ଶ୍ରୀକ୍ଷେତ୍ରରେ ପୌଷ ପୂର୍ଣ୍ଣିମା ଅନେକ କିଛି ସ୍ୱତନ୍ତ୍ରତା ପରିପୂର୍ଣ୍ଣ । ପୌଷ ମାସର ଶେଷ ଦିନ । ବିଦାୟ ଏଥର, ଶୀତ ମାଗିବ ଅପସରି ଯିବା ପାଇଁ । ପୁରାଣ ଅନୁସାରେ ଏହିଦିନ ପ୍ରଭୁ ଶ୍ରୀରାମଙ୍କ ଅଭିଷେକ ଉତ୍ସବ ପାଳନ କରାଯାଇଥିଲା । ଶ୍ରୀମନ୍ଦିରରେ ତଦନୁସାରେ ଏହିଦିନ ପୁଷ୍ୟାଭିଷେକ ନୀତି ପାଳନ କରାଯାଏ । ଭକ୍ତଟିଏ ପାଇଁ ଏହା ଏକ ମହାର୍ଘ ଦିନ । ନିଜର ଇଷ୍ଟଙ୍କୁ ରାଜରାଜେଶ୍ୱର ବେଶରେ ଦେଖିବା ପାଇଁ କିଏ ବା ନଚାହେଁ ।
ଶ୍ରୀକ୍ଷେତ୍ରରେ ପୌଷ ପୂର୍ଣ୍ଣିମା ତିଥିର ସକାଳ ଆସେ କାକର ଭିତରୁ ଓ ସଞ୍ଜ ପଶେ କାକର ଭିତରେ । ପରିବେଶରେ ଜାଡ଼ ଶୀତର ରାଜୁତି । ଏପଟେ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରାଜରାଜେଶ୍ୱର ବେଶ ଓ ସେପଟେ ଗୋବର୍ଦ୍ଧନ ପୀଠାଚର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦଙ୍କ କରକମଳରେ ମହୋଦଧି ଆଳତି ବାସ୍ତବରେ ପରିବେଶରେ ଏକ ଭାକ୍ତିକ ଉଷ୍ମତା ଭରିଦିଏ । ବିଶ୍ୱର ଅଧ୍ୟାତ୍ମ ରାଜଧାନୀ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରରେ ଏପଟେ ଜନସମୁଦ୍ର, ସେପଟେ ମହାସମୁଦ୍ର ମହୋଦଧି । ଏପଟେ ଭକ୍ତ ବିଭୋର ହୁଏ ମହାପ୍ରଭୁଙ୍କୁ ରାଜରାଜେଶ୍ୱର ବେଶରେ ଦେଖି । ସେପଟେ ଜଗତଜନଙ୍କ ଆତ୍ମଶୁଦ୍ଧି ପାଇଁ ସ୍ୱର୍ଗଦ୍ୱାର ପାଖେ ଆଳତି ଜଳେ କୁଳଗୁରୁ ଜଗଦଗୁରୁଙ୍କ ଦିବ୍ୟ ହାତରେ । ଜଳଦେବତାଙ୍କ ବନ୍ଦନା । ପଞ୍ଚଭୂତର ନିରାଜନା ହୁଏ ଆଳତି ମାଧ୍ୟମରେ । ପରମ ପାବନ ଦିବସ ତେଣୁ ପୌଷ ପୂର୍ଣ୍ଣିମା ।
