ପୁରୀ ୧୪/୧ : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଉତ୍ତରାୟଣ ଯାତ୍ରା ବା ପୌଷ ମାସର ସଂକ୍ରାନ୍ତି ଙ୍କୁ ମକର ସଂକ୍ରାନ୍ତି କୁହାଯାଏ ଏହି ଦିନ ମକର ସଂକ୍ରାନ୍ତି ହେତୁ ଶ୍ରୀମନ୍ଦିରରେ ପୂର୍ବ ପରମ୍ପରା ପ୍ରକାରେ ନୀତିମାନ ସ୍ୱତନ୍ତ୍ର ଭାବେ ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିରରେ ମଙ୍ଗଳ ଆଳତୀ, ଅବକାଶ ନୀତି ବଢିବା ପରେ ଫୁଟା ପହରଣା ଲାଗି ସହିତ ତ୍ରିମୁଣ୍ଡି ରେ ମକରଚୁଳ ଲାଗି ହୋଇ କର୍ପୂର ଲାଗି ପୂର୍ବକ ବେଶ ବଢିଥାଏ। ପରେ ପାଣି ପଡି ଗୋପଲବଲ୍ଲଭ ଓ ସକାଳଧୂପ ବଢିଥିଏ।ସକାଳଧୂପ ସମ୍ପର୍ଣ୍ଣ ହେବା ପରେ ପାଣି ପଡି ମଇଲମ, ଯାତ୍ରାଙ୍ଗି ମହାସ୍ନାନ , ସର୍ବାଙ୍ଗ ,ନୂଆଲୁଗା ଓ ଛ ମୂର୍ତି ଅଳଂକାର ଲାଗି ହୋଇ ବେଶ ବଢିଥାଏ ଏବଂ ପରେ ପାଣିପଡି ମଧ୍ୟାହ୍ନଧୂପ ଡାକିବାକୁ ଯାଇଥାନ୍ତି । ଘଣ୍ଟ ଛତା କାହାଳୀ ପଟୁଆର ସହିତ ତଳିଚ୍ଛ ପ୍ରଧାନୀ ହାତପୈଠ ପୂର୍ବକ ଭୋଗ ଛାମୁ କୁ ଆସିଥାଏ। ମୁଦିରସ୍ତ ପ୍ରସାଦ ଲାଗି କରିବା ପରେ ତିନିବାଡେ ପାଳିଆ ପୂଜାପଣ୍ଡା ଷୋଡଶ ଉପଚାର ରେ ମଧ୍ୟାହ୍ନ ଧୂପ ପୂଜା ରେ ବସିଥାନ୍ତି । ଟେରା ପଡିବା ପରେ ମହାପ୍ରଭୁ ଙ୍କ ବାଡ଼ ପାଳିଆ ପୂଜାପଣ୍ଡା, ରୋଷ ପାଇକ , ପତ୍ରିବଡୁ, ସୁଆରବଡୁ ବହାରକୁ ଆସି ଅଷ୍ଟଦିଗ ବଳି ଦେଇଥିଲେ , ପରେ ପାଳିଆ ପୂଜାପଣ୍ଡା ପୁନଶ୍ଚ ଭିତରକୁ ଯିବା ପରେ ଭୋଗ ସମାପନ ହୋଇଥିଲା।
ଏହାପରେ ପାଣି ପଡି ଟେରା ବନ୍ଧାଯାଇ ପୂର୍ବ ଦିନରୁ ଭୋଗମଣ୍ଡପ ଘରେ ଅଧିବାସ ହୋଇ ରହିଥିବା ମକର ଭୋଗ ନିମନ୍ତେ ଡାକି ଯାଇଥାନ୍ତି । ସ୍ମରଣ ଯୋଗ୍ୟ ପୂର୍ବରୁ ଶୁଦ୍ଧସୁଆର ଗୋଦାମରୁ ନଡ଼ିଆ , ଘିଅ , ମିଠ, ମସଲା ଓ ଦୁଧସର ନେଇ ମକର ଚାଉଳ ପ୍ରସ୍ତୁତ କରିଥିଲେ। ପରେ ପନ୍ତିବଡୁ ମାନେ ବାଘମୁହାଁ ବାନ୍ଧି ସ୍ୱତନ୍ତ୍ର ପଟୁଆରରେ ମକରଚାଉଳ କୁ ୩ବେଢା ବୁଲାଇ ଛାମୁ ରେ ରଖିଥିଲେ।