ଚୌଦ୍ୱାର-ଗୁରୁଡ଼ିଝାଟିଆ,୨୦/୦୧: ପକ୍ଷାଘାତରେ ଆକ୍ରାନ୍ତ ପତ୍ନୀଙ୍କୁ ଟ୍ରଲିରେ ଶୁଆଇ ସମ୍ବଲପୁରରୁ ଆଣିଥିଲେ କଟକ ବଡ଼ ମେଡିକାଲ୍କୁ । ଦୁଇ ମାସର ଚିକିତ୍ସା ପରେ ଆଜି ବଡ଼ ମେଡିକାଲ୍ରୁ ଡିସ୍ଚାର୍ଜ କରାଇ ପୁଣି ଟ୍ରଲିରେ ଧରି ସମ୍ବଲପୁର ଫେରୁଥିଲେ ବୃଦ୍ଧ ବାବୁ ଲୋହାର୍ । ହେଲେ ଭାଗ୍ୟର ବିଡ଼ମ୍ବନା । ଫେରିବା ବାଟରେ ଚୌଦ୍ୱାର ନିକଟରେ ଏକ ଅଜଣା ଗାଡ଼ି ତାଙ୍କ ଟ୍ରଲିକୁ ଧକ୍କା ଦେଲା । ପତ୍ନୀ ଗୁରୁତର ଆହତ ହେଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ପତ୍ନୀଙ୍କୁ ଏବେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ସେଠାରେ ଚିକିତ୍ସା ଚାଲିଛି । ଏଭଳି ଅଘଟଣକୁ ସାମ୍ନା କରିଛନ୍ତି ସମ୍ବଲପୁର ଅଞ୍ଚଳର ବାବୁ ଲୋହାର (୭୫) ।
ମିଳିଥିବା ତଥ୍ୟ ମୁତାବକ, ବାବୁଙ୍କ ପତ୍ନୀ ଜ୍ୟୋତି ଲୋହାର(୭୦) ପକ୍ଷାଘାତଗ୍ରସ୍ତ । ଆର୍ଥିକ ଅନଟନ ହେତୁ ବାବୁ ଦୁଇ ମାସ ତଳେ ପତ୍ନୀଙ୍କୁ ଟ୍ରଲିରେ ଶୁଆଇ ପ୍ରାୟ ୨୭୦ କିଲୋମିଟର ରାସ୍ତା ଅତିକ୍ରମ କରି କଟକ ବଡ଼ ମେଡିକାଲ୍ ଆଣି ଚିକିତ୍ସା କରିଥିଲେ । ଦୁଇ ମାସ ପରେ ଆଜି ଡାକ୍ତର ଜ୍ୟୋତିଙ୍କୁ ମେଡିକାଲ୍ରୁ ଡିସ୍ଚାର୍ଜ କରିଥିଲେ । ଅଭାବ ଯୋଗୁଁ ପୁଣିଥରେ ବୃଦ୍ଧ ବାବୁ ପତ୍ନୀଙ୍କୁ ଟ୍ରଲିରେ ବସାଇ ସମ୍ବଲପୁର ଅଭିମୁଖେ ବାହାରିଥିଲେ । ଅପରାହ୍ଣ ପ୍ରାୟ ୨ଟା ସମୟରେ ଚୌଦ୍ୱାର ଦେଇ ୫୫ନଂ ଜାତୀୟ ରାଜପଥରେ ସମ୍ବଲପୁର ଯାଉଥିବା ସମୟରେ ଚୌଦ୍ୱାର ଗାନ୍ଧି ଛକଠାରେ ଏକ ଅଜଣା ଗାଡ଼ି ତାଙ୍କ ଟ୍ରଲିକୁ ଧକ୍କା ଦେଇଥିଲା । ଫଳରେ ଜ୍ୟୋତି ରାସ୍ତା ତଳକୁ ଖସି ପଡ଼ିଥିଲେ । ତାଙ୍କ ଶରୀରରେ ଗୁରୁତର ଆଘାତ ଲାଗିଥିଲା । ୧୦୮ ଆମ୍ବୁଲାନ୍ସ ଆସିବାରେ ବହୁ ବିଳମ୍ବ ହେବାରୁ ଚୌଦ୍ୱାର ଥାନା ଗାଡ଼ିରେ ତାଙ୍କୁ ସ୍ଥାନୀୟ ଏକ ଘରୋଇ ଚିକିତ୍ସାଳୟକୁ ନିଆଯାଇଥିଲା । ଆମ୍ବୁଲାନ୍ସ ପହଞ୍ଚିବା ପରେ ପୁଲିସ ଜ୍ୟୋତିଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହ ତାଙ୍କ ଟ୍ରଲିକୁ ଥାନାକୁ ଆଣି ହେପାଜତରେ ରଖିଛି । ତେବେ ଜଣେ ୭୫ ବର୍ଷର ବୃଦ୍ଧ ଅର୍ଥ ଅଭାବରୁ ବୃଦ୍ଧା ପତ୍ନୀଙ୍କୁ ଟ୍ରଲିରେ ବସାଇ ଟାଣି ଟାଣି ଆଣୁଥିବା ବେଳେ କିପରି କାହାର ନଜର ପଡିଲାନି ବୋଲି ପ୍ରଶ୍ନ ଉଠୁଛି ।