ଭୁବନେଶ୍ୱର,୧୮/୦୬: ଆଗରେ ଛୋଟିଆ ମଞ୍ଚ । ଆଉ ମଞ୍ଚ ଉପରେ ମାଇକ୍ ଧରି ଛିଡ଼ା ହୋଇଥାନ୍ତି ଜଣେ ଯୁବକ । ସେ କହିବା ଆରମ୍ଭ କଲାକ୍ଷଣି ସାରା ହଲଟି ହସରେ ହେଉଥାଏ ପ୍ରକମ୍ପିତ । କିଏ ହସି ହସି ଅଖିରୁ ଖୁସିର ଲୁହ ଝରାଉଥାନ୍ତି ତ କିଏ ହୁଇସିଲ୍ ଓ କରତାଳି ମାରୁଥାନ୍ତି । ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ରାଜଧାନୀର ଏକ କ୍ୟାଫେରେ । ଯେଉଁଠାରେ ଆୟୋଜିତ ହୋଇଥିଲା ‘ଷ୍ଟାଣ୍ଡଅପ୍ କେମେଡି ସୋ’ ।

‘ଷ୍ଟାଣ୍ଡଅପ୍ କମେଡି’ର ସୋ କେବଳ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ... ଭଳି ସହରରେ ହେଉଥିଲା । ଯେଉଁଠି ହିନ୍ଦୀ, ଇଂରାଜୀ ଭାଷାର ବ୍ୟବହାର କରି ମଞ୍ଚ ହାସ୍ୟକାରମାନେ ଲୋକମାନଙ୍କୁ ହସାଉଥିଲେ । ବର୍ତ୍ତମାନ ରାଜଧାନୀରେ ଏହାର କ୍ରେଜ୍ ଦେଖିବାକୁ ମିଳୁଛି । ସିଏ ପୁଣି ଖାଣ୍ଟି ଓଡ଼ିଆରେ । ଯାହାକୁ ଉପଭୋଗ କରିବା ପାଇଁ ଦର୍ଶକମାନେ ଟିକଟ୍ କାଟି ଯାଉଛନ୍ତି । ସବୁଠାରୁ ବଡ଼ କଥା ହେଉଛି ମଞ୍ଚରୁ ହସ ଝରାଉଥିବା କିଛି ହାସ୍ୟକାର ଏହାକୁ ପୂରା ବୃତ୍ତି କରିସାରିଲେଣି । ଯେଉଁଥିରେ ସେମାନେ ଭଲ ରୋଜଗାର କରିବା ସହିତ ଏ କ୍ଷେତ୍ରରେ ଏକ ପ୍ରକାର ତାରକା କଳାକାର ପାଲଟି ଗଲେଣି ।

ମୁଖ୍ୟତଃ ଏହି ଷ୍ଟାଣ୍ଡଅପ୍ କମେଡି ପାଇଁ ରାଜଧାନୀରେ ‘ଷ୍ଟୁଡିଓ ଫୋଟି ଫୋର୍’, ‘ଦି ସ୍ପେସ୍’ ଭଳି ଷ୍ଟୁଡିଓ ମଧ୍ୟ ଖୋଲିଗଲାଣି । ଯେଉଁଠାରେ ଓପନ୍ ମାଇକ୍ ସୋ’ ହେବା ସହିତ ଲାଇଭ୍ ସୋ ମଧ୍ୟ ଆୟୋଜିତ ହେଉଛି । ମୁଖ୍ୟତଃ ଶନିବାର ଓ ରବିବାର ଭଳି ଛୁଟିଦିନଗୁଡ଼ିକରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଖାଲି ଷ୍ଟୁଡିଓ କାହିଁକି ରାଜଧାନୀରେ ଥିବା ଅଧିକାଂଶ କ୍ୟାଫେରେ ମଧ୍ୟ ଷ୍ଟାଣ୍ଡଅପ୍ କମେଡି ସୋ କରାଯାଉଛି । ଏହି ସୋ’ରେ ଯୋଗଦେବା ପାଇଁ ଆଗୁଆ ଅନ୍‌ଲାଇନ୍‌ରେ ଟିକଟ୍ ବୁକ୍ କରିବାକୁ ପଡ଼ିଥାଏ । ଟିକଟ୍‌ର ମୂଲ୍ୟ ମୁଖ୍ୟତଃ ୧୫୦ ଟଙ୍କାରୁ ଆରମ୍ଭ ହୋଇ ୧୦୦୦ ଟଙ୍କା ପର୍ଯ୍ୟନ୍ତ ରହୁଛି ।

