ମନମୁଣ୍ଡା, ୨୩।୧୨ : ଚାଷୀଙ୍କ ସମସ୍ୟା ନେଇ ପ୍ରାୟତଃ ମଣ୍ଡି ରେ ଆନ୍ଦୋଳନ ହେବାର ଦେଖିବାକୁ ମିଳେ। କିନ୍ତୁ ମଣ୍ଡି ଶ୍ରମିକ ମାନଙ୍କ ସମସ୍ୟା ସମାଧାନ ନ ହେବାରୁ ସେମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିବା ଏକ ଅଭାବନୀୟ ଘଟଣା ମନମୁଣ୍ଡା ରେ ଦେଖିବାକୁ ମିଳିଛି ।
ଗତ ୧୬ ତାରିଖରେ ମନମୁଣ୍ଡା ମଣ୍ଡିରେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ ଅଭିଯାନ ଶୁଭାରମ୍ଭ କରାଯାଇଥିଲା। ଶ୍ରମିକମାନେ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାଏକଙ୍କୁ ନିଜ ସମସ୍ୟା ଜଣାଇବା ସହ କୁଇଣ୍ଟାଲ ପ୍ରତି ୧୧ ଟଙ୍କା ବଦଳରେ ୧୫ ଟଙ୍କା ବୃଦ୍ଧି କରାଯିବାକୁ ଦାବି କରିଥିଲେ। ୭ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ କାର୍ଯ୍ୟ ବନ୍ଦ ଆନ୍ଦୋଳନର ଚେତାବନୀ ଦେଇଥିଲେ। ଚେତାବନୀ ପ୍ରକାରେ ଆଜି ୭ ଦିନ ପୂରଣ ହୋଇଥିବାବେଳେ ସେମାନଙ୍କ ଦାବି ପୂରଣ କରାଯାଇ ନ ଥିଲା। ସେହିପରି ପ୍ରଶାସନ ପକ୍ଷରୁ କୌଣସି ଜଣେ ହେଲେ ଅଧିକାରୀ ଶ୍ରମିକ ମାନଙ୍କ ପାଖକୁ ଆଲୋଚନା ପାଇଁ ମଧ୍ୟ ଆସି ନ ଥିଲେ।
ମନମୁଣ୍ଡା ମଣ୍ଡିର ଶ୍ରମିକମାନଙ୍କ ଦାବିକୁ କଣ୍ଟାମାଳ ବ୍ଲକର ସମସ୍ତ ମଣ୍ଡିର ଶ୍ରମିକ ଏବଂ ବୌଦ୍ଧ ବ୍ଲକ ର ୫ ଟି ମଣ୍ଡି ର ଶ୍ରମିକ ସମର୍ଥନ ଜଣାଇ ମନମୁଣ୍ଡା ମଣ୍ଡି ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମନମୁଣ୍ଡା ମଣ୍ଡି ରୁ ଧାନ ଉଠାଇବା ପାଇଁ ଆସିଥିବା ଜଣେ ମିଲ ମାଲିକ ଙ୍କ ସହ ଶ୍ରମିକ ମାନେ ଆଲୋଚନା କରିଥିଲେ। ମିଲ ମାଲିକ ଙ୍କ ଅନେକ ସମସ୍ୟା ରହିଥିବାବେଳେ ସେମାନଙ୍କ ଦାବି ସରକାର ପୁରଣ କରି ନାହାନ୍ତି।ଏପରିସ୍ଥଳେ ଶ୍ରମିକ ମାନଙ୍କ ଦାବି କୁ ନେଇ ଆମେ କିଛି କରି ପାରିବୁ ନାହିଁ ବୋଲି ମିଲ ମାଲିକ କହିଥିଲେ। ଫଳରେ ଶ୍ରମିକ ମାନେ କାର୍ଯ୍ୟ ବନ୍ଦ କରିଥିଲେ। ସେମାନଙ୍କ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ଶ୍ରମିକ ମାନେ କହିଛନ୍ତି।ଏହାଦ୍ବାରା ମନମୁଣ୍ଡା ମଣ୍ଡି ରୁ ଆଜି ଧାନ ଉଠି ପଡ଼ି ନ ଥିଲା। ଏହିପରି ଅଚଳ ଅବସ୍ଥା କଣ୍ଟାମାଳ ବ୍ଲକ ର ସମସ୍ତ ମଣ୍ଡି ରେ ଦେଖା ଦେଇଥିବାବେଳେ ବୌଦ୍ଧ ବ୍ଲକ ର ୫ ଟି ମଣ୍ଡି ରେ ମଧ୍ୟ ଦେଖିବାକୁ ମିଳିଛି।