ମାୟା କୋଉଠି ନାହିଁ, ସବୁଠି ମାୟା ଟାଣି ଧରିଛି । ସଚରାଚର ବିଶ୍ୱ ବ୍ରହ୍ମାଣ୍ଡକୁ ମାୟା ଜାବୁଡ଼ି ଧରିଛି । ଆଗରେ ମାୟା, ପଛରେ ମାୟା, ମଝିରେ ମାୟା, ସବୁଠି ମାୟାର କୁହୁକ ବନ୍ଧନ । ମାୟାକୁ ମଣିଷ ଛାଡୁନି କି ମାୟା ମଣିଷକୁ ଛାଡୁନି । ମାୟାକୁ ନେଇ ନାଟକ ଆଉ ହଟଚମଟ । ମାୟା ଅଦୃଶ୍ୟ, ମାୟା ଥାଏ ଗୁପ୍ତରେ। କିଏ ସେ ମାୟା, କ’ଣ ସେ ମାୟା, କାହାର ସେ ମାୟା? ପ୍ରତିନିୟତ ଏ ମଣିଷ ଯେ ମାୟାରେ ବାନ୍ଧି ହେଇପଡ଼ୁଛି! ଦୀପ ସଳିତାରେ ମାୟା, ଫୁଲ ଫୁଟିବା ଓ ମଉଳିଯିବା ମାୟା, ପୁଣି ନଦୀ ପଥ ଖୋଜି ଖୋଜି ଆଗକୁ ମାଡ଼ିଯିବାଟା କି ଅଦ୍ଭୁତ ମାୟା ସତରେ, ମାୟା ଯେମିତି ଆମ ପାଖରେ ଗୋଟାଏ ମିରାକଲ ନୁହେଁ କି? ଭାଗବତକାର ଲେଖିଲେ ‘ତୋହର ମାୟାରେ ଜଗତ ଅଜ୍ଞାନେ ହୋନ୍ତି ଆତଯାତ... ପଥ ଆପଣା ବୋଲି ହୁଡି, ଭ୍ରମନ୍ତି ମାୟା ଚକ୍ରେ ଗଡି... ମୋହର ଆତ୍ମା ପୁତ୍ର ଘୋର, ଦାରା ସମ୍ପଦ ବନ୍ଧୁ ମୋର । ସ୍ୱପ୍ନ ପ୍ରାୟ ଏ ଜଗତ... ଆବୋରିଛି ମାୟା ପଥ’ । ଏଣୁ ମାୟାର ଶବ୍ଦଟି ଭାରି ଜଟିଳ, ପରିଭାଷା ମଧ୍ୟ ସେଇପରି ରହସ୍ୟମୟ ।

ମାୟାକୁ ଛାଡ଼ି ମଣିଷ ବଞ୍ଚିନପାରେ । ମାୟା କୋଉଠି ନେଇ କୋଉଠି ଥୁଏ କେହି ଜାଣି ପାରିନଥାଏ³ ଯଦିଓ ମାୟାର ବାଟ ଅଗମ୍ୟ, କିନ୍ତୁ ମାୟାର ପଥ ଏ ମଣିଷ ଅହରହ ଖୋଜୁଥାଏ । ତେଣୁ କୁହାଯାଏ ‘ତୋର ମାୟାରେ ମୂର୍ଖ ଜନ, ଆତ୍ମାକୁ ଯେ ଦେଖନ୍ତି ଭିନ୍ନ’ । ଏଇଠି ସୃଷ୍ଟ ହେଇଉଠେ ଯେ ମାୟାଧର, ସେ କ’ଣ ଏ ମାୟାରେ ଖେଳାନ୍ତି? ବଡ଼ କ୍ଳିଷ୍ଟ ଏ ମାୟାକୁ ବୁଝିବା । କେମିତି ବା କହିପାରିବା ଏ ମାୟା ହିଁ ଈଶ୍ୱରଙ୍କ ଦ୍ୱାରା ସମାହିତ ହୁଏ । ପୋଥି କହିଲେ ‘ଭୋ ନାଥ କମଳ ଲୋଚନ, ମାୟାରେ ମୋହୁ ପ୍ରାଣୀ ମନ, ଯେ ତୋର ନାମ ନ ଭଜନ୍ତି ମାୟା ପଟଳେ ଆବୋରନ୍ତି...’ । କିନ୍ତୁ କଥା ହେଉଛି ଆମେ କି ମାୟାରେ ପଡ଼ିଯାଇଛେ ଯେ ନିସ୍ତାର ନାହିଁ ସେଥିରୁ । ଦୈନନ୍ଦିନ ଜୀବନରେ ବୃତ୍ତି ପାଇଁ ଡହଳ ବିକଳ ଏ ମଣିଷ, ରାତି ଦିନ ଖଟୁଚି ପେଟ ଚାଖଣ୍ଡକ ପାଇଁ । କେହି କେହି ଅଧିକ ରୋଜଗାର କରିବା ପାଇଁ ସ୍କୁଟର କି ସାଇକେଲ ପଛରେ ବସାଇ ନିଜର ପତ୍ନୀକୁ ଅଫିସ କି ସ୍କୁଲରେ ଛାଡୁଚି, ନିଜ ଜୀବନକୁ ବାଜି ଲଗାଇ ନିତି ଧାଁଧପଡ଼ ହେଉଛି ଅଧିକ ରୋଜଗାର କରିବା ପାଇଁ । ସୁଖରେ ରହିବି, କିଏ ଭାବୁଛି ଅୟସ ଆରାମ କରିବି, କିଏ ପୁଣି ଚୋରା କାରବାର କରୁଚି ତ କିଏ ଦୁର୍ନୀତିରେ ଲିପ୍ତ ରହି ଗଚ୍ଛିତ ଟଙ୍କା ପଇସା ଲୋକଲୋଚନକୁ ଯେତେବେଳେ ଆସୁଛି ସେତେବେଳେ ବନ୍ଧାହେଉଛି, ଜେଲରେ ସଢୁଛି, ଏ କି ମାୟା ସତରେ? ମାୟା ବଡ଼ ସାଂଘାତିକ, ତଥାପି ମାୟା ଅତି ନିଜର ହେଇଯାଏ ଯେମିତି । ମଣିଷ ଆଉ ମାୟା ଜାବୁଡ଼ି ଧରିଛନ୍ତି ଉଭୟେ ଉଭୟଙ୍କୁ । କହିଲା- ମାୟାରେ ମନ ଅଗୋଚର, ଭୁଲ୍ ଅଶେଷ ପ୍ରକାର ।
ତୁ ମାୟା, ମୁଁ ମାୟା, ଏ ଜଗତ ମାୟା । ମାୟା ଠାରୁ କେହି ଦୂରେଇ ରହିପାରିବେନି, ମାୟା ଟାଣୁଛି ଅହରହ ସମସ୍ତଙ୍କୁ । ଏ ଯୁଦ୍ଧ ମାୟା, ରାଜ୍ୟ ଅଧିକାର ବି ମାୟା । ସିଂହାସନ ମାୟା, ସତ୍ତା ଓ ଶକ୍ତି ଏସବୁ ମିଛ ମାୟା । ସତ୍ତା ଓ ସିଂହାସନ ଏ କି ପ୍ରକାର ମାୟା, ଯାହାଦ୍ୱାରା ମଣିଷ ପାଗଳ ହୁଏ । ସିଂହାସନ ପାଇଁ ମିଥ୍ୟା, ଅସତ୍ୟକୁ ବି ଧରି ସିଂହାସନକୁ ଅକ୍ତିଆର କରିବାକୁ ହୁଏ । ସବୁ କିଛି ମହୁଫେଣା, ମହୁ ଲାଗେ, କିନ୍ତୁ ମହୁମାଛିର ଦଂଶନକୁ ବି ସହିବାକୁ ହୁଏ । କ୍ଷତବିକ୍ଷତ ହେବାକୁ ପଡ଼ିଥାଏ, ସଂସାର ଦେଖୁ ଯେତେ ଆଶ, ଏ ସର୍ବେ ମନର ବିଳାସ । ମନ ହିଁ ନିୟନ୍ତ୍ରକ, ବିବେକ ଚାବୁକ ଧରେ, ସେଥିରୁ ଓହରି ଗଲେ ଦୁଃଖ ହିଁ ଦୁଃଖ ।
