ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପି ବୁଧବାର (ଅକ୍ଟୋବର ୧୫) ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରିଛି। ଗାୟିକା ମୈଥିଳୀ ଠାକୁରଙ୍କୁ ଅଲିନଗର ଆସନରୁ ପ୍ରାର୍ଥୀ କରିଛି ବିଜେପି। ମଙ୍ଗଳବାର (ଅକ୍ଟୋବର ୧୪) ଦିନ ମୈଥିଳୀ ବିଜେପିରେ ଯୋଗ ଦେଇଥିଲେ। ବିଜେପିର ଦ୍ୱିତୀୟ ତାଲିକାରେ ୧୨ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ଅଲିପୁରରୁ ମୈଥିଳୀ ଠାକୁରଙ୍କୁ ପ୍ରାର୍ଥୀ କରିବା ସହିତ, ବିଜେପି ବାଢ଼ରୁ ଡକ୍ଟର ସିୟାରାମ ସିଂହଙ୍କୁ ପ୍ରାର୍ଥୀ କରିଛି। ଜ୍ଞାନେନ୍ଦ୍ର ଜ୍ଞାନଙ୍କ ଟିକେଟ୍ କାଟିଛି ବିଜେପି । ଦଳ ବକ୍ସରରୁ ପୂର୍ବତନ ଆଇପିଏସ୍ ଅଧିକାରୀ ଆନନ୍ଦ ମିଶ୍ରଙ୍କୁ ମଧ୍ୟ ପ୍ରାର୍ଥୀ କରିଛି। ସେ ଜନ ସୁରାଜ ପାର୍ଟିରୁ ବିଜେପିକୁ ଆସିଥିଲେ ।
କେଦାର ନାଥ ସିଂହଙ୍କୁ ବାନିଆପୁରରୁ ପ୍ରାର୍ଥୀ କରାଯାଇଛି। ସେ ଆରଜେଡିରୁ ବିଜେପି ଆସିଥିବା ବେଳେ ବାହୁବଳୀ ନେତା ପ୍ରଭୁନାଥ ସିଂହଙ୍କ ଭାଇ। ଛାପରାରୁ ସିଏନ ଗୁପ୍ତାଙ୍କୁ ଟିକେଟ୍ ଦେଇ ନାହିଁ ଦଳ । ଛୋଟି କୁମାରୀଙ୍କୁ ଏଠାରୁ ପ୍ରାର୍ଥୀ କରାଯାଇଛି। ବିନୟ କୁମାର ସିଂହଙ୍କୁ ମଧ୍ୟ ସୋନପୁରରୁ ପୁନଃ ପ୍ରାର୍ଥୀ କରାଯାଇଛି। ସେ ଏଠାରୁ ବିଜେପି ଟିକେଟ୍ରେ ବିଜୟୀ ହୋଇଥିଲେ । ସେ ପ୍ରଭୁନାଥ ସିଂହଙ୍କ ଶାଳକ। ଏହା ସହିତ, ବିଜେପି ମୁଜାଫରପୁରରୁ ରଞ୍ଜନ କୁମାରଙ୍କୁ ପ୍ରାର୍ଥୀ କରିଚି । ଗତଥର ସୁରେଶ ଶର୍ମା ଏଠାରୁ ପରାସ୍ତ ହୋଇଥିଲେ।
ଦଳ ଆଗିଆଓଁରେ ମଧ୍ୟ ଜଣେ ନୂଆ ଚେହେରା ମହେଶ ପାସୱାନଙ୍କୁ ପ୍ରାର୍ଥୀ କରିଛି । ୨୦୨୦ ବିଧାନସଭା ନିର୍ବାଚନରେ ଶିବେଶ କୁମାର ଏଠାରୁ ବିଜେପି ପ୍ରାର୍ଥୀ ଥିଲେ। ବିଜେପି ମଧ୍ୟ ହୟାଘାଟରୁ ରାମଚନ୍ଦ୍ର ପ୍ରସାଦଙ୍କୁ ପ୍ରାର୍ଥୀ କରିଛି। ରାକେଶ ଓଝାଙ୍କୁ ଶାହପୁରରୁ ପ୍ରାର୍ଥୀ କରାଯାଇଛି। ବିଜେପି ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରୋସେରାରୁ ବୀରେନ୍ଦ୍ର କୁମାରଙ୍କୁ ପ୍ରାର୍ଥୀ କରିଛି। ସୁଭାଷ ସିଂହଙ୍କୁ ଗୋପାଳଗଞ୍ଜରୁ ପ୍ରାର୍ଥୀ କରିଛି ବିଜେପି ।
ଏନଡିଏର ଆସନ ବୁଝାମଣା ଫର୍ମୁଲା ଅନୁଯାୟୀ, ବିଜେପି ବିହାର ବିଧାନସଭା ନିର୍ବାଚନରେ ମୋଟ ୧୦୧ଟି ଆସନରେ ଲଢ଼ିବ। ବିଜେପି ଏହାର ପ୍ରଥମ ତାଲିକାରେ ୭୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ଦ୍ୱିତୀୟ ତାଲିକାରେ ୧୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏବେ, ଆହୁରି ୧୮ ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହେବାକୁ ବାକି ରହିଛି।