ମାଲକାନଗିରି,୦୪/୦୯:  କୋରୁକୋଣ୍ଡା ବ୍ଲକ ନାକାମାମୁଡ଼ି  ପଞ୍ଚାୟତ ଦୁର୍ଗମ ଆମ୍ଲିବେଡା ଗାଁକୁ  ଆଜି ଜିଲ୍ଲାପାଳ ସୋମେଶ ଉପାଧ୍ୟୟ  ଗସ୍ତ କରି ଲୋକଙ୍କ ସୁଖଦୁଃଖ ବୁଝିଛନ୍ତି । ଗାଁର ପ୍ରଥମ ଡାକ୍ତରୀ  ଛାତ୍ରୀ ତଥା ଡିଡାୟୀ ଜନଜାତି କନ୍ୟା ଚମ୍ପା ରାସପେଦାଙ୍କୁ ଭେଟି  ଶୁଭେଚ୍ଛା ଜଣାଇଛନ୍ତି । ଚମ୍ପାଙ୍କ  ପଢା଼ ଖର୍ଚ୍ଚ ପାଇଁ ୩୦ ହଜାର ସହ ମୋବାଇଲ ଓ ପୋଷାକ ପ୍ରଦାନ କରି  ତାଙ୍କ ସଫଳତା କାମନା କରିଛନ୍ତି ।  ଅନ୍ୟପକ୍ଷରେ ଜିଲ୍ଲାପାଳଙ୍କୁ ପାଖରେ  ପାଇ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର  ଲହରି ଖେଳିଯାଇଥିଲା ।  

ବୁଧବାର ଡିଡ଼ାୟୀ ଜନଜାତିର ପ୍ରଥମ ଡାକ୍ତରୀ ଛାତ୍ରୀ ଚମ୍ପାଙ୍କ ଗାଁରେ ପହଞ୍ଚିଥିଲେ ନିଜେ ଜିଲ୍ଲାପାଳ ।  ଚମ୍ପା ଗାଁରେ ପହଞ୍ଚିଥିବା ଖବରପାଇ  ନିଜେ ତାଙ୍କ ଘରକୁ ଯାଇ ଶୁଭେଚ୍ଛା  ଜଣାଇଥିଲେ । ଡିଡ଼ାୟୀ ଜନଜାତି ସମାଜର ଚମ୍ପା ପ୍ରଥମ ଡାକ୍ତର ହେବାକୁ ଯାଉଛନ୍ତି । ଏହା ଜିଲ୍ଲା ତଥା ସମସ୍ତଙ୍କ ପାଇଁ ଗୌରବର  ବିଷୟ ବୋଲି ଜିଲ୍ଲାପାଳ କହିଥିଲେ । ଡାକ୍ତର ହୋଇ ନିଜ ଜିଲ୍ଲାର ସେବା  କରିବା ପାଇଁ ଜିଲ୍ଲାପାଳ ଚମ୍ପାଙ୍କୁ ପ୍ରୋତ୍ସାହିତ କରିଥିଲେ । ତତ୍‌ସହିତ  ଆଗାମୀଦିନରେ ବିଶେଷଜ୍ଞ ଡାକ୍ତର  ହେବାକୁ ଲକ୍ଷ୍ୟ ରଖି ନିଜ ଅଞ୍ଚଳ  ଓ ସମାଜର ସେବା କରିବା ପାଇଁ  ଚମ୍ପାଙ୍କୁ ମାର୍ଗଦର୍ଶନ କରିଥିଲେ । ଏହି  ଅବସରରେ ଜିଲ୍ଲାପାଳ ଚମ୍ପାଙ୍କ ସ୍କୁଲ,  କଲେଜ ଶିକ୍ଷା ଓ ନିଟ୍‌ ପ୍ରସ୍ତୁତି କିପରି ରହିଥିଲା ପଚାରି ବୁଝିଥିଲେ । ତାଙ୍କ  ସଫଳତା ଜନଜାତି ଛାତ୍ରଛାତ୍ରୀଙ୍କ  ସମେତ ସମସ୍ତ ଛାତ୍ରଛାତ୍ରୀଙ୍କୁ  ଅନୁପ୍ରାଣୀତ କରିବ ବୋଲି ଜିଲ୍ଲାପାଳ  କହିଥିଲେ । ଏହି ଗାଁରେ ଅନେକ ଉଚ୍ଚ  ଶିକ୍ଷିତ ଯୁବକଯୁବତୀ ଥିବା ଜିଲ୍ଲାପାଳ  ଜାଣିବାକୁ ପାଇଥିଲେ । ସେ କହିଥିଲେ,  