ନୂଆଦିଲ୍ଲୀ: ଭାରତର ଅଗ୍ରଣୀ କାର ନିର୍ମାତା କମ୍ପାନି ମହୀନ୍ଦ୍ରା ଆଣ୍ଡ ମହୀନ୍ଦ୍ରା ତାର ଆଇକନିକ୍ ଏସ୍ୟୁଭି ବୋଲେରୋର ନୂଆ ପିଢ଼ିର ଏକ ଝଲକ ଜାରି କରିଛି। ଯାହା ଆଗାମୀ ବର୍ଷ ଅର୍ଥାତ୍ ୨୦୨୬ରେ ଲଞ୍ଚ ହେବାର ସମ୍ଭାବନା ରହିଛି। ତେବେ ଏହି ଗାଡିର ଟିଜର ମହିନ୍ଦ୍ରା ଗତ ଅଗଷ୍ଟ ୧୫ ତାରିଖରେ ନିଜର ସମସ୍ତ ସାମାଜିକ ଗଣମାଧ୍ୟମ ସାଇଟରେ ଉନ୍ମୋଚନ କରିଛି। ଏହି ନୂଆ ବୋଲେରୋ ମହୀନ୍ଦ୍ରାର ନୂଆ ଫ୍ଲେକ୍ସିବଲ୍ ଆର୍କିଟେକ୍ଚର (ଏନ୍ଏଫ୍ଏ) ପ୍ଲାଟଫର୍ମରେ ଆଧାରିତ ହେବ। ଏହି ପ୍ଲାଟଫର୍ମ ପେଟ୍ରୋଲ, ଡିଜେଲ, ହାଇବ୍ରିଡ୍ ଏବଂ ଇଲେକ୍ଟ୍ରିକ୍ ପାୱାରଟ୍ରେନ୍କୁ ସମର୍ଥନ କରିବ, ଯାହା ବୋଲେରୋର ଏକ ଇଲେକ୍ଟ୍ରିକ୍ ଭାରିଅନ୍ଟ (କୋଡନେମ୍: ୟୁ୧୭୧) ମଧ୍ୟ ଆଣିବ।
ଡିଜାଇନ୍ ଓ ଫିଚର୍ସ:
ନୂଆ ବୋଲେରୋ ତା’ର ପାରମ୍ପାରିକ ବକ୍ସି ଲୁକ୍ ବଜାୟ ରଖିବ, କିନ୍ତୁ ଆଧୁନିକ ଡିଜାଇନ୍ ସହିତ ଏହାକୁ ଅପଡେଟ୍ କରାଯିବ। ସ୍ପାଇ ଚିତ୍ରରୁ ଜଣାପଡିଛି ଯେ, ଏଥିରେ ନୂଆ ଏଲଇଡି ହେଡଲ୍ୟାମ୍ପ, ଫ୍ଲସ୍-ଫିଟିଂ ଡୋର ହ୍ୟାଣ୍ଡେଲ୍, ବଡ଼ ଆଲଏ ହ୍ୱିଲ୍ ଏବଂ ଥାର ଓ ସ୍କର୍ପିଓ-ଏନ୍ରେ ଦେଖାଯାଇଥିବା ଡିଜାଇନ୍ ଉପାଦାନ ରହିବ। କେବିନ୍ରେ ଆଧୁନିକ ଫିଚର୍ସ ଯେପରିକି ବଡ଼ ଟଚ୍ସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମ୍, ଡିଜିଟାଲ୍ ଡ୍ରାଇଭର ଡିସପ୍ଲେ, ପାନୋରାମିକ୍ ସନ୍ରୁଫ୍, ଲେଦରେଟ୍ ଅପହୋଲଷ୍ଟ୍ରି, ଓ ଏଡିଏଏସ୍ (ଅଡଭାନ୍ସଡ୍ ଡ୍ରାଇଭର ଆସିଷ୍ଟାନ୍ସ ସିଷ୍ଟମ୍) ସମେତ ଅନେକ ପ୍ରିମିୟମ ଫିଚର୍ସ ମିଳିବ।
ଏହି ଲାଇନଅପ ସେଗମେଣ୍ଟରେ ଚାରୋଟି ଭେରିଆଣ୍ଟ ଦେଖିବାକୁ ମିଳିବ। ଯେଉଁଥିରେ ଭିଜନ ଏସ, ଭିଜନ ଟି, ଭିଜନ ଏକ୍ସ ଓ ଭିଜନ ଏସଏକ୍ସଟି ସାମିଲ ରହିଛି। ଭିଜନ ଏସ୍ ମଡେଲଟି ମୁଖ୍ୟତଃ ପରବର୍ତ୍ତୀ ପିଢିର ବୋଲେରୋ ନ୍ୟୁକୁ ଆଖି ଆଗରେ ରଖି ଡିଜାଇନ କରାଯାଇଥିବା ବେଳେ ଭିଜନ ଟି ଥାର ଉପରେ ନିର୍ଭର କରୁଥିବା ଏକ ଇଲେକ୍ଟ୍ରିକ ଭେରିଆଣ୍ଟ ବୋଲି ଜଣାପଡିଛି। ସେହିଭଳି ଭିଜନ ଏକ୍ସକୁ ସାଧାରଣତଃ ସହରାଞ୍ଚଳକୁ ଆଖି ଆଗରେ ରଖି ଡିଜାଇନ କରାଯାଉଥିବା ବେଳେ ଭିଜନ ଏସଏକ୍ସଟି ଆଡଭେନ୍ଚର-ରେଡି ପିକଅପ ଟ୍ରକ୍ ଉପରେ ପର୍ଯ୍ୟବେଷିତ ହେବ ବୋଲି ଘୋଷଣା କାରଯାଇଛି।
