ନୂଆଦିଲ୍ଲୀ :  ଖୁବ୍‌ ଜୋରରେ ମ୍ୟୁଜିକ୍ ବଜାଇବାକୁ ନେଇ ଝଗଡ଼ାର ସୂତ୍ରପାତ ହୋଇଛି। ଯେଉଁଥିରେ ଜଣେ ବ୍ୟକ୍ତିଙ୍କର ଜୀବନ ଚାଲିଯାଇଛି। ଘଟଣାଟି ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଘଟିଛି। ସୂଚନା ଅନୁସାରେ, ୩୧ ଡିସେମ୍ୱର ଓ ୧ ଜାନୁଆରୀ ରାତିରେ ଖୁବ୍‌ ଜୋରରେ ମ୍ୟୁଜିକ୍‌ ବଜାଇବାକୁ ବିରୋଧ କରିଥିଲେ ୪୦ ବର୍ଷିୟ ଧର୍ମେନ୍ଦ୍ର ନାମକ ଜଣେ ବ୍ୟକ୍ତି। ଝଗଡ଼ାରେ ତାଙ୍କର ଜୀବନ ଯାଇଛି। ସେ ପତ୍ନୀ ଓ ୩ ପିଲାଙ୍କ ସହ ରହୁଥିଲେ।

 ପୁଲିସର କହିବାନୁସାରେ, କଣ୍ଟ୍ରୋଲ ରୁମ୍‌କୁ ରାତି ୧ଟା ୦୮ ସମୟରେ କଲ୍‌ ଯାଇଥିଲା, ଯେଉଁଥିରେ ପଡୋଶୀଙ୍କ ମଧ୍ୟରେ ହୋଇଥିବା ଝଗଡ଼ା ଓ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଖବର ଦିଆଗଲା। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଜାଣିବାକୁ ପାଇଲା ଯେ ଝଗଡ଼ା ପରେ ଆହତ ଧର୍ମେନ୍ଦ୍ରଙ୍କୁ ହସ୍ପିଟାଲ ନିଆଯାଇଛି। ଯେବେ ପୁଲିସ ହସ୍ପିଟାଲରେ ପହଞ୍ଚିଲା ତ ଧର୍ମେନ୍ଦ୍ରଙ୍କୁ ମୃତ ଘୋଷିତ କରିଦିଆ ଯାଇଥିଲା। ପ୍ରାରମ୍ଭିକ ଯାଞ୍ଚରେ ଜଣାପଡ଼ିଛି କି ପଡୋଶୀ କପିଲ ତିୱାରୀ (୨୬) ଓ ପୀୟୁଷ ତିୱାରୀ ( ୨୧)ଙ୍କ ସହ ଧର୍ମେନ୍ଦ୍ରଙ୍କର ଝଗଡ଼ା ଖୁବ୍‌ଜୋରରେ ମ୍ୟୁଜିକ୍‌ ବଜାଇବାକୁ ନେଇ ହୋଇଥିଲା। ଯେବେ ଧର୍ମେନ୍ଦ୍ର ମ୍ୟୁଜିକ ବନ୍ଦ କରିବାକୁ କହିଲେ , ତ ଅଭିଯୁକ୍ତମାନେ ତାଙ୍କୁ ମାଡ଼ ମାରିଥିଲେ। 

ଝଗଡ଼ାରେ ଧର୍ମେନ୍ଦ୍ର ଗୁରୁତର ହୋଇଥିଲେ ଏବଂ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ନେଇଛି ଏବଂ ମାମଲାର ଯାଞ୍ଚ ଜାରି ରହିଛି। ଧର୍ମେନ୍ଦ୍ରଙ୍କର ମୃତ୍ୟୁରେ ତାଙ୍କ ପରିବାର ଗଭୀର ଦୁଃଖରେ । ପୁଲିସ ଏହି ମାମଲାରେ ସମ୍ୱନ୍ଧିତ ଧାରା ଅନୁସାରେ କେସ୍‌ ରୁଜୁ କରିଛି।