ଭୁବନେଶ୍ୱର,୧୨/୧୨: ମାଲକାନଗିରିରେ ଦେଖାଦେଇଥିବା ହିଂସାତ୍ମକ ଘଟଣାର ଅନୁଧ୍ୟାନ ପାଇଁ ଯିବ ବିଜେଡି ପ୍ରତିନିଧିଦଳ । ଏହି ପ୍ରତିନିଧି ଦଳରେ ଜିଲ୍ଲା ସଭାପତି ମାନସ ମାଡ଼କାମୀ,  ବରିଷ୍ଠ ନେତା ରବି ନନ୍ଦ, ପ୍ରଦୀପ ମାଝୀ, ରମେଶ  ମାଝୀ, ମନୋହର ରାନ୍ଧାରି, ଈଶ୍ୱର ପାଣିଗ୍ରାହୀ,  ଲକ୍ଷ୍ମୀପ୍ରିୟା ନାଏକ ପ୍ରମୁଖ ରହିଛନ୍ତି । ମାନସ  ମାଡ଼କାମୀ ଏହି ପ୍ରତିନିଧି ଦଳର କାର୍ଯ୍ୟକ୍ରମକୁ ସଂଯୋଜନା କରିବେ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଜି ଏହି ପ୍ରତିନିଧି ଦଳ ଗଠନ କରାଯାଇଛି ।

ବିଜେଡି ପକ୍ଷରୁ କୁହାଯାଇଛି,  ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା  ପରେ ମାଲକାନଗିରିର ଦୁଇଟି ଗାଁରେ ଭୟାନକ ହିଂସା ବ୍ୟାପୀ ଥିଲା । ୫୦ଟି ଘର ଜଳିଥିବାବେଳେ ୧୬୦ରୁ ଅଧିକ ଘର ନଷ୍ଟ ହୋଇଛି । ଶତାଧିକ ପରିବାର ଘର ଛାଡ଼ି ପଳାଇଛନ୍ତି । ଅନେକ ଲୋକେ ପାଖ ଗାଁରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି । ସରକାର ଜିଲ୍ଲାରେ ଶାନ୍ତି ଫେରାଇ ଆଣିବାକୁ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ । କ୍ଷତିଗ୍ରସ୍ତ ପରିବାରଙ୍କୁ ପ୍ରଶାସନ ସୁରକ୍ଷା ଯୋଗାଇବା ସହ ଉଚିତ ନ୍ୟାୟ ପ୍ରଦାନ କରିବାକୁ ବିଜେଡି ଦାବି କରିଛି ।