ମାରକୀଗୁଡ଼ିକର ଉପସ୍ଥିତି ଏବଂ ଗିରିଶୃଙ୍ଗର ନୈସର୍ଗିକ  ସୌନ୍ଦର୍ଯ୍ୟର ଦୃଶ୍ୟ ଉପଭୋଗ କରିବା ପାଇଁ ଟ୍ରେକିଂ  ମାର୍ଗର ବ୍ୟବସ୍ଥା କରାଯିବା ସହ ମହେନ୍ଦ୍ରଗିରି ପାହାଡ଼  କମ୍ପେ୍ଲକ୍ସକୁ ଏକ ପ୍ରାକୃତିକ ଐତିହ୍ୟସ୍ଥଳୀ ଭାବରେ  ବିକଶିତ କରାଯାଇପାରିବ । ବାସ୍ତବରେ ଜାତିସଂଘ ଶିକ୍ଷା,  ବିଜ୍ଞାନ ଏବଂ ସାଂସ୍କୃତିକ ସଂଗଠନ (ୟୁନେସ୍କୋ) ପରାମର୍ଶ  ଦେଇଛି ଯେ ବିଶ୍ୱ ପ୍ରାକୃତିକ ଐତିହ୍ୟସ୍ଥଳୀର ‘ସମ୍ଭାବ୍ୟ  ତାଲିକା'ରେ ମହେନ୍ଦ୍ରଗିରିକୁ ଅନ୍ତର୍ଭୁକ୍ତ କରିବା ପାଇଁ  ସରକାର ପ୍ରଥମେ ଏକ ପ୍ରସ୍ତାବ ଦେବା ଆବଶ୍ୟକ ।

ଶୁଣାଯାଏ ଯେ, ରାୟଗଡ଼ ବ୍ଲକ ଅନ୍ତର୍ଗତ ଏହି  ପୁରାଣପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ରଗିରି ତୀର୍ଥକ୍ଷେତ୍ରର  ପୂର୍ଣ୍ଣାଙ୍ଗ ରୂପ ବଦଳିବାକୁ ଯାଉଛି । ଏଥିପାଇଁ ଡିପିଆର  ବା ନକ୍ସା ମଧ୍ୟ ପ୍ରସ୍ତୁତ ହୋଇସାରିଲାଣି । ପର୍ଯ୍ୟଟନର  ବିକାଶ ଲାଗି ମହେନ୍ଦ୍ରଗିରି ଶିଖରରେ ପକ୍କାରାସ୍ତା, ଅତିଥି  ବାସଗୃହ ଇତ୍ୟାଦି ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି ।  ମହେନ୍ଦ୍ର ଆଶ୍ରମ, ସାଧନା ମଣ୍ଡପ, ଅନ୍ନପୂର୍ଣ୍ଣା ମଣ୍ଡପ,  ସାଧୁସନ୍ଥ ଏବଂ ପର୍ଯ୍ୟଟକଙ୍କ ରହିବା ପାଇଁ ଘର, କୁନ୍ତୀ  ମନ୍ଦିରଠାରୁ ଲଳିତା ପୁଷ୍କରିଣୀ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ  ଭଳି ଅନେକ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ସ୍ଥାନୀୟ  ଖବରକାଗଜ ମାଧ୍ୟମରେ ପ୍ରାପ୍ତ ସୂଚନା ଅନୁସାରେ  ମହେନ୍ଦ୍ରଗିରିରେ ଅବସ୍ଥାପିତ ପୁରାତନ ମନ୍ଦିରକୁ ଭାଙ୍ଗି  ଭବ୍ୟ ମନ୍ଦିରମାନ ନିର୍ମାଣ କରାଯିବା ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି  ନିଆଯାଇସାରିଲାଣି । ‘ମହେନ୍ଦ୍ରଗିରି ପରିକ୍ରମା ପ୍ରକଳ୍ପ'  ନାମରେ ଯୁଧିଷ୍ଠିର ମନ୍ଦିରଠାରୁ ଦାରୁବ୍ରହ୍ମ ପର୍ଯ୍ୟନ୍ତ ଏକ  କାର୍ଯ୍ୟକ୍ରମ ପାଇଁ ପଦକ୍ଷେପ ନିଆଯାଉଛି, ଯେଉଁଥିପାଇଁ  ପ୍ରାୟ ୦.