କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଳଦ୍ୱୀପ ଗସ୍ତ କରିଥିଲେ । ସେଠାରେ ଦେଶର ୬୦ ତମ ସ୍ବାଧୀନତା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଥିଲେ ମୋଦୀ । ମୋଦୀଙ୍କ ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ରାଜିନାମା ମଧ୍ୟ ସ୍ବାକ୍ଷରିତ ହୋଇଛି । ଏହା ସହ ଭାରତ, ମାଳଦ୍ୱୀପକୁ ୪୮୫୦ କୋଟି ଟଙ୍କା ଋଣ ଦେବ ବୋଲି ଘୋଷଣା ହୋଇଛି । ଏହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ବେଙ୍ଗଲକୁ କେନ୍ଦ୍ରୀୟ ଅନୁଦାନରୁ ବଞ୍ଚିତ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଏପରିକି ସେ ମାଳଦ୍ୱୀପକୁ ଭାରତ ୪୮୫୦ କୋଟି ଟଙ୍କାର ଲାଇନ୍ ଅଫ୍ କ୍ରେଡିଟ୍ ଦେବାର ଘୋଷଣାକୁ ସମାଲୋଚନା କରିଛନ୍ତି।
ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ଅନୁଯାୟୀ, ମମତା ବାନାର୍ଜୀ ବୀରଭୂମି ଜିଲ୍ଲାର ବୋଲପୁରରୁ 'ଭାଷା ଆନ୍ଦୋଳନ' ଆରମ୍ଭ କରିଛନ୍ତି । ଏହିୁ ଅବସରରେ ସେ ଖହିଛନ୍ତି ଯେ, ନିଜ ଜୀବନ ତ୍ୟାଗ କରିଦେବେ ପଛେ, କିନ୍ତୁ କାହାକୁ ତାଙ୍କ ଭାଷା ଛଡ଼ାଇ ନେବାକୁ ଦେବେ ନାହିଁ।
ସବୁଥର ପରି ଏଥର ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ମୋଦୀଙ୍କୁ ଟାର୍ଗେଟ କରିବାକୁ ଭୁଲିନାହାନ୍ତି ମମତା । ଆରବ ଦେଶରେ ଶେଖମାନଙ୍କୁ ଆଲିଙ୍ଗନ ସମୟରେ ସେମାନଙ୍କ ଧର୍ମ ପଚାରିଥିଲେ କି ବୋଲି କହି ମୋଦୀଙ୍କୁ କଟାକ୍ଷ କରିଛନ୍ତି ମମତା ବାନାର୍ଜୀ । ଏପରିକି ନିକଟରେ ମୋଦୀଙ୍କ ମାଳଦ୍ୱୀପ ଗସ୍ତକୁ ନେଇ ସେ ପଚାରିଛନ୍ତି, ‘ ବେଙ୍ଗଲକୁ କେନ୍ଦ୍ରୀୟ ଅନୁଦାନରୁ ବଞ୍ଚିତ କରୁଥିବା ବେଳେ ମାଳଦ୍ୱୀପ ରାଷ୍ଟ୍ରପତିଙ୍କୁ ଆଲିଙ୍ଗନ କରି ୫୦୦୦ କୋଟି ଦେବା ସମୟରେ ତାଙ୍କୁ ଧର୍ମ ସଂପର୍କରେ ପଚାରିଥିଲେ କି ।’
ସେପଟେ ଭାଷା ଆଧାରରେ ବିଭାଜନ ଚାହାଁନ୍ତି ନାହିଁ ବୋଲି କହିଛନ୍ତି ମମତା । ଏହା ସହ ବଙ୍ଗାଳୀ ପ୍ରବାସୀମାନଙ୍କ ଉପରେ ହେଉଥିବା ଆକ୍ରମଣର ସେ ପ୍ରତିବାଦ ବି କରିଛନ୍ତି । ବଙ୍ଗଳା ଭାଷାଭାଷୀ ପ୍ରବାସୀଙ୍କୁ ଟାର୍ଗେଟ କରି ପଶ୍ଚିମବଙ୍ଗରେ NRC ଲାଗୁ କରିବାକୁ ଚେଷ୍ଟା କରୁଥିବା ନେଇ ସେ କେନ୍ଦ୍ର ଏବଂ ନିର୍ବାଚନ କମିଶନଙ୍କ ଉପରେ ଅଭିଯୋଗ କରିଛନ୍ତି ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଉପରେ "ଭାଷାଗତ ଆତଙ୍କ" ଚଳାଇବାର ଅଭିଯୋଗ ଆଣିଛନ୍ତି । ବଙ୍ଗେଲରେ ଡିଟେନସନ୍ କ୍ୟାମ୍ପ ନିର୍ମାଣ କରିବାକୁ ଅନୁମତି ଦେବେ ନାହିଁ ବୋଲି କହିଛନ୍ତି । ପିଟିଆଇ ଅନୁଯାୟୀ, ‘ଭାଷାଗତ ଆତଙ୍କ ନାମରେ ଆମର ଅସ୍ତିତ୍ୱକୁ ବିପଦରେ ପକାଇବା ଏବଂ ପଛ ଦ୍ୱାର ଦେଇ ଏନଆରସି ଲାଗୁ କରିବାର ପ୍ରୟାସକୁ ଆମେ ବନ୍ଦ କରିବୁ ବୋଲି କହିଛନ୍ତି ମମତା ବାନାର୍ଜୀ ।