ପୁରାଣ ବର୍ଣ୍ଣନାନୁସାରେ ଏଇଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପୁଷ୍ୟାଭିଷେକ ଦର୍ଶନ କରିବା ପାଇଁ ସମସ୍ତ ଦେବଦେବୀ ଶ୍ରୀମନ୍ଦିରକୁ ଛଦ୍ମ ରୂପରେ ଆଗମନ କରିଥାନ୍ତି । ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶରେ ଶ୍ରୀରାମଙ୍କୁ ଦର୍ଶନ କରି କୃତାର୍ଥ ହୁଅନ୍ତି । କେବଳ ଦେବତାମାନେ ନୁହଁନ୍ତି, ଛଦ୍ମବେଶରେ ଅନେକ ଅମର ଭକ୍ତ, ଯକ୍ଷ, ରକ୍ଷ ଗନ୍ଧର୍ବ ଆଦି ମଧ୍ୟ ଦର୍ଶନ କରନ୍ତି । ଭକ୍ତଟିଏ ଭଗବାନଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶ ପାଏ ଶ୍ରୀକ୍ଷେତ୍ରରେ । ଶୀତର ପ୍ରକୋପ ଲୀଳାମୟଙ୍କ ଦିବ୍ୟଲୀଳାରେ ପରାଭୂତ ହୁଏ । ସମୁଦ୍ର ଆଳତି ଦର୍ଶନ ପାଇଁ ସ୍ୱର୍ଗଦ୍ୱାର ସନ୍ନିକଟ ସ୍ଥାନ ଲୋକାରଣ୍ୟ ହୋଇପଡ଼େ । ଜଗଦ୍ଗୁରୁ ଶଙ୍କରାଚର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଆଳତି ଆବାହନ କଲାବେଳେ ଭକ୍ତଟିଏ ନିଜ ଭିତରେ ଅନ୍ତର୍ଜ୍ୟୋତି ଜାଗିଉଠିଲା ଭଳି ମନେକରେ । ଶୀତଳ ହୋଇଯାଏ ଏହି ଦିବ୍ୟ ଆଳତି ଜ୍ୟୋତିରେ ଅନ୍ତର ତଳର ସମସ୍ତ ପାର୍ଥବ ଜ୍ୱଳନ । ସମୁଦ୍ରର ଢେଉ ପୂର୍ଣ୍ଣିମା ତିଥି ଜାଣି ନିଜ ଆକାର ବଡ଼ କରି ମଥା ପିଟୁଥାଏ ବେଳାଭୂଇଁରେ । ସତେଯେମିତି ସିଏ ଅପେକ୍ଷା କରିଥିଲା ଏହି ମାହେନ୍ଦ୍ର ଲଗ୍ନକୁ । ପରିବେଶରେ ଶେଷ ପୌଷର ଶୀତ କାକରର ବହଳତା । ତା’ ସତ୍ତେ୍ୱ ଭାରତର ବିଭିନ୍ନ ପ୍ରାନ୍ତରୁ ଆସି ରୁଣ୍ଡ ହୋଇଥାନ୍ତି ଭକ୍ତ ଓ ଶ୍ରଦ୍ଧାଳୁ । ସୁସଜ୍ଜିତ ମଞ୍ଚ ଉପରୁ ନିମନ୍ତ୍ରିତ ଅତିଥି ସାଧୁମାନଙ୍କର ସାଧୁବାଣୀ ଓ ଜଗଦଗୁରୁଙ୍କ ଦିବ୍ୟ ଅମୃତ ବଚନ ଶ୍ରବଣ ଏକ ଭିନ୍ନ ପାବନୀ ଭାବସାନ୍ଦ୍ରତା ସୃଷ୍ଟିକରେ ପ୍ରତ୍ୟେକଟି ଅନ୍ତରରେ । ସେପଟେ ଗର୍ଜନ କରୁଥାଏ ମହାସମୁଦ୍ର । ଏପଟେ ସ୍ୱର୍ଗଦ୍ୱାରରେ ମାୟା(ଶରୀର)ର ଦହନ । ମୋକ୍ଷର ଆବାହନ । ଆତ୍ମାହୀନ ଘଟର ହୁଏ ଅଗ୍ନି ସ୍ନାନ । ସ୍କନ୍ଦପୁରାଣ ବୈଷ୍ଣବ ଖଣ୍ଡରେ ବର୍ଣ୍ଣନା ରହିଛି- ତୀର୍ଥରାଜ ନମସ୍ତୁଭ୍ୟଂ ଜଳରୂପାୟବିଷ୍ଣବେ/ ଜୀବନାୟ ଚ ଜନ୍ତ୍ୱନାଂ ପରନିର୍ବାଣହେତବେ । ତୀର୍ଥରାଜ ମହୋଦଧି ଓ ପରିନିର୍ବାଣ କାରକ ଶ୍ରୀକ୍ଷେତ୍ରସ୍ଥ ସ୍ୱର୍ଗଦ୍ୱାର ଉଭୟ ଦିଗରେ ରହିଥିଲାବେଳେ ମଧ୍ୟବର୍ତ୍ତୀ ସ୍ଥାନରେ ଅନୁଷ୍ଠିତ ହୁଏ ସାଗର ଆଳତି ।
ତେବେ ଏହା ସତ୍ୟ ଯେ, ଶାସ୍ତ୍ରୀୟ ମତରେ ମହୋଦଧି ହିଁ ତୀର୍ଥରାଜ ଅଟନ୍ତି । "ମହା'ଶବ୍ଦଟି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୁଣଗାନରେ ଆଦିକାଳରୁ ଯୋଡ଼ି ହୋଇ ରହିଛି । ଯେପରି ମହାପ୍ରଭୁ, ମହାଦୀପ, ମହାବାହୁ ଓ ମହାପ୍ରସାଦ ଇତ୍ୟାଦି । ସେହିପରି ମହା୍ମଉଦଧି= ମହୋଦଧି । ନାରଦୀୟ ପୁରାଣ ମତରେ, ଏକଦା ସୁମେରୁ ପର୍ବତର କାଞ୍ଚନ ଶୃଙ୍ଗରେ ମାତା ଶ୍ରୀଦେବୀ କେଉଁ ସ୍ଥାନଟି ଶ୍ରେଷ୍ଠ ବୋଲି ଶ୍ରୀଜଗନ୍ନାଥଙ୍କୁ ପଚାରିଥିଲେ । ଉତ୍ତରରେ ମହାପ୍ରଭୁ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ବୋଲି କହିବା ସଙ୍ଗେ ସଙ୍ଗେ ତାହାକୁ ଚିହ୍ନିତ କରିବା ପାଇଁ ଉଦଧି ଶବ୍ଦ ପ୍ରୟୋଗ କରିଥିଲେ । ଅତଃ ସେହି ବର୍ଣ୍ଣନାନୁସାରେ ଦକ୍ଷିଣ ଉଦଧି ହିଁ "ମହୋଦଧି' । ମହୋଦଧିରେ ସ୍ନାନ ଓ ପରେ ଶ୍ରୀପୁରୁଷୋତ୍ତମଙ୍କ ଦର୍ଶନ କରଣୀୟ ବୋଲି ଉଲ୍ଲେଖ ଅଛି । ଉଲ୍ଲେଖ ଅଛି ଯେ, ପୁଷ୍କର ଆଦି ତୀର୍ଥକ୍ଷେତ୍ରରେ ସ୍ନାନ କଲେ ସେହି କ୍ଷେତ୍ରର ଫଳ ମିଳେ । ମାତ୍ର ତୀର୍ଥରାଜ ମହୋଦଧିରେ ସ୍ନାନ କଲେ ସମସ୍ତ ତୀର୍ଥର ଫଳ ମିଳେ । ନାରଦୀୟ ପୁରାଣ କୁହନ୍ତି-ରାଜା ସମସ୍ତ ତୀର୍ଥାନାଂ ସାଗରଃ ସରିତାଂ ପତିଃ/ ତସ୍ମାତ ସମସ୍ତତୀର୍ଥେଭ୍ୟଃ ଶ୍ରେଷ୍ଠୋଦସୌ ସର୍ବକାମଦଃ । ସୂର୍ଯ୍ୟ ଉଦୟରେ ଯେପରି ଅନ୍ଧକାର ନାଶ ହୁଏ, ସେହିପରି କୋଟି ତୀର୍ଥସ୍ଥାନ କଲେ ମଧ୍ୟ ମହୋଦଧି ସମସ୍ତ ପାପନାଶକାରୀ ତୀର୍ଥରାଜ ଅଟନ୍ତି । ତେଣୁ ଏଠାରେ ସ୍ନାନ, ଦାନ, ହୋମ, ଜପ ଓ ଦେବାର୍ଚ୍ଚନ ଇତ୍ୟାଦି ଯାହାବି କଲେ ତାହା ଅକ୍ଷୟ ବୋଲି ପ୍ରସିଦ୍ଧି ଅଛି । ବାମଦେବ ସଂହିତାନୁସାରେ- ଶୃଣୁ ବୈଷ୍ଣ କ୍ଷେତ୍ରସ୍ୟ ଚାୟତଂ ପଞ୍ଚକ୍ରୋଶକମ୍/ ଦ୍ୱିକ୍ରୋଶଂ ସାଗରେଦପିସ୍ୟାତ୍ ତ୍ରିକୋଶ ପୃଥିବୀ ତଳେ । ଅର୍ଥାତ୍- ଦୁଇ କ୍ରୋଶ ଜଳରେ ନିମଗ୍ନ, ଅବଶିଷ୍ଟ ତିନି କ୍ରୋଶ ଭୂ-ଭାଗରେ । ସାଗରରେ କ୍ଷେତ୍ରର ସୀମା ଚାରିମାଇଲ ବ୍ୟାପି ରହିଥିବାରୁ ସାଗର ହୋଇଛନ୍ତି ତୀର୍ଥରାଜ ମହୋଦଧି । ତେବେ ସ୍କନ୍ଦପୁରାଣରେ ଯେଉଁ ନିର୍ଦ୍ଦିଷ୍ଟ ସ୍ଥାନକୁ ତୀର୍ଥରାଜ କୁହାଯାଇଛି ତାହା ହେଲା- ପଞ୍ଚକ୍ରୋଶ ମିଦଂ କ୍ଷେତ୍ରଂ ସମୁଦ୍ରାନ୍ତ ବ୍ୟବସ୍ଥିତମ୍/ ଦ୍ୱିକ୍ରୋଶଂ ତୀର୍ଥରାଜସ୍ୟ ତଟଭୁମୈ ସୁନିର୍ମଳମ ।
ପୁରାଣ ବର୍ଣ୍ଣନାରେ ଶ୍ରୀମହାଲକ୍ଷ୍ମୀ କ୍ଷେତ୍ର ବର୍ଣ୍ଣନା ପ୍ରସଙ୍ଗରେ ଯମରାଜଙ୍କୁ କହିଥିଲେ ଯେ, ଏହାର ପରିସୀମା ପାଞ୍ଚକ୍ରୋଶ ଏବଂ ଏହା ସମୁଦ୍ର ପର୍ଯ୍ୟନ୍ତ ପରିବ୍ୟାପ୍ତ । ତା’ ମଧ୍ୟରେ ତୀର୍ଥରାଜ ସମୁଦ୍ରର ତଟଭୂମିଠାରୁ ଦୁଇକ୍ରୋଶ ପରିମିତ ସ୍ଥାନ ଅତ୍ୟନ୍ତ ନିର୍ମଳ । ସେହିଠାରେ ସାକ୍ଷାତ ନାରାୟଣାତ୍ମକ ବିଶ୍ୱେଶ୍ୱର ମହାଦେବ ଶିବ ସକଳ ଇନ୍ଦ୍ରିୟ ସଂଯମପୂର୍ବକ ଚତୁବର୍ଗ ଫଳପ୍ରଦାତା ଶ୍ରୀଜଗନ୍ନାଥଙ୍କୁ ଉପାସନା କରିବା ନିମିତ୍ତ ସମୁଦ୍ର ତଟକୁ ଆଶ୍ରୟ କରି ରହିଛନ୍ତି । ଏଣୁ ଏଠାରେ ଭଗବାନ ଦର୍ଶନମାତ୍ରେ ମୁକ୍ତି ପ୍ରଦାନ କରନ୍ତି