ନୂଆଦିଲ୍ଲୀ : ଗୁଜୁରାଟ ବଲସାଡ ଜିଲ୍ଲାର କପ୍ରଡା ଅଞ୍ଚଳର ବୀରକ୍ଷେତ୍ର ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଏକ ପିକଅପ୍ ଟ୍ରକ୍ ଓଲଟି ପଡ଼ିବା କାରଣରୁ ୬ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଏକ ପରିବାର ଏବଂ ସମ୍ପର୍କୀୟଙ୍କୁ ନେଇ ଏକ ଗାଡ଼ି "ଆନୁ" କାର୍ଯ୍ୟକ୍ରମରୁ ସେମାନଙ୍କ ଗାଁକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ମହିଳା ଏବଂ ପିଲା ମାନଙ୍କ ସମେତ ପ୍ରାୟ ୨୮ ଜଣ ଲୋକ ଏଥିରେ ଥିଲେ ।
ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଡ୍ରାଇଭର ହଠାତ୍ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ପିକଅପ୍ ଟ୍ରକଟି ଓଲଟି ପଡ଼ିଥିଲା। ଦ୍ରୁତ ଗତି ଏବଂ ଓଭରଲୋଡିଂ ମଧ୍ୟ ଦୁର୍ଘଟଣାର କାରଣ ବୋଲି ସନ୍ଦେହ କରାଯାଉଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ୧୦୮ ଆମ୍ବୁଲାନ୍ସ ଏବଂ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତ ମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏଠାରେ କିଛି ଲୋକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ମୃତକଙ୍କ ମୃତଦେହ ପୋଷ୍ଟମର୍ଟମ ପରୀକ୍ଷା ପାଇଁ ପଠାଯାଇଛି।
ରିପୋର୍ଟ ମୁତାବକ ସମସ୍ତ ଯାତ୍ରୀ ଗିର୍ନାରା ଗାଁର ବାସିନ୍ଦା ଥିଲେ ଏବଂ କୋଲଭେରା ଗାଁରେ ଆୟୋଜିତ "ଆନୁ" କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ। ଫେରିବା ବାଟରେ ଏହି ଦୁଃଖଦ ଦୁର୍ଘଟଣା ଘଟିଥିଲା, ଯାହା ସମଗ୍ର ଅଞ୍ଚଳକୁ ଶୋକରେ ଡୁବାଇ ଦେଇଛି ।