ଭାଗବତ ଗୀତା ଅନୁସାରେ ମାୟା ଗୋଟିଏ ଭ୍ରାନ୍ତ ଧାରଣା । ଭ୍ରମ ଓ ଅଜ୍ଞାନତାର ରୂପ ହେଉଛି ମାୟା³ ଯିଏ ଅବାସ୍ତବତାକୁ ବାସ୍ତବିକତା ଓ ବାସ୍ତବିକତାକୁ ଅବାସ୍ତବିକତା ଦର୍ଶାଏ । ଯେଉଁଠି ବ୍ୟକ୍ତିଟିଏ ବାସ୍ତବିକତାର ଅସଲ ସୂତ୍ରଟିକୁ ବୁଝି ପାରେନାହିଁ । ସାଂସାରିକ ମୋହ ହିଁ ମାୟାର ଅନ୍ୟ ଏକ ସ୍ୱରୂପ । ଏହା ଏପରି ସଶକ୍ତ ଶକ୍ତିଶାଳୀ ଯେ, ଯିଏ ଆମକୁ ଧନ, ଐଶ୍ୱର୍ଯ୍ୟ ବସ୍ତୁନିଷ୍ଠ କରିପକାଏ, କୃତ୍ରିମତା ଆଡକୁ ଟାଣିନିଏ ଓ ଲୋଭାସକ୍ତ କରେ । ଯାହାକି ପରମ ସତ୍ୟଟି ବୁଝାପଡ଼େନା । ଯେତେବେଳେ ମନ କୌଣସି ଗୋଟିଏ ବସ୍ତୁରେ ନିବଦ୍ଧ ହେଇଯାଏ ଏହି ମାୟା ଆମ ମନର ଊର୍ଜାକୁ ବାହାର କରି ଫୋପାଡ଼ି ଦିଏ । ଯେଉଁଥିପାଇଁ ମଣିଷ ଜ୍ଞାନଶୂନ୍ୟ ହେଇଯାଏ । ମାୟାରେ ଲିପ୍ତ ମଣିଷ ଦୁଷ୍କର୍ମମାନ କରିପକାଏ । ଆଉ ବେଳେବେଳେ ତା’ ଭିତରେ ଆସୁରୀୟ ଶକ୍ତି ଜାଗ୍ରତ ହୁଏ। ବିବେକ ଓ ଜ୍ଞାନ ବଳରେ ମାୟାକୁ ବୁଝି ହେଇଥାଏ । ଆଉ ତାର ପ୍ରଭାବ କ୍ରମଶଃ ହ୍ରାସ ପାଇଥାଏ । ଏହା କୁହାଯାଇପାରେ ଯିଏ ବ୍ରହ୍ମକୁ ଚିହ୍ନେ ସେ ପ୍ରକୃତ ମଣିଷ । ଗୋଟିଏ କଥା ଠିକ୍- ବ୍ରହ୍ମ ସତ୍ୟ, ଜଗତ ମିଥ୍ୟା । ତେଣୁ ସତ୍ୟରେ ଲୟ ରଖି ନିଜ କର୍ତ୍ତବ୍ୟରେ ଆଗୁସାର ହେବା ଉଚିତ । କର୍ମବିପାକରୁ ଇନ୍ଦ୍ର ତ ପୁଣି ଶୂକର ରୂପରେ ଜନ୍ମ ହୋଇ ପଙ୍କରେ ଲୋଟୁଥିଲେ । ସେ ସଂସାର ଆସକ୍ତିରେ ଏତେ ମୋହାନ୍ଧ ହୋଇଯାଇଥିଲେ ଯେ, ଆଉ ସ୍ୱର୍ଗକୁ ଫେରିବାକୁ ଇଚ୍ଛା କରୁନଥିଲେ ।
ଏ ସଂସାର ଜଞ୍ଜାଳ ଏତେ ଘାଣ୍ଟି ହୋଇଥାଏ ଯେ ନିଜ ସ୍ୱରୂପ ଚିନ୍ତା ଆଦୌ କରେନା । ତମୋ-ରଜ ଗୁଣର ପ୍ରକୃତିମାନେ ମଣିଷର ମୋହର କାରଣ ହୋଇ ବିପଥଗାମୀ କରେ, ସେମାନେ ନିୟନ୍ତ୍ରିତ ହେଇଗଲା ପରେ ସତ୍ତ୍ୱ ପ୍ରକୃତିମାନଙ୍କର ବିକାଶ ହେବ ସିନା । ଏଣୁ ଇନ୍ଦ୍ରିୟମାନେ ଅଶୁଭ କର୍ମରୁ ନିବୃତ୍ତ ହୋଇ ଶୁଭ ଆଡ଼କୁ ଅଗ୍ରସର ହେବା ଉଚିତ ।