ଆଜି ମାଲେସିଆକୁ ଭେଟିବ ଭାରତ

ନୂଆଦିଲ୍ଲୀ, ୨୫ ।୩ (ଏଜେନ୍ସି): ମାଲେସିଆର ଇପୋରେ ଚାଲିଥିବା ୨୮ତମ ସୁଲତାନ ଅଜଲାନ ଶାହ କପ୍ ହକିରେ ଆସନ୍ତାକାଲି ଭାରତ ଆୟୋଜକ ଦଳକୁ ଭେଟିବାକୁ ଯାଉଛି । ଭାରତ ଏ ପର୍ଯ୍ୟନ୍ତ ୨ଟି ମ୍ୟାଚ୍ ଖେଳି ଗୋଟିଏ ବିଜୟ ଏବଂ ଗୋଟିଏ ମ୍ୟାଚ୍ ଡ୍ର’ ରଖିବାରେ ସଫଳ ହୋଇଛି ।
ପ୍ରତିଯୋଗିତାରେ ୬ଟି ଦଳ ଭାଗ ନେଇଛନ୍ତି । ଶ୍ରେଷ୍ଠ ୨ ଦଳ ଫାଇନାଲ୍ ଖେଳିବେ । ତେଣୁ ଭାରତକୁ ଫାଇନାଲ୍ ଖେଳିବାକୁ ହେଲେ ଶ୍ରେଷ୍ଠ ପ୍ରଦର୍ଶନ ସହ ପ୍ରଥମ କିମ୍ବା ଦ୍ୱିତୀୟ ସ୍ଥାନରେ ରହିବାକୁ ହେବ । ଏ ପର୍ଯ୍ୟନ୍ତ ଦଳ ୪ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି । ମାଲେସିଆ ୨ଟି ମ୍ୟାଚ୍ ଖେଳି ବିଜୟୀ ହୋଇ ୬ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଛି । ପ୍ରଥମ ମ୍ୟାଚ୍ରେ ମାଲେସିଆ ୫-୧ରେ ପୋଲାଣ୍ଡକୁ ଏବଂ ଦ୍ୱିତୀୟ ମ୍ୟାଚ୍ରେ ୪-୩ ଗୋଲ୍ରେ ଜାପାନକୁ ପରାସ୍ତ କରିଥିଲା । ଗତ ଦୁଇଟି ମ୍ୟାଚ୍ରେ ମାଲେସିଆ ୯ଟି ଗୋଲ୍ ସ୍କୋର କରିବାରେ ସଫଳ ହୋଇଛି ।
ଘରୋଇ ପରିବେଶରେ ମାଲେସିଆ ବେଶ ଚମତ୍କାର ପ୍ରଦର୍ଶନ ଜାରି ରଖିଛି । ତେଣୁ ଭାରତକୁ ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ପ୍ରଥମ ମ୍ୟାଚ୍ରେ ଭାରତ ୨-୦ ଗୋଲ୍ରେ ପୋଲାଣ୍ଡ ଏବଂ ଦ୍ୱିତୀୟ ମ୍ୟାଚ୍ ୧-୧ ଗୋଲ୍ରେ ଦକ୍ଷିଣ କୋରିଆ ସହ ଅମୀମାଂସିତ ରଖିଥିଲା ।
ବିଶ୍ୱମାନ୍ୟତା ଏବଂ ଟୁର୍ଣ୍ଣାମେଣ୍ଟର ପୂର୍ବ ପ୍ରଦର୍ଶନ ଦେଖିଲେ ଭାରତ ହିଁ ଅନ୍ୟ ୫ଟି ଦଳ ଠାରୁ ଶକ୍ତିଶାଳୀ । କିନ୍ତୁ ମାନ୍ୟତା ଅନୁସାରେ ଦଳ ସେଭଳି ପ୍ରଦର୍ଶନ ପୂର୍ବ ମ୍ୟାଚ୍ ଗୁଡ଼ିକରେ ଦେଖାଇ ପାରିନାହିଁ । ବିଶ୍ୱମାନ୍ୟତାରେ ଭାରତ ଏବେ ପଞ୍ଚମ ସ୍ଥାନରେ ରହିଛି । ଗତ ଦୁଇଟି ମ୍ୟାଚ୍ରେ ମାତ୍ର ୩ଟି ଗୋଲ୍ ସ୍କୋର କରିବାରେ ସଫଳ ହୋଇଛି । ବରିଷ୍ଠ ଖେଳାଳିମାନେ ଆହତ ହେବା ଯୋଗୁ ଏଥର ଅଧିକ ଯୁବ ଖେଳାଳିଙ୍କୁ ଭାରତୀୟ ଦଳରେ ସୁଯୋଗ ମିଳିଛି ।
ଜାପାନ ବିପକ୍ଷରେ ବରୁଣ ଓ ସିମ୍ରନଜିତ ୨ଟି ଗୋଲ କରି ଦଳକୁ ଜିତାଇଥିଲେ । ମାତ୍ର ଦକ୍ଷିଣ କୋରିଆ ବିପକ୍ଷରେ ଅଧିକ ଗୋଲ୍ ସ୍କୋର କରି ପାରି ନଥିଲା । ପ୍ରଥମାର୍ଦ୍ଧରେ ଯଦିଓ ଅଧିନାୟକ ମନପ୍ରୀତ ଗୋଟିଏ ଗୋଲ ସ୍କୋର କରି ଦଳକୁ ଅଗ୍ରଣୀ କରାଇଥିଲେ, ମାତ୍ର ଦ୍ୱିତୀୟାର୍ଦ୍ଧରେ ଦଳ ଆଉ ଦ୍ୱିତୀୟ ସୁଯୋଗ ପାଇ ନଥିଲା । ବରଂ ଖେଳର ଅନ୍ତିମ ମୁହୂର୍ତ୍ତରେ ଦକ୍ଷିଣ କୋରିଆକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇ ବିଜୟ ହାତ ଛଡ଼ା କରିଥିଲା । ଅନ୍ତିମ ମିନିଟ୍ରେ ଗୋଲ୍ ସ୍କୋର କରି କୋରିଆ ମ୍ୟାଚ୍ ଅମୀମାଂସିତ ରଖିଥିଲା । ତେଣୁ ଦଳକୁ ପୂର୍ବ ମ୍ୟାଚ୍ର ଭୁଲ ତ୍ରୁଟି ସଂଶୋଧନ କରି ମାଲେସିଆ ବିପକ୍ଷରେ ବଡ଼ ବିଜୟ ହାସଲ କରିବାକୁ ହେବ । ନଚେତ ଦଳ ପାଇଁ ଫାଇନାଲ୍ ପଥ ଏତେ ସୁଗମ ହେବ ନାହିଁ ।
ମାନ୍ୟତାକୁ ବିଚାରକୁ ନିଆଗଲେ ମାଲେସିଆ ବହୁ ଦୁର୍ବଳ ଦଳ । ଦଳ ଏବେ ବିଶ୍ୱ ମାନ୍ୟତାର ୧୩ତମ ସ୍ଥାନରେ ରହିଛି । ତଥାପି ଘରୋଇ ପରିବେଶରେ ମାଲେସିଆ ବେଶ ଭଲ ପ୍ରଦର୍ଶନ ଜାରି ରଖିଛି । ପୂର୍ବରୁ ଦଳ କେବେ ଚାମ୍ପିଅନ ହେବାର ସୁଯୋଗ ପାଇନି ମାତ୍ର ୫ ଥର ଫାଇନାଲ୍ ଖେଳିଛି ।