ଏହାପରେ ମହାଭୋଇ -ଦୁଧ ,ଗୁଡ଼ିଆ- ଶାକର, ଫେଣା, ହଡ଼ପ ନାୟକ ନଳୀ ପାନ ଓ ଛାଚି ପାନ ବେଢାକୁ ଯାଇ ଛାମୁ ରେ ରଖିବା ପରେ ମୁଦିରସ୍ତ ପ୍ରସାଦ ଲାଗି କରିଥିଲେ ।ପରେ ପାଳିଆ ପୂଜାପଣ୍ଡା ମାନଙ୍କ ଦ୍ୱାରା ପଞ୍ଚୋପଚାର ରେ ଭୋଗ ସରିଥିଲା। ଭୋଗ ସରିବା ପରେ ପୂଜାପଣ୍ଡା, ପତିମହାପାତ୍ର ,ମୁଦିରସ୍ତ ଯାଇ ବନ୍ଦାପନା କରିଥିଲେ। ମକର ସଂକ୍ରାନ୍ତି ଅବସର ରେ ମହାପ୍ରଭୁଙ୍କ ନିକଟରେ ୮୪ ରକମର ଭୋଗ ଲାଗି ହୋଇଥାଏ । ଯାହା ସୁଆର ମାନେ ଅତି ଶ୍ରଦ୍ଧାରେ ଲାଗି କରିଥାନ୍ତି । ଏହାକୁ ମକର ଚଉରାଶି ଭୋଗ କୁହାଯାଏ ।ଶ୍ରୀଜୀଉଙ୍କର ଏହି ସବୁ ନୀତି ସରିଲେ ଲକ୍ଷ ଲକ୍ଷ ଭକ୍ତଜନ ନାଟମନ୍ଦିରରେ ଶ୍ରୀଜୀଉଙ୍କର ଦର୍ଶନ କରିଥାନ୍ତି । ଶ୍ରୀ ଜୀଉ ଙ୍କ ଏହି ଉତ୍ତରାୟଣ ଯାତ୍ରା ଭକ୍ତ ମନରେ ଭବାବେଶ ସୃଷ୍ଟିକରେ।
ଆଜି ପବିତ୍ର ମକର ସଂକ୍ରାନ୍ତି। ସମଗ୍ର ଭାରତବର୍ଷ ଏହି ପର୍ବ ପାଇଁ ଉତ୍ସବମୁଖର। ଭଗବାନ ସୂର୍ଯ୍ୟ ନାରାୟଣଙ୍କ ଉତ୍ତରାୟଣ ଗତି ଆଧାରରେ ପାଳିତ ହୁଏ ଏହି ଉତ୍ସବ। ଆଉ ଏଠି ଆମ ଓଡିଶାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ମଧ୍ୟ ଉତ୍ତରାୟଣବନ୍ଦାପନା ଓ ମକରଚଉରାଶି ବେଶ ଓ ଭୋଗ ସମର୍ପଣ କରି ମହାପ୍ରଭୁଙ୍କୁ ଉପାସନା କରାଯାଏ।
ସକଳ ଶକ୍ତିର ଆଧାର ସୂର୍ଯ୍ୟ ହେଉଛନ୍ତି ଚଉରାଶି ଲକ୍ଷ ଯୋନି ଉଦ୍ଭବ ପ୍ରାଣୀମାନଙ୍କ ତାରକ ଓ କାରକ। ହେଲେ ଶ୍ରୀ ଜଗନ୍ନାଥ ସଂସ୍କୃତିରେ ଭଗବାନ ଜଗନ୍ନାଥ ହେଉଛନ୍ତି ଆଦିସୂର୍ଯ୍ୟ । ଏହି କଥାର ପ୍ରମାଣ ଆପଣମାନେ ଶ୍ରୀ ଜଗନ୍ନାଥ ମନ୍ଦିରରେ ବୁଲିବା ବେଳେ ଜାଣିପାରିବେ। ଲଷ୍ମୀ ମନ୍ଦିର ପାର୍ଶ୍ଵରେ ରହିଥିବା ନବଗ୍ରହ ମନ୍ଦିରରେ ସୂର୍ଯ୍ୟଙ୍କ ଓଲଟା ଉପସ୍ଥିତି ହିଁ ଜଗନ୍ନାଥ ମହାପ୍ରଭୁ ଯେ ଆଦି ସୂର୍ଯ୍ୟ ତାହା ପ୍ରମାଣିତ କରେ। କହିବାର ଅଭିପ୍ରାୟ ଏହା ଯେ, କୋଇଲି ବୈକୁଣ୍ଠକୁ ଲାଗି ଭିତର ବେଢାର ପ୍ରାଚୀର ପାର୍ଶ୍ଵରେ ରହିଛି ନବଗ୍ରହ ମନ୍ଦିର।