ଅଧିକ ପଢ଼ନ୍ତୁ :-  Pension issue : ପଞ୍ଚାୟତ ଅଫିସ୍କୁ ଆଣ୍ଠେଇ ଆଣ୍ଠେଇ ଗଲେ, ଧାରଣାରେ ବସିଲେ... ହେଲେ ୮୫ ବର୍ଷୀୟଙ୍କୁ ମିଳିଲାନି ଭତ୍ତା

ଓଡ଼ିଶାରେ ଲୋକପ୍ରିୟ ଷ୍ଟାଣ୍ଡଅପ୍ କମେଡିଆନ୍ ଭାବେ ଚିରଞ୍ଜିବୀ ନାୟକ, ବିଶାଲ ମହାନ୍ତି, ଅଭିଜିତ୍ ମହାପାତ୍ର, ଶୁଭମ୍ କାନୁନ୍ ଗୋ, ମଳୟ ପରିଡ଼ା, ଅନୁରାଗ ପୃଷ୍ଟି, ବେଦଭୂଷଣ ଆଚାର୍ଯ୍ୟ, ଦେବାର୍ଚ୍ଚନ ମିଶ୍ର, ଆକାଶ ରାଉତ, ସବ୍ୟସାଚୀ ପରିଡ଼ା ଭଳି କେତକ ବ୍ୟକ୍ତିବିଶେଷ ନିଜକୁ ପରିଚିତ କରାଇପାରିଛନ୍ତି । ଯେଉଁମାନେ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନକୁ ଯାଇ ଭଲ ରୋଜଗାର ମଧ୍ୟ କରିପାରୁଛନ୍ତି । ବିଶେଷ କରି ଏହି କଳାକୁ ଯୁବପିଢିମାନେ ବହୁଳ ମାତ୍ରାରେ ଆପଣାଉଛନ୍ତି ।

‘ଷ୍ଟୁଡିଓ ଫୋଟି ଫୋର୍’ର ମୁଖ୍ୟ ତଥା ଷ୍ଟାଣ୍ଡଅପ୍ କମେଡିଆନ୍ ଭାବେ ଓଡ଼ିଶାର ଜଣେ ପରିଚିତ ଚେହେରା ଆକାଶ ରାଉତ କହନ୍ତି, ଓଡ଼ିଶାରେ ଷ୍ଟାଣ୍ଡଅପ୍ କମେଡି ଚାହିଦା ବଢୁଛି। ପୂର୍ବରୁ ଲୋକମାନେ ଯେଉଁଠି ମୋବାଇଲ୍ରେ ସୋ’ ଦେଖି ଖୁସି ହେଉଥିଲେ ବର୍ତ୍ତମାନ ସେମାନେ ଲାଇଭ୍ ସୋ’ ଦେଖୁଛନ୍ତି । ମୁଖ୍ୟତଃ ୧୮ ରୁ ୩୫ ବର୍ଷ ବୟସର ଦର୍ଶକଙ୍କ ସଂଖ୍ୟା ଅଧିକ ରହୁଛି ।

ଷ୍ଟାଣ୍ଡଅପ୍ କମେଡିକୁ ବୃତ୍ତି ଭାବେ ଆପଣାଇଥିବା ଦେବାର୍ଚ୍ଚନ ମିଶ୍ର କହନ୍ତି, ଲୋକମାନେ ଏବେ ଟଙ୍କା ଖର୍ଚ୍ଚକରି ଷ୍ଟାଣ୍ଡଅପ୍ କମେଡି ଦେଖିବାକୁ ଆସୁଛନ୍ତି । ଖାଲି ଭୁବନେଶ୍ୱର କାହିଁକି କଟକ, ବ୍ରହ୍ମପୁର ଓ ସମ୍ବଲପୁର ଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ଚାହିଦା ବଢୁଛି ।