ଭୁବନେଶ୍ୱର, ୩୧।୧୨: ନୂଆବର୍ଷ ଉପଲକ୍ଷେ ପ୍ରମେୟ ନ୍ୟୁଜ୍-୭ ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ବାର୍ଷିକ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ‘ମନ ଝୁରେ ସେଇ ସୁରେ’ ବୁଧବାର ରାତି ସାଢ଼େ ୧୦ଟାରେ ପ୍ରସାରିତ ହେବ । କାର୍ଯ୍ୟକ୍ରମରେ ଯୁବ କଣ୍ଠଶିଳ୍ପୀ ବିଷ୍ଣୁମୋହନ କବିଙ୍କ ତତ୍ତ୍ୱାବଧାନରେ ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ବିଭିନ୍ନ ଗୀତ ପରିବେଷଣ ହେବ । ଯାହାକୁ ଦର୍ଶକ ପ୍ରମେୟ ନ୍ୟୁଜ୍-୭ରେ ଦେଖିବାକୁ ପାଇବେ । ଅନ୍ୟ କଣ୍ଠଶିଳ୍ପୀଙ୍କ ମଧ୍ୟରେ ଗୀତା ଦାସ, ପମି ମିଶ୍ର, ଚିତ୍ରଭାନୁ ମହାନ୍ତି, ସଂଗ୍ରାମ କେଶରୀ ମହାନ୍ତି, ସୌଜନ୍ୟା ରଥ, ଏସ୍ ଜିତୁ ଓ ସୌମ୍ୟା ଦାସ ରହିଛନ୍ତି । ଲଗାତାର ଚତୁର୍ଥ ବର୍ଷ ଲାଗି ସଫଳତାର ସହ ଏଭଳି କାର୍ଯ୍ୟକ୍ରମ ପ୍ରମେୟ ନ୍ୟୁଜ୍-୭ ତାର ଦର୍ଶକଙ୍କୁ ଭେଟିଦେଉଛି । ପୂର୍ବରୁ ଏକ ତାରକା ହୋଟେଲରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଚଳିତବର୍ଷର ଥିମ୍ ରହିଛି କଳା ଏବଂ ଧଳା । ଧୁମ୍ ଧଡ୍କା ଗୀତକୁ ଛାଡ଼ି ପୁରୁଣା ଚଳଚ୍ଚିତ୍ରର କଳା ଧଳା ପରଦାର ସଙ୍ଗୀତକୁ ପ୍ରାଥମିକତା ଦିଆଯାଇଛି । ଏଭଳି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଦ୍ୱାରା ପ୍ରମେୟ ନ୍ୟୁଜ୍-୭ ଓଡ଼ିଆ ସଂଗୀତ ପୁନରୁଦ୍ଧାର ଏବଂ ପ୍ରଚାର ପ୍ରସାର ଦିଗରେ ଉଦ୍ୟମ ଜାରି ରଖିଛି ।
ଯୁବବର୍ଗଙ୍କ ମଧ୍ୟରେ ଓଡ଼ିଆ ସଂସ୍କୃତି, ସଙ୍ଗୀତ ଏବଂ ଗୀତକୁ ଲୋକପ୍ରିୟ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ । ସୁମା ରିଅଲ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ (ଏସ୍ଆରଏମ୍ପିଏଲ)ର ନିର୍ଦ୍ଦେଶିକା ଶାଶ୍ୱତୀ ଦାସ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଶ୍ରୀମତୀ ଦାସ କହିଥିଲେ ଯେ, ଆମର ଚେଷ୍ଟା ମାଧ୍ୟମରେ ନ୍ୟୁଜ୍-୭ର ପ୍ରତ୍ୟେକ କାର୍ଯ୍ୟକ୍ରମ ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଛି । ସବୁ ସମୟରେ ଲୋକଙ୍କ ସହିତ ରହି ସୁଖ ଦୁଃଖରେ ଭାଗୀ ହେବା ସୋଆ ପରିବାରର ମୌଳିକ ଧର୍ମ । ଏହି ସୋଆ ବିଶ୍ୱବିଦ୍ୟାଳୟର ପୃଷ୍ଠଭୂମିରେ ପ୍ରମେୟ ନ୍ୟୁଜ୍୭ର ଜନ୍ମ । ଓଡ଼ିଆ ଭାଷା, ସଙ୍ଗୀତ, ପର୍ବପର୍ବାଣି ଏବଂ ସର୍ବୋପରି ଓଡ଼ିଆ ସଂସ୍କୃତିକୁ ରୁଦ୍ଧିମନ୍ତ କରିବା ପାଇଁ ପ୍ରମେୟ ନ୍ୟୁଜ୍-୭ ସଦା ଚେଷ୍ଟିତ । ଆମେ ଗତ କିଛି ବର୍ଷ ଧରି "ମନ ଝୁରେ ସେଇ ସୁରେ' କାର୍ଯ୍ୟକ୍ରମକୁ ନୂଆବର୍ଷ ପରିପ୍ରେକ୍ଷୀରେ ଦର୍ଶକଙ୍କ ପାଇଁ ଅର୍ପଣ କରିଆସୁଛୁ ।
ପୁରୁଣା ଓଡ଼ିଆ ଗୀତ, ସଙ୍ଗୀତଜ୍ଞ ଏବଂ ଗୀତିକାରମାନଙ୍କର ସମ୍ମାନ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏହି ଗୀତକୁ ସମସ୍ତେ ଉପଭୋଗ କରିବେ ଏବଂ ନୂଆବର୍ଷ ପାଇଁ ନୂଆ ଚିନ୍ତାର ଖୋରାକ ପାଇବେ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ‘ପ୍ରମେୟ’ ଓ ‘ନ୍ୟୁଜ୍-୭’ର ଗ୍ରୁପ୍ ଏଡିଟର ଗୋପାଳକୃଷ୍ଣ ମହାପାତ୍ର, ନ୍ୟୁଜ୍-୭ର କାର୍ଯ୍ୟକାରୀ ସମ୍ପାଦକ ଦେବନାରାୟଣ ସେଠୀ, ଏସ୍ଆରଏମ୍ପିଏ ସିଇଓ ସୁନୀଲ ଦାସ, ଗ୍ରୁପ୍ ଡାଇରେକ୍ଟର (ସେଲ୍ସ ଆଣ୍ଡ ମାର୍କେଟିଂ) ହିମାଂଶୁ ହୋତା, ଡିଜିଏମ୍ (ସେଲ୍ସ ଆଣ୍ଡ ମାର୍କେଟିଂ) ଶେଖ ଫଜଲ ଅଲ୍ଲୀ, ଜ୍ୟୋତିର୍ମୟ ପାଣିଗ୍ରାହୀ, ନ୍ୟୁଜ୍-୭ ଡିଜିଏମ୍ (ସେଲ୍ସ ଆଣ୍ଡ ମାର୍କେଟିଂ) ସିଦ୍ଧାର୍ଥ ରାୟ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଉପସ୍ଥାପକ ସଞ୍ଜିବ ପରିଡା ସଂଯୋଜନା କରିଥିଲେ ।