ନୂଆଦିଲ୍ଲୀ,୨୮/୧୨: ଶୀତ ଆସିଲେ ପର୍ଯ୍ୟଟକଙ୍କୁ ମନେପଡ଼େ ମନାଲି। ସେଠାକାର ପ୍ରାକୃତିକ ପରିବେଶ ଓ ଶୀତ ଋତୁରେ ତୁଷାରପାତ ଦେଶର ବିଭିନ୍ନ ଅଞ୍ଚଳର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ। କିନ୍ତୁ ବର୍ତ୍ତମାନର ସ୍ଥିତି ବିଷୟରେ ଜାଣିବା ପରେ ଆପଣ ମଧ୍ୟ ଭାବିବେ ଶୀତ ଋତୁରେ ମନାଲି ଯିବେ କି ନାହିଁ? କାରଣ କେବଳ ମନାଲି ନୁହେଁ ବରଂ ହିମାଚଳ ପ୍ରଦେଶର ଅନେକ ପର୍ଯ୍ୟଟନ ସ୍ଥଳୀ ଏବେ ବରଫରେ ଆଚ୍ଛାଦିତ। ସେଠାରେ ଫଶିରହିଥିବା ପାଖାପାଖି ୧୦,୦୦୦ ପର୍ଯ୍ୟଟକଙ୍କୁ ଏବେ ସୋଲଙ୍ଗ ଘାଟିରୁ ଉଦ୍ଧାର କରାଯାଇଛି। କେବଳ ସେତିିକି ନୁହେଁ, ଶୁକ୍ରବାର ଦିନ ସେଠାରେ ପାଖାପାଖି ୨୦୦୦ ଗାଡ଼ି ଫସିରହିଥିବା ଖବର ରହିଛି। ରାସ୍ତାରେ ବରଫ ଜମି ରହିବା କାରଣରୁ ୧୦୦ ରୁ ଅଧିକ କାର୍ ରାସ୍ତାରେ ଖସିଯାଇ ଏଣେତେଣେ ପଡ଼ିରହିଛି। କାର୍ ଗୁଡ଼ିକର ଡ୍ରାଇଭରମାନେ ମଧ୍ୟ ସେଠାରେ ନଥିବା ସ୍ଥାନୀୟ ପୋଲିସ ସୂତ୍ରରୂ ଜଣାପଡ଼ିଛି।
ମନାଲି ଡିଏସପି କହିଛନ୍ତି ଯେ, 'ଅବଶିଷ୍ଟ ଗାଡ଼ିଗୁଡିକୁ ନିୟନ୍ତ୍ରଣରେ ରଖାଯାଇଛି, ପାଗ ଭଲ ହେବା ପରେ ଏହାକୁ ହଟାଇ ଦିଆଯିବ। ବିପଜ୍ଜନକ ପରିସ୍ଥିତି ଯୋଗୁଁ ସୋଲାଙ୍ଗ ଉପତ୍ୟକା ବର୍ତ୍ତମାନ ପର୍ଯ୍ୟଟକଙ୍କ ପାଇଁ ସୀମିତ ଅଟେ। ତେଣୁ ନେହେରୁ କୁଣ୍ଡ ପର୍ଯ୍ୟନ୍ତ ଯାନବାହାନ ଓ ପର୍ଯ୍ୟଟକଙ୍କୁ ଯିବା ପାଇଁ ଅନୁମତି ଦିଆଯାଇଛି। ଏହାରିଭିତରେ ପ୍ରବଳ ବରଫ ଜମା ହେତୁ ଗତ ସପ୍ତାହରେ ଅଟଳ ଟନେଲ ମଧ୍ୟ ଫସିରହିଛି। ଯାନବାହାନର ଲମ୍ବା ଧାଡ଼ି ପାଖାପାଖି ୧୫ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି। ପାହାଡ଼ ଉପରକୁ ଯାଇଥିବା ଗାଡ଼ିଗୁଡ଼ିକ ବରଫାବୃତ୍ତ ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ହୋଇଥିବା ସୂଚନା ରହିଛି। ପାଗର ଅସନ୍ତୁଳନା ଯୋଗୁ ମନାଲିର ପାଖାପାଖି ୬୦-୭୦% ହୋଟେଲ ଏହାର ଦରବୃଦ୍ଧି କରିବା ସହିତ ଅନେକ ହୋଲେଟ୍ ଓ ପବ୍ ନୂଆବର୍ଷ ପୂର୍ବରୁ ବୁକ୍ ହୋଇସାରିଛି।
ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅଧିକ ତୁଷାରପାତ ହେବା ନେଇ ହିମାଚଳ ପ୍ରଦେଶ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଡିସେମ୍ବର ୨୮ ଏବଂ ୨୯ ରେ ହିମାଚଳ ପ୍ରଦେଶର ମଧ୍ୟ ଏବଂ ଉଚ୍ଚ ପାହାଡ଼ରେ ହାଲୁକା ରୁ ମଧ୍ୟମ ତୁଷାରପାତ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଘନ କୁହୁଡ଼ି, ପ୍ରବଳ ଶୀତ ଏବଂ ବରଫ ରାସ୍ତା ପର୍ଯ୍ୟଟକଙ୍କ ପାଇଁ ବିପଜ୍ଜନକ ହୋଇପଡ଼ିଛି। ବିଶେଷକରି କୁଫ୍ରି, ନରକାଣ୍ଡା ଏବଂ ଅଟଳ ଟନେଲ ପରି ଅଞ୍ଚଳରେ ପରିସ୍ଥିତି ସଂଗୀନ ରହିଛି।