ଏହି ଗାଁ ଜଣେ ଡାକ୍ତରଙ୍କୁ ତିଆରି  କରିଛି । ତେଣୁ ଅଗ୍ରାଧିକାର ଭିତ୍ତିରେ ଗାଁର ମୌଳିକ ଆବଶ୍ୟକତା ପୂରଣ  କରିବାକୁ ବିଭାଗୀୟ ଅଧିକାରୀଙ୍କୁ  ନିର୍ଦ୍ଦେଶ ଦେଇଥିଲେ । ସେହିପରି  ଡାକ୍ତର ହୋଇ ନିଜ ଲୋକ ଓ ନିଜ  ଅଞ୍ଚଳର ସେବା କରିବା ଲକ୍ଷ୍ୟ  ରଖିଥିବା ଚମ୍ପା କହିଥିଲେ । ଜିଲ୍ଲାପାଳ  ଚମ୍ପାଙ୍କୁ ସମ୍ବର୍ଦ୍ଧନା ଜଣାଇ ପୁଷ୍ପଗୁଚ୍ଛ,  ଉତ୍ତରୀୟ, ଏକ ଆଣ୍ଡ୍ରଏଡ୍‌ ମୋବାଇଲ୍‌  ଫୋନ, ପୋଷାକ ଓ ମୁଖ୍ୟମନ୍ତ୍ରୀଙ୍କ  ରିଲିଫ୍‌ ପାଣ୍ଠିରୁ ପାଠପଢ଼ା ପାଇଁ  ୩୦ ହଜାର ଟଙ୍କା ସହାୟତା ରାଶି  ପ୍ରଦାନ କରିଥିଲେ ।

ଜିଲ୍ଲାପାଳ  ଯେତେବେଳେ ଜାଣିବାକୁ ପାଇଲେ  ଯେ ମୋବାଇଲ ଅସୁବିଧା ଯୋଗୁ  ଚମ୍ପାଙ୍କୁ ପଢାରେ ଅସୁବିଧା ହେଉଛି,  ନିଜେ ଏକ ମୋବାଇଲ ସେଟ୍‌ କିଣି  ପ୍ରଦାନ କରିଥିଲେ । ଏହି ଅବସରରେ  ଚମ୍ପାଙ୍କ ଅଭିଭାବକ ଓ ଗ୍ରାମବାସୀ  ଉପସ୍ଥିତ ଥିଲେ । ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଅମ୍ଲିବେଡା ଓ ନିକଟ  ବାୟାପଡ଼ା ଗ୍ରାମବାସୀ ସେମାନଙ୍କ ସୁବିଧା ଅସୁବିଧା ଜଣାଇଥିଲେ ।  ଆଇଟିଡିଏ ପକ୍ଷରୁ ଗାଁରେ ଏକ କାଜୁ  ପ୍ରୋସେସିଂ ୟୁନିଟ୍‌ ଆରମ୍ଭ କରିବା  ପାଇଁ ଜିଲ୍ଲାପାଳ ପରାମର୍ଶ ଦେବା  ସହ ଗାଁର ଶିକ୍ଷିତ ଯୁବକଯୁବତୀ  କର୍ମ ନିଯୁକ୍ତି ପାଇ ସ୍ୱାବଲମ୍ବୀ  ହୋଇପାରିବେ ବୋଲି କହିଥିଲେ ।  ଗାଁରେ ଡଗ୍‌ୱେଲ୍‌ ବ୍ୟବସ୍ଥା, ସମସ୍ତଙ୍କୁ  ଆବାସ ଯୋଗାଇବାକୁ ନିର୍ଦ୍ଦେଶ  ଦିଆଯାଇଥିଲା । ଗସ୍ତ ସମୟରେ ପିଏ  ଆଇଟିଡିଏ ହଳଧର ଶବର, ଜିଲ୍ଲା  ସମାଜ ମଙ୍ଗଳ ଅଧିକାରୀ ଶ୍ରୀନିବାସ  ଆଚାରୀ, ଲୋକସଂପର୍କ ଅଧିକାରୀ  ପ୍ରମିଳା ମାଝୀ, ବିଡିଓ ଅମୂଲ୍ୟ ସାହୁ, ଡିଡ଼ାୟୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ  ପରିଚାଳକଙ୍କ ସମେତ ବିଭାଗୀୟ  ଅଧିକାରୀମାନେ ଉପସ୍ଥିତ ଥିଲେ ।