ଯେହେତୁ କୋଇଲି ବୈକୁଣ୍ଠରେ ମହାପ୍ରଭୁଙ୍କ ପ୍ରାକଟ୍ୟ ଲୀଳା ଅନୁଷ୍ଠିତ ହୁଏ, ତେଣୁ ଓଲଟା କ୍ରମେ ଏଠାରେ ନବଗ୍ରହ ସ୍ଥାପିତ ହୋଇଛନ୍ତି। ଯେଉଁ କ୍ରମରେ ବିଭିନ୍ନ ମନ୍ଦିରରେ ଆମେ ସୂର୍ଯ୍ୟଙ୍କଠରୁ ଆରମ୍ଭ କରି କେତୁଙ୍କ ପର୍ଯ୍ୟନ୍ତ ଗ୍ରହ ଗଣନା କରି ଉପସନା କରୁ ତାହାର ଠିକ ଓଲଟା କ୍ରମ ଏଠାରେ ଦେଖିବାକୁ ମିଳେ।
ମକର ଚୌରାଶି ବେଶ ହେଇ ମୋ ଜଗା,
ମକର ସଂକ୍ରାନ୍ତି ଦିନ ଦିଶେ ଅଲଗା
ସେଇ ବେଶ ଦେଖି ଚଉରାଶି ଜନ୍ମରୁ
ମିଳଇ ମୁକ୍ତି ପରା ଲୋ ସଖୀ ଏଇଆ ll
ଜଗନ୍ନାଥ ହେଉଛନ୍ତି ସୂର୍ଯ୍ୟଙ୍କ ଭଳି ସକଳ ଶକ୍ତିର ଆଧାର। ଏଣୁ ସେ ହେଉଛନ୍ତି ଚଉରାଶି ଲକ୍ଷ ଯୋନି ଜନ୍ତୁଙ୍କ ପାଳକ। ଏଣୁ ସେହି ପ୍ରାଣୀମାନଙ୍କ ମଙ୍ଗଳ ପାଇଁ ମହାପ୍ରଭୁଙ୍କ ପାଖରେ ପବିତ୍ର ମକର ସଂକ୍ରାନ୍ତିରେ ୮୪ ପ୍ରକାର ବ୍ୟଞ୍ଜନ ପ୍ରସାଦ ଲାଗି ହୁଏ। ଯାହାକୁ ମକର ଚଉରାଶି ଭୋଗ କୁହାଯାଏ। ମକର ଚାଉଳ ବା ଅପକ୍ୱ ଅରୁଆ ଚାଉଳରେ ବିଭିନ୍ନ ସୁମିଷ୍ଟ ଦ୍ରବ୍ୟ ମିଶାଇ ଅନ୍ନବଳି ଭାବେ ମହାପ୍ରଭୁଙ୍କ ପାଖରେ ଦିଗପାଳମାନଙ୍କୁ ସମର୍ପଣ କରାଯାଏ। ଏହା ବ୍ୟତୀତ ମହାପ୍ରଭୁଙ୍କ ପାଖେ ଲାଗି ହେଉଥିବ ୮୪ ପ୍ରକାର ସେହି ଭୋଗ ଦ୍ରବ୍ୟର ନାମ ହେଲା :-
ଜଗନ୍ନାଥ ବଲ୍ଲଭ, ଖଜା, ଗଜା, ଶୁକ୍ଳ ଫେଣି , ମିଠା ଫେଣି , ଲୁଣି ଖୁରୁମା , ମିଠା ଖୁରୁମା , ବଡ଼ପୁରୀ, ସାନପୁରୀ, କାକତୁଆ ଝିଲି, ବଡନାଡୀ, ସାନନାଡୀ, କାକରା, ହଂସକେଳି, ଚନ୍ଦ୍ରକାନ୍ତି, ବଡା, ନାନମାନ, ବସନ୍ତ ଆରିସା, ପାଗ ଆରିସା,ମରିଚ ଲଡୁ, ବଡ କ୍ଷୀରିସା, କଦମ୍ବା , ମେଣ୍ଢା ମୁଣ୍ଡିଆ ଖେଚୁଡ଼ି, ନେତ୍ରପୁରୀ, ମଗଜ ଲଡୁ,ଅମାଲୁ, ଡାଳିମ୍ବ, ମନୋହର,ସରଭଜା, ପରିଜାତକ, ମାଣ୍ଡୁଅ, ବଲ୍ଲଭ କୋରା, ଗୋପାଳ ବଲ୍ଲଭ, ଅମୃତ ରସାବଳୀ, ସୁଆରୀ, ଚଢେଇନଦା, ବଡକାନ୍ତି, ମାଠପୁଳି , ଗଗୁଡି , ନଡ଼ିଆ ଖୁରି, ବୁନ୍ଦିଆ ଖିରି , ଟାକୁଆ, ପଣା , ମହାଦେଇ ଖେଚୁଡ଼ି , ମହନଭୋଗ,ଜେନାମଣି, ସୁଜିଗଜା , ବଳିବମାନ ମୁଗ , ସୁଆର ପିଠା/ପୋଡା ପିଠା , ମାଖନ, ଖଳି ରୁଟି, କନିକା, ସାଧାଅନ୍ନ, ଡାଲି, ବେସର, ପାୟସ, ପୁରଏଣ୍ଡୁରି, ଅଡାପାକନ, ଖୁଆମଣ୍ଡା, ଖାଇରଚୁଳ,ଲଷ୍ମୀବିଳାସ, ଘିଅନ୍ନ, ଅନ୍ନ ରସାବଳୀ, ଲଡୁ, ନଡ଼ିଆ କେଳି, ଖାଇର ଚୁଳିଆ, ମୋତିଚୁଳ, ଧନୁସଂକ୍ରାନ୍ତି ପିଠା, ପନସୁଆ ଲଡୁ, ସରକୁମ୍ପା, ଅରଖଫୁଲ, କଡମ୍ବା, ଖେଇମଣ୍ଡା, ଚେନାପିଠା , ଶ୍ରୀହସ୍ତକୋରା, ରାଧାବଲ୍ଲଭି, ସାଧା ଏଣ୍ଡୁରି , ଚୁଲିଆକୂପଡ, ଗଇଁଠା, ଯେଉଟ, କାନଫୁଲି, ମେଣ୍ଢାସିଙ୍ଗିଆ, ଖଣ୍ଡମଣ୍ଡା , କାନ୍ତି
ll ମକର ସଂକ୍ରାନ୍ତି ଭୋଗ ll
ମକର ସଂକ୍ରାନ୍ତି ବେଳକୁ ଓଡ଼ିଶାରେ ଧାନ, ଆଖୁ ଆଦି ନୂଆଫସଲ ଅମଳ ହୋଇଥାଏ । ତେଣୁ ସେଦିନ ନୂଆ ଧାନରୁ ପ୍ରସ୍ତୁତ ଅପକ୍ୱ ଅରୁଆ ଚାଉଳ, ନୂଆଗୁଡ଼, ଛେନା, ନଡ଼ିଆ, ପାଚିଲା କଦଳୀ, ଘିଅ, କ୍ଷୀର ଇତ୍ୟାଦି ଗୋଳିଆ ଗୋଟିଏ ସୁମିଷ୍ଟ ଭୋଗ ପ୍ରସ୍ତୁତ କରି ଗୃହଦେବତାଙ୍କୁ ଓ ଧାନଖଳାରେ ଭୋଗ ଲଗାଯାଏ । ଏହି ଭୋଗ ‘ମକର ଚାଉଳ’ ଭାବେ ପରିଚିତ । ଏହି ଭୋଗ ଖିଆଖେଇ ହୋଇ ଲୋକେ 'ମକର' ବସନ୍ତି । କେତେକ ଅଞ୍ଚଳରେ ନୂଆଧାନର ଚାଉଳରେ ପ୍ରସ୍ତୁତ ପୋଡ଼ପିଠା ସହିତ ଗୁଡ, କଦଳୀ, ନଡ଼ିଆ ଓ ଅରୁଆଚାଉଳରେ ଭୋଗ କରାଯାଇ ଦେବାଦେବୀଙ୍କ ପାଖରେ ଦିଆଯାଏ । ସୂର୍ଯ୍ୟଙ୍କ ଯୋଗୁଁ କୃଷିକ୍ଷେତରେ ଶସ୍ୟ ଉତ୍ପନ ହେଉଥିବାରୁ କୃଷକମାନେ ମକରସଂକ୍ରାନ୍ତିର ପୂଣ୍ୟକାଳରେ ସୂର୍ଯ୍ୟଙ୍କୁ ନୂତନ ଶସ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରିଥା'ନ୍ତି ।