ଜୁନାଗଡ଼,୧୭/୧୨ : କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସହରରେ ଗତକାଲି ସନ୍ଧ୍ୟାବେଳେ ଏକ ଗୁରୁତର ଅପରାଧ ଘଟଣା ସାମ୍ନାକୁ ଆସିଛି । ଜୁନାଗଡ଼ ଥାନା ଅନ୍ତର୍ଗତ ଅନ୍ତର୍ଲା ଗ୍ରାମର କାହ୍ନୁ ବରିହା (୩୩) ଓ ପୋରାଗାଁର ଦେବେନ୍ଦ୍ର ସାହୁ(୩୮)ନାମକ ଦୁଇ ଜଣ ଯୁବକ ଏକ ମୋଟରସାଇକେଲରେ ଆସି ପିସ୍ତଲ ଦେଖାଇ ୫ରୁ ୬ଜଣ ଲୋକଙ୍କୁ ମାଡ଼ ମାରି ଟଙ୍କା ଆଦାୟ କରିଥିବା ଅଭିଯୋଗ ଜୁନାଗଡ଼ ଥାନାରେ ଅଭିଯୋଗ ହୋଇଥିଲା।
ଏହି ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ ହେବା ପରେ ଜୁନାଗଡ଼ ପୁଲିସ ତୁରନ୍ତ ପଦକ୍ଷେପ ନେଇ ଅଭିଯୁକ୍ତ ଦେବେନ୍ଦ୍ର ସାହୁ ଓ କାହ୍ନୁ ବରିହାଙ୍କୁ ଗିରଫ କରିଥିଲା। ଏହା ସହିତ ଏହି ଦୁଇ ଅଭିଯୁକ୍ତଙ୍କୁ ପିସ୍ତଲ ଯୋଗାଇଥିବା ଅଭିଯୋଗରେ ଗୋଲାମୁଣ୍ଡା ବ୍ଲକର ବସନ୍ତ ଚଲାନ(୩୫)ଙ୍କୁ ମଧ୍ୟ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପୁଲିସ ଅଭିଯୁକ୍ତମାନଙ୍କ ବ୍ୟବହୃତ ମୋଟରସାଇକେଲ ସହ ପିସ୍ତଲ ଓ ୩ଟି ଜୀବନ୍ତ ଗୁଳି ଜବତ କରିଥିବା ନେଇ ଜୁନାଗଡ଼ ଥାନାର ଆଇଆଇସି ଶେଷଦେବ ବେହେରା ପ୍ରକାଶ କରିଛନ୍ତି l
ସୂଚନାଯୋଗ୍ୟ ଯେ, ଦିନକୁ ଦିନ ଜୁନାଗଡ଼ ସହରରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ସହ କ୍ରିମିନାଲମାନଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି l ଫଳରେ ସାଧାରଣ ଲୋକେ ହନ୍ତସନ୍ତ ହେବାରେ ଲାଗିଲେଣି ଏଣୁ ଆରକ୍ଷୀ ଅଧିକ୍ଷକ ଏଥିପ୍ରତି ଧ୍ୟାନ ଦେବା ସହ ଜନସାଧାରଣଙ୍କୁ ସୁରକ୍ଷା ଯୋଗେଇଦେବାକୁ ଦାବି ହେଉଛି l