ନିଶ୍ଚିନ୍ତକୋଇଲି,୨୨/୦୭: ବିଦ୍ୟୁତ ଆଘାତରେ ଜଣେ ବ୍ୟକ୍ତି ମୃତ। କଟକ ନିଶ୍ଚିନ୍ତକୋଇଲି ବ୍ଲକ ଜିଗୀନ୍ନିପୁର ଗ୍ରାମରୁ ଏହି ଘଟଣା ସାମ୍ନାକୁ ଆସିଛି। ମୃତକ ଜଣକ ଉକ୍ତ ଗ୍ରାମର ୫୫ ବର୍ଷୀୟ ଜ୍ୟୋତି ରଞ୍ଜନ ସିଂ ବୋଲି ଜଣାପଡ଼ିଛି।
ସୂଚନା ମୁତାବକ, ଜ୍ୟୋତି ରଞ୍ଜନ ଆଜି ମଧ୍ୟାହ୍ନରେ ନିଜ ଘରେ ପାଣି ମଟର ପମ୍ପ କାର୍ଯ୍ୟ କରୁଥିଲା। ସେହି ସମୟରେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ଏନେଇ ସେ ଗୁରୁତର ହୋଇପଡ଼ିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସମ୍ପର୍କରେ ତାଙ୍କ ପରିବାର ତରଫରୁ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ସାଲେପୁର ପୁଲିସ ଏନେଇ ଏକ ମାମଲା ରୁଜ୍ଜୁ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କଟକ ବଡ଼ ମେଡିକାଲକୁ ପଠାଇଛି।