ମାଲକାନଗିରି, ୧୮/୮(ଆପ୍ର ) : ମାଲକାନଗିରି ଜିଲ୍ଲାରେ ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ସ୍ଥାନରେ ଜଳମଗ୍ନ ଅବସ୍ଥା ଦେଖାଦେଇଛି। ବିଭିନ୍ନ ପୋଲ ଉପରେ ୪ଫୁଟ ଉଚ୍ଚର ପାଣି ପ୍ରଭାବିତ ହେବା ଦ୍ୱାରା ଉଭୟ ପାର୍ଶ୍ଵ ରେ ଅନେକ ଯାନବାହନ ଅଟକି ରହିଛି। ମାଲକାନଗିରି ବିଧାୟକ ନରସିଂହ ମାଡ଼କାମି ବନ୍ୟାପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି।
ବିଧାୟକ ଶ୍ରୀ ମାଡ଼କାମି ଏକ ପ୍ରତିନିଧି ଦଳ ସହିତ ପୋଟେରୁ ପୋଲ , କନ୍ୟାଶ୍ରମ ପୋଲ ଏବଂ କାଙ୍ଗୁରୁକୋଣ୍ଡା ପୋଲ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଏହି ସମୟରେ କଳିମେଳା ବ୍ଲକ ବିଡିଓ ପ୍ରଦୀପ କୁମାର କର ସମେତ,ବିଜେପି ନେତା ସଞ୍ଜୟ ସରକାର , ନିହାର ରାୟ , ମାଣିକ ଲାଲ ଚକ୍ରବର୍ତି,ରତନ ବଣିକ , ନବଘନ ଲୋକେଇ, ପରିମଲ ବିଶ୍ୱାସ,ଦୀପକ ସାହା, ପ୍ରମିଳା ଦାସ,ରାକେଶ ରାୟ ଓ ଅନ୍ୟାନ୍ୟ ପ୍ରତିନିଧି ଉପସ୍ଥିତ ଥିଲେ।
ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ଅବସ୍ଥାରେ ଅଛନ୍ତି । ବିଡିଓ ଏବଂ ପୁଲିସ କର୍ମଚାରୀମାନେ ଜନସାଧାରଣଙ୍କ ସୁରକ୍ଷା ନିଶ୍ଚିତ କରିବା ସହିତ ଜରୁରୀ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ନେବା ପାଇଁ ପ୍ରସ୍ତୁତ ରହିଛନ୍ତି। ରିଲିଫ କାର୍ଯ୍ୟ ଜାରି ରହିଛି, ଏବଂ ୪୦୦ରୁ ଅଧିକ ବନ୍ୟା ପ୍ରଭାବିତ ଲୋକଙ୍କୁ ଖାଦ୍ୟ ଏବଂ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯାଇଛି।
ବିଧାୟକ ଶ୍ରୀ ମାଡ଼କାମି କହିଛନ୍ତି ଯେ ବନ୍ୟା ପ୍ରଭାବିତ ନିମ୍ନ ବ୍ରିଜ ଗୁଡ଼ିକୁ ଉଚ୍ଚ ବ୍ରିଜ କରାଯିବ। ଏହାର ସମୀକ୍ଷା କରି ଶୀଘ୍ର କିପରି ନୂଆ ଉଚ୍ଚ ବ୍ରିଜ ହେବ ସେଥିପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ କହିଛନ୍ତି।