ୱାଶିଂଟନ୍‌,୩୧/୦୩: ଇରାନକୁ ବଡ଼  ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପ୍‌ । ଯଦି ଇରାନ ଆମେରିକା ସହ ମିଶି ନ୍ୟୁକ୍ଲିୟର ଚୁକ୍ତିରେ ସହମତ ନ ହୁଏ ତେବେ ତେବେ ବୋମା ବର୍ଷିବ ଏବଂ ଇରାନ ଉପରେ ବ୍ୟାପକ ଆର୍ଥିକ କଟକଣା ଲାଗିବ ବୋଲି ଟ୍ରମ୍ପ୍‌ ସିଧାସଳଖ କହିଛନ୍ତି । 

ଏକ ସାକ୍ଷାତକାରରେ  ଟ୍ରମ୍ପ୍‌ କହିଛନ୍ତି, ଆମେରିକା ଏବଂ ଇରାନ  ମଧ୍ୟରେ ଆଲୋଚନା ଜାରି ରହିଛି । କିନ୍ତୁ ଇରାନ  ଯଦି କୌଣସି ବୁଝାମଣା ନ କରେ ତେବେ  ଏହା ଉପରେ ବୋମାମାଡ଼ ହେବ । ଏଥିସହ  ଇରାନ ଉପରେ ପୁଣି ସେକେଣ୍ଡାରୀ ଟାରିଫ୍‌  (ଦ୍ୱିତୀୟକ କଟକଣା) ଲାଗିବ, ଯାହା ସେ ୪  ବର୍ଷ ପୂର୍ବରୁ ଲଗାଇଥିଲେ । ଟ୍ରମ୍ପ୍‌ ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ରାଷ୍ଟ୍ରପତି ଥିବାବେଳେ ଇରାନ ସହ  ଆମେରିକାର ଥିବା ୨୦୧୫ର ଏକ ଚୁକ୍ତିରୁ ଓହରି  ଯାଇଥିଲେ । ଏହି ବୁଝାମଣା ଇରାନର ପରମାଣୁ  କାର୍ଯ୍ୟକ୍ରମ ଉପରେ ଶକ୍ତ କଟକଣା ଲଗାଇବା ଲାଗି ଉଦ୍ଦିଷ୍ଟ ଥିଲା ଯାହା ବଦଳରେ ଇରାନକୁ  ଆର୍ଥିକ କଟକଣାରୁ ଆଶ୍ୱସ୍ତି ମିଳିଥିଲା । ଏହା  ପରେ ଟ୍ରମ୍ପ୍‌ ପୁଣି ଇରାନ ଉପରେ କଟକଣା ଲଗାଇଥିଲେ । ଫଳରେ ଇରାନର ଆର୍ଥିକ ସଙ୍କଟ  ଆହୁରି ବଢ଼ିଯାଇଥିଲା । 

ଅନ୍ୟପକ୍ଷରେ ଇରାନ ଟ୍ରମ୍ପ୍‌ଙ୍କ ଧମକକୁ ଖାରଜ  କରିଛି । ଇରାନର ବିଦେଶ ମନ୍ତ୍ରୀ ଅବ୍ୱାସ ଅରାକଚି  କହିଛନ୍ତି, ଇରାନ ଟ୍ରମ୍ପ୍‌ଙ୍କ ପତ୍ରର ଜବାବ ଓମାନ୍‌  ମାଧ୍ୟମରେ ପଠାଇଛି । ଚିଠିରେ ଟ୍ରମ୍ପ୍‌ ଇରାନ ସହ  ନୂଆ ପରମାଣୁ ବୁଝାମଣା ଲାଗି ଅପିଲ କରିଥିଲେ ।  ଇରାନ ଉପରେ ଆକ୍ରମଣ ଲାଗି ଟ୍ରମ୍ପ୍‌ଙ୍କ ଏହି ଧମକ  ଯୋଗୁ ମଧ୍ୟପ୍ରାଚ୍ୟରେ ସଂଘର୍ଷ ବଢ଼ିବାର ଆଶଙ୍କା  ବଢ଼ିଛି । କାରଣ ଇରାନ ୟୁରାନିୟମ ସମ୍ବନ୍ଧିତ  କାର୍ଯ୍ୟକ୍ରମକୁ ଦ୍ରୁତଗତିରେ ବଢ଼ାଇବାରେ ଲାଗିଛି ।

ଗାଜାରେ ଅସ୍ତ୍ରବିରତି ପ୍ରସ୍ତାବକୁ ହମାସର ମଞ୍ଜୁରୀ, ଇସ୍ରାଏଲ ଦେଲା ନୂଆ ପ୍ରସ୍ତାବ