ଓ ତଦ୍ରୁପ ଏହି କ୍ଷେତ୍ରରେ ମରଣ ଓ ସମୁଦ୍ର ସ୍ନାନ ମୋକ୍ଷର କାରଣ ହୁଏ । ଅତଏବ ଭଗବାନଙ୍କ ଦର୍ଶନ, ଶ୍ରୀକ୍ଷେତ୍ରରେ ମରଣ, ତୀର୍ଥରାଜ ସମୁଦ୍ରରେ ସ୍ନାନ ଓ ସ୍ୱର୍ଗଦ୍ୱାରରେ ଦହନ- ଏ ସମସ୍ତ ମୁକତିର ସାଧନ ଓ ଅତ୍ୟନ୍ତ ଦୁର୍ଲଭ । ଏହାକୁ ଗୋବର୍ଦ୍ଧନ ପୀଠାଧିଶ୍ୱର ଜଗଦଗୁରୁ ଶଙ୍କରାଚର୍ଯ୍ୟ ତଥ୍ୟ ଓ ତତ୍ତ୍ୱଦ୍ରଷ୍ଟା ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଲକ୍ଷ୍ୟକରି ୨୦୦୮ ମସିହାରୁ ପ୍ରତ୍ୟେକ ଦିନ ସାଗର ଆଳତି କରାଇଥାନ୍ତି । ମାତ୍ର ମହାପ୍ରଭୁଙ୍କ ପୁଷ୍ୟାଭିଷେକ ଦିବସ ପୌଷ ପୂର୍ଣ୍ଣିମା ଦିନ ସର୍ବମୋକ୍ଷଦ ସମୁଦ୍ର ଆଳତିର ବାର୍ଷିକ ଉତ୍ସବ ଆୟୋଜନ କରାଇଥାନ୍ତି । ସମୁଦ୍ର ଆଳତି ଆମ ପ୍ରାଚ୍ୟ ଭୂଖଣ୍ଡରେ ଖୁବ୍ ପ୍ରାଚୀନ । ମାତ୍ର ୧୨୦ବର୍ଷ ଧରି ହଜିଯାଇଥିବା ଏହି ପୁଣ୍ୟ ମହୋଦଧି ଆଳତିର ପୁନଃପ୍ରଚଳନ କରାଇ ସ୍ୱାମୀ ନିଶ୍ଚଳାନନ୍ଦ ଧାର୍ମିକ ଇତିହାସରେ ଏକ ନୂତନ ପୃଷ୍ଠା ସଂଯୋଜିତ କରାଇଛନ୍ତି । ସେହି ମହାତୀର୍ଥ ମହୋଦଧିରେ ମହାସନ୍ଧ୍ୟାରେ ମହାଆଳତି ସହ ମହାପ୍ରଭୁଙ୍କ ରାଜରାଜାଧିବେଶ ଦର୍ଶନ ଓ ଜଗଦଗୁରୁଙ୍କ ଚରଣ ସ୍ପର୍ଶ ଯୁଗପତ୍ ସୌଭାଗ୍ୟପ୍ରଦ ଓ ମୋକ୍ଷଦାୟୀ ହୋଇଥାଏ । ସମଗ୍ର ଭାରତବର୍ଷର ଧାର୍ମିକ ବାତାବରଣ ପରିଶୋଧନ ଓ ପରିବର୍ଦ୍ଧନରେ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ଏବଂ ବିଧି ନିର୍ଣ୍ଣୟ ନିଶ୍ଚୟ ସର୍ବମାନ୍ୟ ଓ ଐତିହାସିକ । ଜଳଦେବତା ପୂଜନ ଭାରତର ପ୍ରାଚୀନ ବ୍ୟବସ୍ଥା । ମାତ୍ର ଗୁରୁଜୀ ନିଶ୍ଚଳାନନ୍ଦଙ୍କ ନିଷ୍ପତ୍ତି ଏଥିରେ କଳିକାଳ ବିଧ୍ୱଂସକ ନୂତନ ସୂତ୍ର ଭରିଦେଇଛି, ଯାହାର ଲାଭ ଜଗତଜନ ହିତ ପାଇଁ ଉଦ୍ଦିଷ୍ଟ ।