୯ ହେକ୍ଟର ସଂରକ୍ଷିତ ଜଙ୍ଗଲ କିସମ ପରିବର୍ତ୍ତନ  କରି ଜିଲ୍ଲା ରାଜସ୍ୱ ପ୍ରଶାସନକୁ ହସ୍ତାନ୍ତର କରାଯାଇଛି ।  ଯଦି ଏହି ସୂତ୍ରରୁ ମିଳିଥିବା ସୂଚନା ସତ୍ୟ ହୋଇଥାଏ,  ତେବେ ଏସବୁ ବିକାଶମୂଳକ କାର୍ଯ୍ୟ କିଭଳି ସ୍ଥାନୀୟ  ପରିସଂସ୍ଥାକୁ ପ୍ରଭାବିତ କରିବ ତାହାର ସବିଶେଷ ଅନୁଧ୍ୟାନ  ହେବା ଆବଶ୍ୟକ । 

ସମ୍ପ୍ରତି ହିମାଳୟ ପାଦଦେଶରେ ଅବସ୍ଥିତ ଉତ୍ତରାଖଣ୍ଡ,  ହିମାଚଳ ପ୍ରଦେଶ, ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ୍‌ ଅଞ୍ଚଳର  ପ୍ରାକୃତିକ ଭଙ୍ଗୁର ପରିବେଶରେ ନକାରାତ୍ମକ ମାନବକୃତ  କାର୍ଯ୍ୟକଳାପ ତଥା ଜଳବାୟୁ ପରିବର୍ତ୍ତନର ପରିଣାମରେ  ବାରମ୍ବାର ଘଟୁଥିବା ବାଦଲଫଟା ବର୍ଷା, ବନ୍ୟାର ପ୍ଳାବନ  ଏବଂ ଭୂସ୍ଖଳନ ପରି ବିପର୍ଯ୍ୟୟ ତାଣ୍ଡବରୁ ଶିକ୍ଷାଲାଭ  କରିବାର ଯଥେଷ୍ଟ ଆବଶ୍ୟକତା ରହିଛି । ସେହିପରି,  କେରଳର ପଶ୍ଚିମଘାଟ ସ୍ଥିତ ୱାୟାନାଡ଼ରେ ୨୦୨୪ରେ  ଘଟିଥିବା ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ହେଉଛି  ମାନବକୃତ ବିପର୍ଯ୍ୟୟର ଅନ୍ୟ ଏକ ଶ୍ରେଷ୍ଠ ଦୃଷ୍ଟାନ୍ତ ।  ପାର୍ବତ୍ୟାଞ୍ଚଳରେ ଭିତ୍ତିଭୂମି ବିକାଶ ସମୟରେ ଆମକୁ  ପର୍ଯ୍ୟଟନ ଓ ଅର୍ଥନୀତି ଅପେକ୍ଷା ପରିସଂସ୍ଥାର ସୁରକ୍ଷା  ଓ ପରିଚାଳନା ପ୍ରତି ସତର୍କ ନଜର ରଖିବା ଅତ୍ୟନ୍ତ  ପ୍ରୟୋଜନୀୟ ।

ଚଳିତ ବର୍ଷ ଲଘୁଚାପଜନିତ ବର୍ଷା ହେତୁ  ମହେନ୍ଦ୍ରଗିରି ଶିଖରର ବୁରଖତ ପାସ୍‌ ନିକଟରେ ଭୂସ୍ଖଳନ  ଓ ପାଣିସୁଅ ଯୋଗୁଁ ପାହାଡ଼ ଧସି ରାସ୍ତା ଅବରୋଧ  ହୋଇଥିଲା । ଏଥିପୂର୍ବରୁ ୨୦୧୮ ଅକ୍ଟୋବର ଦ୍ୱିତୀୟ  ସପ୍ତାହରେ ଘଟିଥିବା ତିତ୍‌ଲି ବାତ୍ୟା ପରି ଅନେକ  ପ୍ରାକୃତିକ ବିପର୍ଯ୍ୟୟ ପ୍ରଭୂତ କ୍ଷତି ପହଞ୍ଚାଇଥିଲା । ଏହା  ସତ୍ତେ୍ୱ ମହେନ୍ଦ୍ରଗିରି ପରିସଂସ୍ଥାରେ ବିଭିନ୍ନ ପ୍ରକାରର  ଉଦ୍ଭିଦ ଏବଂ ପ୍ରାଣୀ ଏପର୍ଯ୍ୟନ୍ତ ନମନୀୟ ହୋଇ ରହିଛନ୍ତି ।  ଅଧିକ କାଳ ବିଳମ୍ବ ନକରି ବଞ୍ଚିରହିଥିବା ଜୈବବିବିଧତାର  ସଂରକ୍ଷଣ ତଥା ପ୍ରାକୃତିକ ଆବାସସ୍ଥଳୀର ସୁରକ୍ଷା  ନିମନ୍ତେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ।  ପାହାଡ଼ସମୂହରେ ସନ୍ନିବିଷ୍ଟ ପ୍ରାକୃତିକ ସମ୍ପଦର ବିକାଶ  ସ୍ଥାନୀୟ ସମ୍ପ୍ରଦାୟର ଆର୍ଥିକ ସୁରକ୍ଷା ତଥା ଉନ୍ନତି ସହିତ  ଜଡ଼ିତ ହେବା ବାଞ୍ଛନୀୟ । 

ମହେନ୍ଦ୍ରଗିରିରେ ଭୂସ୍ଖଳନ ସ୍ଥାନୀୟ ପ୍ରାକୃତିକ  ପରିସଂସ୍ଥାର ସ୍ଥାୟିତ୍ୱ ପାଇଁ ସତର୍କ ଘଣ୍ଟି । ଏକ ସମର୍ଥିତ  ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଏହି ଘଟଣା ଘଟିବା  ପରେ, ଓଡ଼ିଶା ସରକାର ବର୍ତ୍ତମାନ ଭୂସ୍ଖଳନଜନିତ  ସମସ୍ୟାର ମୁକାବିଲା ପାଇଁ ଏକ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ  କରିବାକୁ ଯାଉଛନ୍ତି । ତେବେ ତୀକ୍ଷ୍‌ଣ ଗଡ଼ାଣିରେ  ପରିପୂର୍ଣ୍ଣ ଅବକ୍ଷୟମୁଖୀ ମହେନ୍ଦ୍ରଗିରି ପର୍ବତମାଳା  ଅଞ୍ଚଳରେ ନିର୍ମାଣ କାର୍ଯ୍ୟକୁ ଅତ୍ୟନ୍ତ ସତର୍କତାର ସହ  କାର୍ଯ୍ୟାନ୍ୱୟନ କରାଯିବା ବାଞ୍ଛନୀୟ । ଏଠାରେ ପର୍ଯ୍ୟଟନ  ଭିତ୍ତିଭୂମିଜନିତ ବିକାଶ ପ୍ରକ୍ରିୟା ପ୍ରକୃତି ସଂରକ୍ଷଣଧର୍ମୀ  ହେବା ଏକାନ୍ତ ଅପରିହାର୍ଯ୍ୟ । ଏପରି ଗୁରୁତ୍ୱ ବହନକାରୀ,  ମନୋରମ ଏବଂ ଜୈବବିବିଧତାର ଗନ୍ତାଘରକୁ ଏକ  ସଂରକ୍ଷିତ ଜୈବମଣ୍ଡଳ ତଥା ଐତିହ୍ୟସ୍ଥଳୀର ମାନ୍ୟତା  ପ୍ରଦାନ ହେବ ପ୍ରାକୃତିକ ବିଭବର ସୁରକ୍ଷା ପ୍ରତି ଆମ  ପ୍ରତିବଦ୍ଧତାର ଶ୍ରେଷ୍ଠ ନିଦର୍ଶନ ।