ନୂଆଦିଲ୍ଲୀ, ୧।୪: ବିମାନ ଯାତ୍ରୀ ଏବଂ ଏୟାରଲାଇନ୍ସ କମ୍ପାନୀମାନଙ୍କ ପାଇଁ ବଡ଼ ଖବର । ଦେଶର ପ୍ରମୁଖ ସହରଗୁଡ଼ିକରେ ବିମାନ ଇନ୍ଧନ ବା ଜେଟ୍ ଫ୍ୟୁଲ୍ (ATF) ଦରରେ ଅହେତୁକ ବୃଦ୍ଧି ଘଟିଛି । ପଶ୍ଚିମ ଏସିଆରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ଭାରତ ସରକାର ନନ୍ ସେଡ୍ୟୁଲ୍ଡ ଏବଂ ଚାର୍ଟର୍ ବିମାନଗୁଡ଼ିକ ପାଇଁ ଇନ୍ଧନ ଦରରେ ୧୧୫ ପ୍ରତିଶତରୁ ଅଧିକ ବୃଦ୍ଧି କରିଛନ୍ତି । ଇଣ୍ଡିଆନ ଅଏଲ୍ର ୱେବସାଇଟ୍ରେ ପ୍ରଥମେ ଏହି ଦର ବୃଦ୍ଧିକୁ ନେଇ କିଛି ଅସ୍ପଷ୍ଟତା ଦେଖାଦେଇଥିଲା । ଘରୋଇ ସେଡ୍ୟୁଲ୍ଡ ଏୟାରଲାଇନ୍ସ ଉପରେ ଏହା ଲାଗୁ ହେବ କି ନାହିଁ ସେ ନେଇ ଦ୍ୱନ୍ଦ୍ୱ ରହିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଇଣ୍ଡିଆନ ଅଏଲ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଏହି ବର୍ଦ୍ଧିତ ଦର କେବଳ ନନ୍-ସେଡ୍ୟୁଲ୍ଡ ଏବଂ ଚାର୍ଟର୍ ବିମାନ ପାଇଁ ଉଦ୍ଦିଷ୍ଟ । ସାଧାରଣ ଯାତ୍ରୀବାହୀ ଘରୋଇ ବିମାନଗୁଡ଼ିକ ପାଇଁ ଏହି ନୂଆ ଦର ଏବେ ଲାଗୁ ହେବ ନାହିଁ ।
ଏହା ବି ପଢ଼ନ୍ତୁ... ବିଶ୍ୱରେ ଠପ୍ ହୋଇପାରେ ଇଣ୍ଟରନେଟ୍, ହୋର୍ମୁଜରେ ବିଛା ଯାଇଥିବା କେବଲ ନଷ୍ଟ ହେବା ଆଶଙ୍କା
ମେଟ୍ରୋ ସହରଗୁଡ଼ିକରେ ଆକାଶଛୁଆଁ ହେଲା ଦର:
|
ସହର |
ମାର୍ଚ୍ଚ ମାସର ଦର |
ଏପ୍ରିଲ୍ ୧ର ନୂଆ ଦର |
|
ଦିଲ୍ଲୀ |
୯୬,୬୩୮ |
୨,୦୭,୩୧୪.୨୨ |
|
କୋଲକାତା |
୯୯, ୫୮୭.୧୪ |
୨,୦୫,୯୫୫.୩୩ |
|
ଚେନ୍ନାଇ |
୧,୦୦,୨୮୦.୪୯ |
୨,୧୪,୫୯୭,୬୬ |
|
ମୁମ୍ୱାଇ |
୯୦,୪୫୧.୮୭ |
୧,୯୪,୯୬୮.୬୭ |
ଲଗାତାର ବଢୁଛି ଦର:
ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସରେ ମଧ୍ୟ ବିମାନ ଇନ୍ଧନ ଦର ବୃଦ୍ଧି ପାଇଥିଲା । ସେତେବେଳେ ଘରୋଇ ବିମାନ ପାଇଁ ଇନ୍ଧନ ଦର ୧ ଲକ୍ଷ ଟଙ୍କା ଅତିକ୍ରମ କରିଥିଲା । ବର୍ତ୍ତମାନ ପଶ୍ଚିମ ଏସିଆର ଅସ୍ଥିରତା ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢ଼ିବାରେ ଲାଗିଛି, ଯାହାର ସିଧାସଳଖ ପ୍ରଭାବ ବିମାନ ଚଳାଚଳ କ୍ଷେତ୍ର ଉପରେ ପଡ଼ୁଛି । ଯଦିଓ ଏବେ ସାଧାରଣ ଯାତ୍ରୀବାହୀ ବିମାନ ପାଇଁ ଦର ବଢ଼ିନାହିଁ, ତଥାପି ଆଗାମୀ ଦିନରେ ଏହାର ପ୍ରଭାବରେ ବିମାନ ଟିକେଟ୍ ମୂଲ୍ୟ ବୃଦ୍ଧି ପାଇବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ।