ଜଗତସିଂହପୁର,୨୧/୧୧: ତରିକୁନ୍ଦ ବେରାହିମ୍‌ରରେ କଳା ସାମ୍ରାଜ୍ୟ ବିସ୍ତାର କରିଥିବା ସିକନ୍ଦର ଆଲାମକୁ ବାନ୍ଧିବାକୁ ପୁଲିସ ତନାଘନା ଚଳାଇଛି । ଇତି ମଧ୍ୟରେ ଜିଲ୍ଲା ପ୍ରଶାସନ ମଧ୍ୟ କଠୋର ଆଭିମୁଖ୍ୟ ଗ୍ରହଣ କରି ସିକନ୍ଦର ଦ୍ୱାରା ସରକାରୀ ଜାଗାରେ ନିର୍ମିତ ୧୦ ବଖରା ଘରକୁ ମାଟିରେ ମିଶାଇ ଦେଇଛି । ସାତପୁରା ଧନିପୁରରେ ମଧ୍ୟ ୭ଟି ବେଆଇନ ଘରକୁ ଭାଙ୍ଗି ଦିଆଯାଇଛି । ବହୁ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଏବେ ବି ଅଟକ ରଖି ପୁଲିସ ପଚରାଉଚରାକୁ ବଳବତ୍ତର ରଖିଛି । ସେହିପରି ବେରାହିମପୁରରେ ବେଆଇନ ଭାବେ ଗଢ଼ି ଉଠିଥିବା ଆଉ କିଛି ଘରକୁ ଭାଙ୍ଗି ଦିଆଯିବ ବୋଲି ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ସୂଚନା ଦେଇଛନ୍ତି । ତେବେ ପ୍ରଶାସନର ଏହି ନିର୍ଦ୍ଦେଶକୁ ଡରି ଆଜି ବେରାହିମପୁରରେ ଗଢି ଉଠିଥିବା ଆଉ ଏକ ବସ୍ତିର ଅନେକ ଲୋକ ଛତ୍ରଭଙ୍ଗ ଦେବା ଆରମ୍ଭ କରିଛନ୍ତି ।

୧୯୯୯ ମହାବାତ୍ୟା ପରେ ଏରସମାରୁ ଉଠି ଆସିଥିବା ୩୦ରୁ ଅଧିକ ପରିବାର ବେରାହିମପୁରରେ ବସବାସ କରି ଆସୁଥିଲେ । ସେମାନଙ୍କ ଯୁକ୍ତି, ଏଠି ରହିବା ପାଇଁ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଅନୁମତି ଦେଇଥିଲେ । ଏଥିନେଇ ଆମ୍ଭେମାନେ ପାଉତି ବି କାଟୁଥିଲୁ । କିନ୍ତୁ ସିକନ୍ଦର ଆଲାମ୍‌ର ଆଡ୍ଡା ଉପରେ ପୁଲିସ ଚଢଉ କରିବା ପରେ ପ୍ରଶାସନ ଏବେ ଆମକୁ ବେଘର କରିବାକୁ ବଳ ପ୍ରୟୋଗ କରୁଛି । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କାରଣ ସିକନ୍ଦରର କଳା ସାମ୍ରାଜ୍ୟ ସହ ଆମର କିଛି ନେଣଦେଣ ନାହିଁ। ଗରିବ ହୋଇଥିବାରୁ ପୂର୍ବ ସରକାର ଆମ୍ଭମାନଙ୍କୁ ରାସନ୍ କାର୍ଡ, ଭତ୍ତା ଆଦିର ସୁବିଧା ଦେଇଥିଲେ । ସମୟ କ୍ରମେ ଆଧାର, ଭୋଟର ପରିଚୟ ପତ୍ର ପାଇଥିଲୁ । ତିନି ପିଢି ଧରି ଏଠାରେ ରହିଆସୁଛୁ। ଏବେ କିନ୍ତୁ ପିଲାଛୁଆ ଧରି ଆମ୍ଭମାନଙ୍କୁ ଘରଦ୍ୱାରା ଖାଲି କରି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅସହାୟ ହୋଇଥିବା ଜାଣି ବି ଥଇଥାନ ବଦଳରେ ଆମ୍ଭମାନଙ୍କୁ ରାସ୍ତା ଉପରେ ଛିଡ଼ା ହେବାକୁ କୁହାଯାଉଛି । ଉକ୍ତ ଅଞ୍ଚଳର ରହିମୁଦ୍ଦିନ୍ ଖାଁଙ୍କ କହିବା କଥା, ବାଂଲା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସରକାରଙ୍କ ସ୍ୱାଗତଯୋଗ୍ୟ ପଦକ୍ଷେପ । ହେଲେ ଏହି ଅଭିଯାନରେ ନିରୀହ ଲୋକମାନଙ୍କୁ ହଇରାଣ କରାନଯାଉ । ଉପଯୁକ୍ତ ତଦନ୍ତ ପରେ ହିଁ ବେରାହିମପୁରରେ ୬୦ ବର୍ଷ ଧରି ରହି ଆସୁଥିବା ଅନେକ ପରିବାରକୁ ପ୍ରଥମେ ଥଇଥାନ କରାଯିବା ଉଚିତ ବୋଲି ମତ ରଖିଛନ୍ତି ।

ସେକ୍ ଦଲିଲଙ୍କ କହିବା କଥା, ମହାବାତ୍ୟାରେ ସମୁଦ୍ର କୂଳ ଲଂଘିବା ପରେ ଭୟରେ ବହୁ ପରିବାର ଏରସମାରୁ ପ୍ରାୟ ୬୦ ବର୍ଷ ତଳୁ ବେରାହିମପୁରକୁ ଉଠି ଆସିଥିଲେ । ପରିବାର ସହ ଏଠାରେ ବସତି ସ୍ଥାପନ କରି ପାଉତି କାଟି ଚାଲିଛନ୍ତି । ତଥାପି ଏବେ ଘର ଛାଡ଼ି ଚାଲିଯିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । କିନ୍ତୁ ଜଣେ ଦୋଷୀଙ୍କ ପାଇଁ ଏତେ ସଂଖ୍ୟକ ପରିବାର ପ୍ରତି ପ୍ରଶାସନର ନିଷ୍ଠୁର ଆଚରଣ ଗ୍ରହଣୀୟ ନୁହେଁ । ବହୁ ପିଲା ବାସସ୍ଥାନ ହରାଇଥିବାରୁ ପ୍ରଶାସନ ତଥା ସରକାର ଥଇଥାନ ଉପରେ ଗୁରୁତ୍ୱ ଦି÷ଅନ୍ତୁ ବୋଲି ସେକ୍ ଦଲିଲ ଯୁକ୍ତି ଉପସ୍ଥାପନ କରିଛନ୍ତି ।