କ୍ୱାଲାଲମ୍ପୁର,୨୭ ।୧(ଏଜେନ୍ସି): ମାଲେସିୟାରେ ଚୀନ୍ ସହଯୋଗରେ ନିର୍ମାଣ କରାଯିବାକୁ ଥିବା ଏକ ବୃହତ୍ ରେଳ ପ୍ରକଳ୍ପକୁ ସେଠାକାର ସରକାର ରଦ୍ଦ କରିଦେଇଛନ୍ତି । ମାଲେସିୟାର ସରକାର ଶନିବାର ଏହି ସୂଚନା ଦେଇଛନ୍ତି ।
ଏହାକୁ ଇଷ୍ଟ କୋଷ୍ଟ ରେଲ ଲିଙ୍କ୍ ପ୍ରୋଜେକ୍ଟ ବୋଲି କୁହାଯାଉଥିଲା । ଏହି ପ୍ରକଳ୍ପ ଅଧୀନରେ ମାଲେସିୟାର ପୂର୍ବ ଭାଗକୁ ଏହାର ପଶ୍ଚିମ ଭାଗ ସହିତ ଯୋଡା ଯାଇଥାନ୍ତା । ଏଥିପାଇଁ ସମୁଦାୟ ୧୯.୬ ବିଲିୟନ ଡଲାର ବ୍ୟୟ କରାଯାଇଥାନ୍ତା । କିନ୍ତୁ ମାଲେସିୟା ସରକାର ଏବେ କହିଛନ୍ତି କି ଏହି ପ୍ରକଳ୍ପ ନିର୍ମାଣ କରିବା ପାଇଁ ଯେତିକି ଅର୍ଥ ବ୍ୟୟ ହେବ ବୋଲି ଆକଳନ କରାଯାଇଛି, ତାହା ଖୁବ୍ ଅଧିକ । ଏତେ ଅର୍ଥ ବ୍ୟୟ କରିବାକୁ ତାଙ୍କର ଦେଶ ସମର୍ଥ ନୁହେଁ । ତେଣୁ ସରକାର ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ ନକରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଦେଶର ଅର୍ଥ ବ୍ୟାପାର ମନ୍ତ୍ରୀ ଅଜମିନ୍ ଅଲ୍ଲୀ କହିଛନ୍ତି କି ଗତ ଗୁରୁବାର ଦିନ ଏହି ନିଷ୍ପତ୍ତି ନିଆଯାଇଥିଲା । ଯଦି ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥାନ୍ତା, ତାହାହେଲେ ପ୍ରତିବର୍ଷ ମାଲେସିୟାକୁ କେବଳ ଋଣର ସୁଧ ବାବଦରେ ୫୦୦ ନିୟୁତ ରିଙ୍ଗିଟ୍୍( ସ୍ଥାନୀୟ ମୁଦ୍ରା) ଦେବାକୁ ପଡିଥାନ୍ତା । ଏହା ସମଗ୍ର ଦେଶ ଉପରେ ବୋଝ ପାଲଟିଥାନ୍ତା । ତେଣୁ ସରକାର ଏପରି ପଦକ୍ଷେପ ନେଇଛନ୍ତି । ତେବେ ଏହି ପ୍ରକଳ୍ପ କାର୍ଯ୍ୟ ଅଧାରୁ ରଦ୍ଦ କରିଥିବାରୁ ମାଲେସିୟାକୁ ଏଥିପାଇଁ ଚୀନ୍କୁ କ୍ଷତିପୂରଣ ଦେବାକୁ ପଡ଼ିବ । କିନ୍ତୁ ତା’କୁ କେତେ କ୍ଷତିପୂରଣ ଦେବାକୁ ପଡ଼ିବ, ତାହା ସିଏ ସ୍ପଷ୍ଟ କରିନାହାନ୍ତି । ଏନେଇ ଅର୍ଥ ମନ୍ତ୍ରଣାଳୟ ଆକଳନ କରିବ ବୋଲି ସିଏ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ମାଲେସିୟାରେ ପୂର୍ବର ନଜିବ ରଜାକଙ୍କ ସରକାର ସମୟରେ ଚୀନ୍ ସହିତ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଏହାଯୋଗୁ ମାଲେସିୟା ଉପରେ ଋଣ ଭାର ବଢ଼ିଯାଇଥିଲା । କେତେକ ମହଲରୁ ଏଭଳି ଚୁକ୍ତି ପଛରେ ବ୍ୟାପକ ଦୁର୍ନୀତି ହୋଇଥିବାର ଅଭିଯୋଗ କରାଯାଇଥିଲା । କିନ୍ତୁ ମାହାଥିର ମହମ୍ମଦ ସେଠାରେ କ୍ଷମତାସୀନ ହେବା ପରେ ଏ ସମସ୍ତ ଚୁକ୍ତିର ସମୀକ୍ଷା କରାଯିବ ବୋଲି ଘୋଷଣା କରିଥିଲେ । ଏହା ପୂର୍ବରୁ ମଧ୍ୟ ମାହାଥିର ସରକାର ଚୀନ୍ ସହଯୋଗରେ ମାଲେସିୟାରେ ନିର୍ମାଣ କରାଯିବାକୁ ଥିବା ଆଉ କିଛି ପ୍ରକଳ୍ପକୁ ରଦ୍ଦ କରିଦେଇଛନ୍ତି ।

ଅଚଳାଚଳ ସମ୍ପତ୍ତିର ମାଲିକ ତେଲେଙ୍ଗାନାର ନୂଆ ମୁଖ୍ୟମନ...