ଇଞ୍ଜିନ୍ ଓ ପାୱାରଟ୍ରେନ୍:
ନୂଆ ବୋଲେରୋରେ ୧.୫ ଲିଟର ଟର୍ବୋ ଡିଜେଲ ଇଞ୍ଜିନ୍ ରହିବ। ଯାହା ପ୍ରାୟ ୧୧୭ ପିଏସ୍ ଓ ୩୦୦ ଏନଏମ୍ ଟର୍କ ପ୍ରଦାନ କରିବ। ଏହା ସହିତ ଏକ ୨.୦ ଲିଟର ଏମ୍ଷ୍ଟାଲିଅନ ଟର୍ବୋ ପେଟ୍ରୋଲ ଇଞ୍ଜିନ୍ ମଧ୍ୟ ଉପଲବ୍ଧ ହୋଇପାରେ। ଟ୍ରାନ୍ସମିସନ୍ ଅପସନରେ ୫-ସ୍ପିଡ୍ ମାନୁଆଲ ଏବଂ ସମ୍ଭବତଃ ଅଟୋମାଟିକ୍ ଗିୟରବକ୍ସ ମିଳିବ। ଏହା ବ୍ୟତୀତ, ଏକ ପେଟ୍ରୋଲ-ହାଇବ୍ରିଡ୍ ଓ ଇଲେକ୍ଟ୍ରିକ୍ ଭାରିଅନ୍ଟ ମଧ୍ୟ ଆସିବାର ସମ୍ଭାବନା ରହିଛି।
ସିଟିଂ ଓ ପ୍ରାକ୍ଟିକାଲିଟି:
ଭାରତୀୟ ଗ୍ରାହକଙ୍କ ବିଭିନ୍ନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂଆ ବୋଲେରୋ ୭-ସିଟର କନଫିଗରେସନରେ ଉପଲବ୍ଧ ହେବ। ଏହା ସହିତ ଲମ୍ବା ହ୍ୱିଲବେସ୍ ଭାରିଅନ୍ଟରେ ୯ କିମ୍ବା ୧୧ ସିଟ୍ ସହିତ ସାଇଡ୍-ଫେସିଂ ସିଟ୍ ମଧ୍ୟ ମିଳିପାରେ। ଯାହା ବଡ଼ ପରିବାର କିମ୍ବା କମର୍ସିଆଲ ବ୍ୟବହାର ପାଇଁ ଉପଯୁକ୍ତ ହେବ।
ସୁରକ୍ଷା ଓ ମୂଲ୍ୟ:
ସୁରକ୍ଷା କ୍ଷେତ୍ରରେ ନୂଆ ବୋଲେରୋରେ ଡୁଆଲ ଏୟାରବ୍ୟାଗ, ଉନ୍ନତ ବ୍ରେକିଂ ସିଷ୍ଟମ ଓ ମଜବୁତ ବଡି ଷ୍ଟ୍ରକଚର ରହିବ। ଏହାର ପ୍ରାରମ୍ଭିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଯାହା ଆଧୁନିକ ଫିଚର ଓ ପାରମ୍ପାରିକ ମଜବୁତିର ଏକ ସନ୍ତୁଳିତ ମିଶ୍ରଣ ପ୍ରଦାନ କରିବ।
ଲଞ୍ଚ ଓ ପ୍ରତିଦ୍ୱନ୍ଦ୍ୱୀ:
ମହୀନ୍ଦ୍ରା ନୂଆ ବୋଲେରୋର କନ୍ସେପ୍ଟକୁ ଅଗଷ୍ଟ ୧୫ ତାରିଖରେ ପ୍ରଦର୍ଶନ କରିଥିବା ବେଳେ ଏହାକୁ ୨୦୨୬ ମସିହାରେ ଲଞ୍ଚ କରିବ ବୋଲି ଅନୁମାନ କରାଯାଉଛି। ଏହା ମାରୁତି ସୁଜୁକି ବ୍ରେଜା, ଟାଟା ନେକ୍ସନ ଏବଂ ହୁଣ୍ଡାଇ ଭେନ୍ୟୁ ପରି ଏସ୍ୟୁଭି ସହିତ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା କରିବ।
ମହୀନ୍ଦ୍ରାର ଏହି ନୂଆ ବୋଲେରୋ ଗ୍ରାମୀଣ ଓ ସହରୀ ଗ୍ରାହକଙ୍କୁ ଆକର୍ଷିତ କରିବା ସହ ଏହାର ଐତିହାସିକ ଲୋକପ୍ରିୟତାକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି।