ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତିଙ୍କ ଲାଗି ଥିବା ବିଶେଷାଧିକାର ସମାପ୍ତ କରିବାକୁ ଆଇନ୍‌ ଆଣିଛନ୍ତି ଶ୍ରୀଲଙ୍କା ସରକାର । ଆଉ ଏହି ନୂଆ ଆଇନ୍‌ ଆସିବା ପରେ ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷେଙ୍କୁ ତାଙ୍କ ସରକାରୀ ବାସଭବନ ଛାଡ଼ିବାକୁ ପଡ଼ିଛି । ସେ ୨୦୧୫ ମସିହାରୁ ସରକାରୀ ବଙ୍ଗଳାରେ ରହିଆସୁଥିଲେ । ତାଙ୍କର ଏହି ସରକାରୀ ବଙ୍ଗଳା  ସିନାମନ୍ ଗାର୍ଡେନ୍ସରେ ରହିଛି । ସେ ବଙ୍ଗଳା ଛାଡିବା ପୂର୍ବରୁ ଶ୍ରୀଲଙ୍କାରେ ଚୀନ୍ ରାଷ୍ଟ୍ରଦୂତ ତାଙ୍କୁ ଭେଟିବାକୁ ଆସିଥିଲେ। ମହିନ୍ଦା ରାଜପକ୍ଷେ ନଭେମ୍ବରରେ ୮୦ ବର୍ଷ ବୟସରେ ପାଦ ଦେବେ।

ରାଜପକ୍ଷେ ୨୦୦୫ ରୁ ୨୦୧୫ ପର୍ଯ୍ୟନ୍ତ ରାଷ୍ଟ୍ରପତି ଥିଲେ । ସେ ୨୦୦୪ ରୁ ୨୦୦୫ ଏବଂ ପୁଣି ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମଧ୍ୟ ଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଶ୍ରୀଲଙ୍କାର ଦୀର୍ଘ ଦିନର ଗୃହଯୁଦ୍ଧ ଶେଷ ହୋଇଥିଲା। ରିପୋର୍ଟ ଅନୁସାରେ, ରାଜପକ୍ଷେ ଏବେ ଟାଙ୍ଗାଲେରେ ଥିବା ତାଙ୍କ ଘରେ ରହିବେ । କଲମ୍ବୋରୁ ୧୯୦ କିଲୋମିଟର ଦକ୍ଷିଣରେ ଥିବା ହାମ୍ବାନଟୋଟା ଜିଲ୍ଲାର ଟାଙ୍ଗାଲେରେ ଥିବା କାର୍ଲଟନ ହାଉସ ହେଉଛି ସେହି ସ୍ଥାନ ଯେଉଁଠାରୁ ରାଜପକ୍ଷେ ୧୯୭୦ ମସିହାରେ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ ।

୨୦୨୨ ମସିହାରେ ହୋଇଥିବା ବିଶାଳ ପ୍ରତିବାଦ ସମୟରେ ପ୍ରତିବାଦକାରୀମାନେ କଲମ୍ବୋରେ ଥିବା ତାଙ୍କର ବଙ୍ଗଳା ଏବଂ ଟାଙ୍ଗାଲେରେ ଥିବା ତାଙ୍କ ବ୍ୟକ୍ତିଗତ ଘରକୁ ଘେରାବନ୍ଦୀ କରିଥିଲେ । କିନ୍ତୁ ସେମାନେ କୌଣସି କୋଠାରେ ପ୍ରବେଶ କରିପାରି ନଥିଲେ। ପ୍ରତିବାଦ ପରେ, ମହିନ୍ଦାଙ୍କ ସାନ ଭାଇ ଗୋଟାବାୟା ରାଜପକ୍ଷେଙ୍କୁ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାକୁ ପଡିଥିଲା ।

ଶ୍ରୀଲଙ୍କାର ସଂସଦରେ ପୂର୍ବତନ ରାଷ୍ଟ୍ରପତିଙ୍କ ସୁବିଧାକୁ ଉଚ୍ଛେଦ କରିବା ପାଇଁ ଏକ ବିଲ୍ ପାସ୍ ହୋଇଛି । ଏହା ସାମ୍ପ୍ରତିକ ନ୍ୟାସନାଲ୍ ପିପୁଲ୍ସ ପାୱାର (NPP) ସରକାରଙ୍କ ଦ୍ୱାରା ଦିଆଯାଇଥିବା ସବୁଠାରୁ ଲୋକପ୍ରିୟ ପ୍ରାକ-ନିର୍ବାଚନ ପ୍ରତିଶ୍ରୁତି ମଧ୍ୟରୁ ଗୋଟିଏ । ପୂର୍ବତନ ରାଷ୍ଟ୍ରପତିଙ୍କ କ୍ଷମତା (ରଦ୍ଦ) ଆଇନ ନମ୍ବର ୧୮, ୨୦୨୫' ଶୀର୍ଷକ ବିଲ୍ ଆଇନରେ ପରିଣତ ହୋଇଛି। ପୂର୍ବରୁ ସୁପ୍ରିମକୋର୍ଟ କହିଥିଲେ ଯେ, ସମସ୍ତ ପୂର୍ବତନ ରାଷ୍ଟ୍ରପତି ଏବଂ ସେମାନଙ୍କ ପତ୍ନୀଙ୍କୁ ଦିଆଯାଇଥିବା ସୁବିଧା ପ୍ରତ୍ୟାହାର କରିବା ପାଇଁ ବିଲ୍ କେବଳ ସଂସଦରେ ସାଧାରଣ ବହୁମତ ଦ୍ୱାରା ଅନୁମୋଦନ କରାଯାଇପାରିବ। ଏହି ବିଲ ସପକ୍ଷରେ ୧୫୧ ଜଣ ସାଂସଦ ଭୋଟ ଦେଇଥିବା ବେଳେ କେବଳ ଜଣେ ସାଂସଦ ବିପକ୍ଷରେ ଭୋଟ ଦେଇଥିଲେ ।