ଲକ୍ଷ୍ନୌରେ ବଡ଼ ଦୁର୍ଘଟଣା , ଭୁଶୁଡ଼ିଲା ୪ ମହଲା କୋଠା : ୩ ମୃତଦେହ ଉଦ୍ଧାର , ୨୦ରୁ ଅଧିକ ଲୋକ ଚାପି ହୋଇ ରହିଥିବା ଆଶଙ୍କା

ଲକ୍ଷ୍ନୌ – ଲକ୍ଷ୍ନୌରେ ମଙ୍ଗଳବାର ସନ୍ଧ୍ୟାରେ ବଡ଼ ଦୁର୍ଘଟଣା ଘଟିଛି। ୪ ମହଲା କୋଠା ଭୁଶୁଡିବା ଦ୍ୱାରା ୩ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଚାପି ହୋଇ ରହିଥିବାର ଆଶଙ୍କା କରାଯାଉଛି। ଏବେସୁଦ୍ଧା ୭ଜଣ ଲୋକଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସମସ୍ତଙ୍କର ଅବସ୍ଥା ସଙ୍ଗିନ୍ ରହିଛି।
ଉକ୍ତ ଘଟଣାଟି ହଜରତଗଞ୍ଜର ବଜିର ହସନ ରୋଡ ସ୍ଥିତ ଅଲୟା ଆପାର୍ଟମେଣ୍ଟରେ ଘଟିଛି । ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି। ଏନଡିଆରଏଫ ଓ ଏସଡିଆରକୁ ଘଟଣା ସ୍ଥଳକୁ ଡ଼କାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ମଧ୍ୟ ଘଟଣା ବିଷୟରେ ଅବଗତ ହୋଇଛନ୍ତି । ସେ ଅଫିସରମାନଙ୍କୁ ଉଦ୍ଧାର ଓ ସାହାଯ୍ୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଘଟଣା ସ୍ଥଳରେ ଡେପୁଟୀ ସିଏମ୍ ବ୍ରଜେଶ ପାଠକ ଓ ନଗର ବିକାଶ ମନ୍ତ୍ରୀ ଏକେ ଶର୍ମା ମଧ୍ୟ ପହଞ୍ଚିଛନ୍ତି । ବ୍ରଜେଶ ପାଠକ କହିଛନ୍ତି କି ଦୁର୍ଘଟଣାର କାରଣ ବିଷୟରେ ଯାଞ୍ଚ ଚାଲିଛି । ୩ଟି ଶବ ମିଳିଛି । ଏନଡିଆରଏଫ ଓ ଏସଜିଆରଏଫ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଏହା ବି କୁହାଯାଉଛି କି କିଛି ଦିନ ହେବ ଏହି ବିଲ୍ଡିଂ ର ବେସମେଣ୍ଟରେ କିଛି କାମ ଚାଲୁଥିଲା । ଉଦ୍ଧାର କାର୍ଯ୍ୟରେ ଜେସିବିକୁ ମଧ୍ୟ ଲଗାଯାଇଛି।