ମାଲକାନଗିରି,୨୮/୭(ଆପ୍ର): ରବିବାରଠାରୁ ଆରମ୍ଭ ହେଉଛି ମାଓବାଦୀଙ୍କ ସହିଦ ସପ୍ତାହ । ଏହାକୁ ଆଖିରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତଥାପି ରାଜ୍ୟ ପରିବହନ ନିଗମ ଛାନିଆ ହୋଇ ଜିଲ୍ଲାକୁ ଚଳାଚଳ କରୁଥିବା ସରକାରୀ ବସ୍ ସେବାକୁ ବନ୍ଦ କରିଦେଇଛି ।
ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀ ପାଳିବେ ସହିଦ ସପ୍ତାହ । ଏହି ସମୟରେ ସେମାନେ ନାନା ହିଂସାକାଣ୍ଡ ଘଟାଇଥାନ୍ତି । ଏହାକୁ ଦୃଷ୍ଟିରେ ରଖି ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଏସ୍ପି ଜଗମୋହନ ମୀନା କହିଛନ୍ତି । ଶ୍ରୀ ମୀନାଙ୍କ ସୂଚନା ଅନୁଯାୟୀ, ଜିଲ୍ଲାରେ ୩୦ରୁ ଅଧିକ ବିଏସଏଫ କ୍ୟାମ୍ପର ୪ ବାଟାଲିୟନ ଯବାନ ରାତିଦିନ ସଜାଗ ରହିଛନ୍ତି ।
ସେମାନଙ୍କ ସହିତ ଓଡ଼ିଶା ଆର୍ମ ପୁଲିସ ,ଏସଓଜି, ଆଇଆରବି,ଏସ୍ଏସ୍ବିଏନ ଯବାନମାନେ ମଧ୍ୟ ପଇଁତରା ମାରୁଛନ୍ତି । ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି । କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ଆନ୍ଧ୍ର, ଓଡ଼ିଶା ଏବଂ ଛତିଶଗଡ଼ ସୀମାରେ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି । ଜିଲ୍ଲାରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାକୁ ଦିଆଯିବ ନାହିଁ । ମାଓବାଦୀଙ୍କୁ ଦୃଢ଼ ହସ୍ତରେ ଦମନ କରାଯିବ ବୋଲି କହିଛନ୍ତି ଏସ୍ପି । ଅନ୍ୟପକ୍ଷରେ ମାଓବାଦୀମାନେ ବହୁ ଆଗରୁ ବିଭିନ୍ନ ସ୍ଥାନରେ ସ୍ଥାୟୀ ଓ ଅସ୍ଥାୟୀ ସହିଦ ସ୍ତମ୍ଭ ନିର୍ମାଣ କରିଛନ୍ତି । ଗତବର୍ଷ ସହିଦ ସପ୍ତାହ ପାଳନ ପୂର୍ବରୁ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ବେହେରାଗୁଡ଼ା ଜଙ୍ଗଲରେ ମାଓବାଦୀମାନେ ସହିଦ ସ୍ତମ୍ଭ ଏବଂ ରାମଗୁଡ଼ାରେ ସହିଦ ସ୍ମାରକୀ ଗୃହ ନିର୍ମାଣ କରି ବିଶାଳ ମେଳି କରିଥିଲେ ।
{"id":30336,"width":726,"height":363}
ଚଳିତବର୍ଷ ମଧ୍ୟ ରାମାଗୁଡାରେ ସ୍ଥାପିତ ଲାଲ୍ଗୃହ ଏବଂ ସହିଦ ସ୍ତମ୍ଭରେ ରଙ୍ଗ ଦେଇଛନ୍ତି । ଏଥିସହ ଜିଲ୍ଲାର କାଲିମେଳା, ବେଜାଙ୍ଗୱାଡ଼ା, ଗମ୍ଫାକୋଣ୍ଡା, ପଡିଆ, ସିମିଳିବାଞ୍ଛା, ମୋଟୁ, ଚିତ୍ରକୋଣ୍ଡା, ମାଥିଲି ଥାନାର ମୁଣ୍ଡାଗୁଡା, ସାଲିମି, କିଆଙ୍ଗ, କର୍ତ୍ତନପାଲ୍ଲି, ମହୁପଦର, କମାରପାଲି, ତୁଳସୀପାହଡ, ଦଣ୍ଡିପଦର ଇତ୍ୟାଦି ଅଞ୍ଚଳର ଦୁର୍ଗମ ଇଲାକାରେ ଅସ୍ଥାୟୀ ସହିଦ ସ୍ତମ୍ଭ ନିର୍ମାଣ ଲାଗି ଗ୍ରାମବାସୀଙ୍କ ସହିତ ଗୁପ୍ତ ବୈଠକ କରି ସାହାଯ୍ୟ ଲୋଡ଼ିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଏମିତିକି ମାଓବାଦୀମାନେ କାଲିମେଳା, ଚିତ୍ରକୋଣ୍ଡା, ପପଲୁର, କୁର୍ମାନୁର ଅଞ୍ଚଳରେ ପୋଷ୍ଟର ଏବଂ ବ୍ୟାନର ଲଗାଇ ସହିଦ ସପ୍ତାହ ପାଳନରେ ସହଯୋଗ କରିବାକୁ ନିବେଦନ କରିଛନ୍ତି ।