ପୋଷା କୁକୁରଙ୍କୁ ନାଁ ଧରି ନ ଡାକି ‘କୁକୁର’ କହିବାରୁ ରାଗିଗଲେ ମାଲିକ, ୬୫ ବର୍ଷୀୟ ଚାଷୀଙ୍କୁ ରାସ୍ତାରେ ପିଟିପିଟି…

ଚେନ୍ନାଇ ୨୩/ ୦୧: ପଡୋଶୀଙ୍କ ପୋଷା କୁକୁରକୁ ‘କୁକୁର’ କହିବା ପଡିଲା ମହଙ୍ଗା । ରାଗ ଜର୍ଜରିତ ମାଲିକ ଉତକ୍ଷିପ୍ତ ହୋଇ ଜଣେ ୬୫ ବର୍ଷୀୟ ଚାଷୀଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ପୂରା ତାମିଲନାଡୁରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ପରେ ସଂପୃକ୍ତ ମାଲିକ ଫେରାର୍ ହୋଇଯାଇଛି । ତୁରନ୍ତ ଥାନାରେ ହାଜର ହେବାକୁ ଲୁକ୍ଆଉଟ୍ ନୋଟିସ୍ ଜାରି କରିଛି ପୋଲିସ ।
ମିଳିଥିବା ସୂଚନା ଅନୁସାରେ ଏଭଳି ଅଭାବନୀୟ ଘଟଣା ତାମିଲନାଡୁ ଡିଣ୍ଡିଗୁଲ୍ ଜିଲ୍ଲା ଥାଡିକୋମ୍ବୁରେ ଦେଖିବାକୁ ମିଳିଛି । ରାୟାପ୍ପାନ ନାମକ ଜଣେ ୬୫ ବର୍ଷୀୟ ବ୍ୟକ୍ତି ତାଙ୍କ ପଡୋଶୀଙ୍କ ଦୁଇ ପାଳିତ କୁକୁରଙ୍କ କାରଣରୁ ଚିନ୍ତାରେ ଥିଲେ । ସେହି ରାସ୍ତା ଦେଇ ଯେକେହି ବି ଯାଉଥିଲେ ତାଙ୍କୁ ଦେଖି ଭୁକିବା ଆରମ୍ଭ କରିଦେଉଥିଲେ ଦୁଇ କୁକୁର ଭିନସେଣ୍ଟ ଏବଂ ଡାନିଏଲ୍ । ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ପଡୋଶୀଙ୍କୁ ଏ ନେଇ ଜଣାଇଥିଲେ ରାୟାପ୍ପାନ । କିନ୍ତୁ ଏ ନେଇ କର୍ଣ୍ଣପାତ କରିନଥିଲେ କୁକୁରଙ୍କ ମାଲିକ । ଓଲଟା ଭିନସେଣ୍ଟ ଏବଂ ଡାନିଏଲ୍କୁ କୁକୁର କହି ସମ୍ବୋଧିତ କରିବାରୁ ରାୟାପ୍ପାନଙ୍କୁ ବାରଣ କରିଥିଲେ ।
ଏହି ଖବର ବି ପଢନ୍ତୁ: ସ୍ୱାଧିନତା ପୂର୍ବରୁ ଭାରତରେ ଗଠନ ହୋଇଥିଲା ପ୍ରଥମ ସରକାର! ବିପ୍ଳବର ରାସ୍ତା ବାଛି ପରାଧିନତାର ଶିଙ୍କୁଳୀକୁ ଛିଣ୍ଡାଇବାରେ ବୋଷ ଥିଲେ ଜଣେ ଧୁରୀଣ ଯୋଦ୍ଧା
ପୋଲିସ କହିବା ମୁତାବକ, ପଡୋଶୀଙ୍କ କୁକୁରଙ୍କୁ ନାଁ ବଦଳରେ ‘କୁକୁର’ ଡାକୁଥିବାରୁ ଏହାକୁ ନାପସନ୍ଦ କରୁଥିଲେ ରାୟାପ୍ପାନ୍ । ଗତ ଗୁରୁବାର ପୁଣି ଏହାକୁ ନେଇ କୁକୁର ମାଲିକ ଏବଂ ରାୟାପ୍ପାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ମାଲିକ ଜଣଙ୍କ ପାଳିତ କୁକୁରଙ୍କୁ ଭିନସେଣ୍ଟ ଏବଂ ଡାନିଏଲ୍ ନାଁ ରେ ଡାକିବାକୁ କହିଥିଲେ । କିନ୍ତୁ ସେ ଡାକିବେ ନାହିଁ ବୋଲି ରାୟାପ୍ପାନ ସଫାସଫା ମନାକରିଦେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ରାୟାପ୍ପାନଙ୍କୁ ଢେଙ୍ଗାରେ ପିଟିଥିଲେ ସଂପୃକ୍ତ ମାଲିକ । ଯେଉଁଥି ପାଇଁକି ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଥାଡିକୋମ୍ବୁ ପୋଲିସ ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ପାଳିତ କୁକୁରଙ୍କ ମାଲିକକୁ ଲୁକ୍ଆଉଟ୍ ନୋଟିସ ଜାରି କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।