ଦୋକାନୀଙ୍କୁ ଟେକି କଚିଦେଲା ଦନ୍ତା

ଭୁବନେଶ୍ବର,12।1(ବୁୟରୋ): ଆଜି ଭୋର ସମୟରେ ଚନ୍ଦକା ଥାନା ଅନ୍ତର୍ଗତ ବିନ୍ଧ୍ୟଗିରି ନିକଟରେ ସାଇକେଲ୍ ଯାଉଥିବା ଜଣେ ଦୋକାନୀଙ୍କୁ ଏକ ଦନ୍ତା ହାତୀ ଆକ୍ରମଣ କରିଛି। ଦୋକାନୀଙ୍କ ଛାତିକୁ ଦାନ୍ତରେ ଖୋବି ଦେବା ସହ ଟେକି କଚି ଦେଇଛି। ଗୁରୁତର ଅବସ୍ଥାରେ ଦୋକାନୀ ଅଙ୍ଗାରପଡ଼ା ଗାଁର ଡାକ ବେହେରା(55)ଙ୍କୁ ଉଦ୍ଧାର କରାଯାଇ ଖୋର୍ଦ୍ଧ। ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହାତୀ ଆକ୍ରମଣ କରୁଥିବା ବେଳେ ଏକ ଟ୍ରକ୍ ପହଞ୍ଚି ଲାଇଟ୍ ପକାଇ ହର୍ଣ୍ଣ ବଜାଇବାରୁ ଦନ୍ତା ଡାକଙ୍କୁ ଛାଡ଼ି ଚନ୍ଦକା ଜଙ୍ଗଲକୁ ପଳାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଡାକ ଛତାବର ବଜାରରେ ଏକ ଚା’ ଦୋକାନ କରିଛନ୍ତି। ଆଜି ଭୋର ସାଢ଼େ 4ଟାବେଳେ ସେ ଗାଁରୁ ଛତାବର ବଜାରକୁ ଆସୁଥିଲେ। ବିନ୍ଧ୍ୟଗିରି ନିକଟରେ ଥିବା ଏକ ଘରୋଇ କଲେଜ ପାଖରେ ସେ ପହଞ୍ଚିବା ବେଳେ ଏକ ବିରାଟ ଦନ୍ତା ରାସ୍ତା ପାର ହେଉଥିଲା। ଅନ୍ଧାରରେ ଡାକ ଜାଣିପାରି ନଥିଲେ। ସାଇକେଲ୍ ସହ ସେ ଦନ୍ତା ଦେହରେ ପିଟି ହୋଇ ଯାଇଥିଲେ। ଦନ୍ତା ହଠାତ୍ ବୁଲିପଡ଼ି ଦାନ୍ତରେ ଡାକଙ୍କ ଛାତିକୁ ଖୋବି ଦେଇଥିଲା। ତା’ପରେ ତାଙ୍କୁ ଥୋଡ଼ ପାହୁଲରେ ଟେକି କଚି ଦେଇଥିଲା। ସୌଭାଗ୍ୟବଶତଃ ଉକ୍ତ ରାସ୍ତାରେ ଏକ ଟ୍ରକ୍ ଆସୁଥିଲା। ଟ୍ରକ୍ ହେଡ୍ଲାଇଟ୍ରେ ଚାଳକ ହାତୀକୁ ଦେଖି ହର୍ଣ୍ଣ ବଜାଇଥିଲେ। ଫଳରେ ଦନ୍ତା ଡାକଙ୍କୁ ଛାଡ଼ି ଜଙ୍ଗଲ ଅଭିମୁଖେ ପଳାଇଥିଲା। ଗୁରୁତର ଅବସ୍ଥାରେ ଡାକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଖୋର୍ଦ୍ଧ। ମେଡ଼ିକାଲକୁ ନେଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଖବରପାଇ ହଳଦିଆ ରେଞ୍ଜ୍ର, ଡେପୁଟି ରେଞ୍ଜର ନିରଞ୍ଜନ ମହାପାତ୍ର ହସ୍ପିଟାଲ୍ରେ ପହଞ୍ଚି ଡାକଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି। ଚନ୍ଦକା ଡିଏଫ୍ଓ କେଦାର ସ୍ବାଇଁ କହିଛନ୍ତି, ମେଡିକାଲରେ ଡାକଙ୍କ ଚିକିତ୍ସା ଖର୍ଚ୍ଚ ବନ ବିଭାଗ ବହନ କରିବ।
ସୂଚନା ଥାଉକି, ଉକ୍ତ ଦୀର୍ଘକାୟ ଦନ୍ତା ହାତୀଟି ଗତ କିଛିଦିନ ହେବ ଚନ୍ଦକା ଅଭୟାରଣ୍ୟରେ ଡେରା ପକାଇଛି। ଜଙ୍ଗଲ ଉପକଣ୍ଠ ମହୁଲ, ମାଜଣା, ଅଙ୍ଗାରପଡ଼ା, ବିନ୍ଧ୍ୟଗିରି ଓ ଗୁପ୍ତପଡ଼ା ଅଞ୍ଚଳରେ ବୁଲୁଛି।